କାମନାର ବିନାଶରେ ଦୁଃଖର ବିନାଶ
ସଂସାରରେ ମାୟା ବିସ୍ତାରିଛି କାୟା
ସୁନ୍ଦର ଦିଶେ ସଭିଙ୍କୁ
ପଡ଼ି ତା ପଛରେ ଜୀବନ କାଳରେ
ଇଚ୍ଛାକରେ ପାଇବାକୁ।
ଆଶାର ସେ ନଈ ବୈତରଣୀ ସେହି
ପାରିହେବା କଷ୍ଟକର
ପଶି ତା ଭିତରେ ପଡ଼ି ଭଉଁରୀରେ
କରଇ ଖାଲି ଚିତ୍କାର।
ଛଟପଟ ହୋଇ ଜୀବନ ତେଜଇ
ହୋଇ ଅତ୍ୟନ୍ତ ବିକଳ
ଉଦ୍ଧାରିବା ପାଇଁ କା କ୍ଷମତା ନାହିଁ
ଏକା ନିଜ ମନ ବଳ।
କାମନା ବାସନା ଭଉଁରୀଟି ସିନା
ସେଥିରେ ନପଡ଼ କେହି
କାମନା ବାସନା ହୋଇଗଲେ ଚୂନା
ଦୁଃଖ ଯିବଟି ଦୂରେଇ।
ଜୀବନ ତୁମର ହୋଇବ ସୁନ୍ଦର
ଏଥିରେ ସନ୍ଦେହ ନାହିଁ
ମନ ଏକା ମୂଳ ରହିଲେ ନିଶ୍ଚଳ
ବୈତରଣୀ ସ୍ଥିର ରହି।
ବେଗବନ୍ତ ସ୍ରୋତ ନୋହି ପ୍ରବାହିତ
ନମାଡ଼ିବ ଥଳ କୂଳ
ଉତ୍ତପ୍ତ ସେ ଜଳ ହୋଇବ ଶୀତଳ
ନହେବ ଆଉ ବିକଳ।
ଦୁଃଖ ଜୀବନର ସରିବ ତୁମର
ସୁଖରେ ରହିବ ବୁଡ଼ି
ଗତିପଥ ତୁମ ହୋଇବ ସୁଗମ
ନଯିବ ଝୁଣ୍ଟିକି ପଡ଼ି
ଭାସ୍କର ରାଉତ
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ