ଝିଅ ଜନମ ପର ଘରକୁ
ଅତି ସୁକୁମାରୀ ଦୁହିତା କୁମାରୀ
ଦୁଇ କୁଳକୁ ସେ ହିତ
କନ୍ୟାଦାନ ଅଟେ ସବୁଠାରୁ ପୁଣ୍ୟ
ଭାଗ୍ୟବନ୍ତେ କନ୍ୟା ପ୍ରାପ୍ତ।
ବାପ ଘରର ସେ କୁଳ ଚନ୍ଦ୍ରମା
ଶାଶୁ ଘର କରେ ସ୍ବର୍ଗ
ସମୟ ଆସିଲେ ପରଘର ଯାଏ
ଭଲ ଶାଶୁଘର ଭାଗ୍ୟ।
ଶିକ୍ଷା ଲାଭେ ଯୋଗ୍ୟା ହେଲେବି ଝିଅଟି
ବିବାହ ବନ୍ଧନେ ବନ୍ଧା
ପିତା ମାତାଙ୍କର ସ୍ନେହର ଦୁଲାଳୀ
ଶାଶୁ ଘରେ ହୁଏ ଛନ୍ଦା।
ଲାଳନ ପାଳନ ବାପାମା କରନ୍ତି
ଶିକ୍ଷା ସଂସ୍କୃତି ଶିଖାଇ
ଶାଶୁ ଘରେ ସେଇ ବୁଦ୍ଧିକୁ ଖଟାଇ
ସମୃଦ୍ଧିଶାଳୀ କରଇ।
ଅନୁଶୋଚନା ସେ କରେ ନାହିଁ କେବେ
ଯେତେ ଦୁଃଖ ଆସୁ ତାକୁ
ସବୁ ସହି ସିଏ ଦୁଃଖକୁ ପିଅଇ
ପାଳି ତା ପରିବାରକୁ।
ଝିଅ ଜନମ ତ ପରଘରକୁ ଯେ
ପରକୁ କରେ ଆପଣା
ତାର ତ୍ୟାଗ ସେବା ମମତା ପାଇଁ ସେ
ଜଗତରେ ପୂଜ୍ୟା ସିନା।
ନାରୀ ସୁଖ ଶାନ୍ତି ସମୃଦ୍ଧି ପୀରତି
ବାଣ୍ଟି ଥାଏ ପରିବାରେ
ତାର ସ୍ବାର୍ଥ ତ୍ୟାଗ ବଳିଦାନ ଯୋଗୁଁ
ଖୁସି ଖେଳେ ଏ ସଂସାରେ।
ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।