ସନ୍ତାପିତ ହୃଦୟ
କିଏ ଅବା ଜାଣେ, ବୋଧହୁଏ ମୁଁ ଜନ୍ମ ହେଇନଥିଲି??ବୋଉ କିନ୍ତୁ କହେ ସେହି ପୁରୁଣା ବରଗଛ କଥା।ଅଦ୍ୟାବଧି ମଧ୍ୟ ନିଜକୁ ଦୃଢ଼ କରି ଠିଆ ହୋଇଛି।କି ବର୍ଷା,ଶୀତ ଅବା ପ୍ରଚଣ୍ଡ ଖରାରେ ମଧ୍ୟ କେବେ କୌଣସି ପରିବର୍ତ୍ତନ ଦେଖାଯାଇନାହିଁ ।ସବୁବେଳେ ସବୁଜ ପତ୍ରରେ ଭରି ରହିଥାଏ।
ବଗିଚାଠୁ ଟିକେ ଦୂରେ ସେଇ ଗଛଟି।ମୁଁ ମୋ ସାଙ୍ଗ ମାନଙ୍କ ସହ ପ୍ରତିଦିନ ସ୍କୁଲରୁ ଆସି ସେଇଠି ଖେଳେ,କିନ୍ତୁ କେହି କେବେ ସେ ଗଛ ପାଖକୁ ଯାଆନ୍ତି ନାହିଁ।ସମସ୍ତେ କାଳେ କୁହନ୍ତି ସେଇଠି ଭୂତ ଅଛି।ସନ୍ଧ୍ୟା ହେବା ପୂର୍ବରୁ ସମସ୍ତେ ସେଇ ବଗିଚାରୁ ଫେରିଆସନ୍ତି।ଶୁଣିବାକୁ ମିଳେ ରାତି ହେଲେ ସେଇଠି ଭୂତ ବାହାରେ ଆଉ ଆଲୁଅ ଜଳାଏ।
ଥରେ ବୋଉକୁ ପଚାରିଲି,ବୋଉ ! ସେ ବରଗଛରେ ସତରେ କଣ ଭୂତ ଅଛି??ବୋଉ କହିଲା,ମୁଁ ଯେତେବେଳେ ଜନ୍ମ ହେଇନଥିଲି,ଆମ ପଡ଼ିଶା ଘର କମଳିନୀ ମାଉସୀଙ୍କ ପୁଅ ଦାମନନା ସେଇ ବରଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ।ଆଜି ବି କାଳେ ସେଇଠି ସେ ଅଛନ୍ତି।ରାତି ହେଲେ ସେଇଠି ମିଞ୍ଜି ମିଞ୍ଜି ଆଲୋକର ଶିଖା ଜଳେ,ଗାଁ ଲୋକ ଦେଖଛନ୍ତି ବୋଲି ଶୁଣିବାକୁ ମିଳେ।
ବୋଉ ମତେ ତାଗିଦ କଲା,ସେଇ ଗଛ ପାଖକୁ ଯେମିତି କେବେ ନଯାଉ।ହେଲେ ମୁଁ କଣ ମାନିବା ପିଲା,ଚଲା ଶଗଡ଼ରେ ସିନା ହାତ ମାରି ପାରିବିନି କିନ୍ତୁ ସତ୍ୟକୁ ଖୋଜି ବାହାର କରିବାର ଯେଉଁ ନିର୍ଭୀକପଣିଆ ଅଛି ତାକୁ କଣ ମୁଁ ଛାଡି ପାରିବ ?
ତହିଁ ଆରଦିନ ସ୍କୁଲରୁ ସିଧା ଘରକୁ ଆସି,ସାଙ୍ଗମାନଙ୍କ ସହ ବଗିଚାକୁ ଖେଳିବାକୁ ଗଲି।ସନ୍ଧ୍ୟା ହୋଇଆସିଲା ସମସ୍ତେ ଘରକୁ ଯିବାକୁ ବାହାରିଲେ।ମୁଁ କାହ୍ନୁ କୁ କହିଲି,”ଆରେ କାହ୍ନୁ ତୁ ତୋ ମୋର ସଖା;ଯେମିତି ସୁଦାମା ଓ କୃଷ୍ଣ।ତୁ ମୋ ସଙ୍ଗରେ ଆଜି ରାତି ଟା ଏଇଠି ରହ।” ସେ କହିଲା ସେ ସଖା ବନ୍ଧୁ ସବୁ ଦୂରରେ,ନିଜେ ବଞ୍ଚିଲେ ବାପାର ନାଁ।ମୁଁ ଚାଲିଲି କହି,ଧାଇଁ ପଳେଇଗଲା।ସେଇଟା ଡରୁଆଟା। ମୁଁ ବି କେଉଁ ସାହସୀ ପିଲାଟେ ଯେ,ହେଲେ ମୋର ଜିଦି ମୁଁ ଆଜି ଏଠି ବରଗଛ ପାଖେ ରହିବି।ସତ୍ୟତା ଖୋଜି ବାହାର କରିବି।
ଚାରିଆଡ଼ ଅନ୍ଧକାର ଘେରି ଗଲା।ମୋ ଦେହରେ ଗ୍ରୀଷ୍ମର ଗରମ ପବନ ବାଜୁଥିଲେ ମଧ୍ୟ ଶୀତରେ ମୁଁ ଥରି ଉଠିଲି।ମୁଁ ଅତ୍ୟନ୍ତ ଭୟଭୀତ ହୋଇ ଆଖି ବନ୍ଦ କରିଦେଲି।
ହଠାତ ପଛପଟୁ କେହିଜଣେ ବାଡିର ଠକ ଠକ ଶବ୍ଦ କରି ଆସିବା ପରି ଜଣାଗଲା।ଏକ ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅ ଧୀରେ ଧୀରେ ସ୍ପଷ୍ଟ ହେଲା।ଟିକେ ଆଖି ମଳି ଦେଖିଲି ସେଇ ଝାପ୍ସା ଆଲୁଅରେ ଏକ ବୁଢ଼ୀ ଲୋକଟିଏ। ହେଲେ ଏ କଣ??ଏ ତ୍ ଆମ କମଳିନୀ ମାଉସୀ।ସେ ଏଠି ଏତେ ରାତିରେ କାହିଁକି,କିଛି ବୁଝିପାରିଲି ନାହିଁ।ମନରେ ଅନେକ ପ୍ରଶ୍ନ ଜୁଆର।
ହଁ, ସବୁ ପ୍ରଶ୍ନର ଜବାବ ପାଇଁ ତ୍ ଆଜି ମୁଁ ଏଇଠି ଜଗି ବସିଛି।ହଠାତ୍ କମଳିନୀ ମାଉସୀ ଆଖିରେ ଅସରାଏ ଲୁହ ଯେମିତି କେଉଁଠି ଏକ କାଳ ବୈଶାଖୀ ସଙ୍ଗେ ସଙ୍ଗେ ଭିଜେଇ ଦେଇଗଲା ତା ଆଖି ଲୁହକୁ।କମଳିନୀ ମାଉସୀ କାନ୍ଦି କାନ୍ଦି କହୁଥାଏ,ରେ’ ଦାମା!! ମତେ କାଇଁ ଛାଡି ଚାଲିଗଲୁରେ’, କଣ ଟିକେ ରାଗି କରି କହିଦେଇଥିଲି ବୋଲି ମୋ ଉପରେ ଋଷିଛୁ ଯେ ଆଉ କଥା ହେଉନାହୁଁ।କି ମୋ ପାଖକୁ ଅସୁନାହୁଁ।
ମୋ ଆଖିକୁ ବିଶ୍ୱାସ ହେଲାନାହିଁ ହଠାତ ସେଇ ବରଗଛର ଡାଳ ବୋଧେ କମଳିନୀ ମାଉସୀର ଆଖି ଲୁହ ପୋଛି ଦେଲା ଓ ସେଇ ସଙ୍ଗେ ସଙ୍ଗେ କୁହୁଲା ପବନ ବହି ବହି ମାଉସୀ କହିଗଲା ମୁଁ ସବୁବେଳେ ଅଛି ଲୋ ମାଆ ତୋ ପାଖେ।
ସୁବ୍ରତ କୁମାର ବିଶ୍ବାଳ,
ବାଲେଶ୍ଵର