ତୁମକୁ ପାରୁନି ଭୁଲି
ଭୁଲ୍ ଗଲେ କରି ଭାବ ଅପସରି
ମମତା ମହଲ ଯାଏ ଦୋହଲି,
ମଧୁର ଭାବରେ ସାଧୁ ସ୍ୱଭାବରେ
ଜଣକୁ ଜଣେ କି ପାରିବ ଭୁଲି?
ଶତ୍ରୁ ମିତ୍ର କେହି କାହାର ତ ନାହିଁ
ଏକ ପରିବାର ସଂସାର ଏହି,
ବ୍ୟବହାର ଘେନି ଶତ୍ରୁ ମିତ୍ର ବେନି
ସୃଷ୍ଟି ହୁଏ ନର ଭାବନା ନେଇ,
ଶାନ୍ତି ମୈତ୍ରୀ ପ୍ରେମ ସେବା ସମର୍ପଣ
ଭାବକୁ ବିତର ଅନ୍ତର ଖୋଲି,
ଭୁଲ୍ ଗଲେ କରି ଭାବ ଅପସରି
ମମତା ମହଲ ଯାଏ ଦୋହଲି।
ମମତାର ଡୋର ଗୁନ୍ଥା ଏକ ହାର
ଏ ସାରା ସଂସାର ମାନବ କୁଳ,
କେକାହାକୁ ଛାଡ଼ି ହୋଇବ କି ଯୋଡ଼ି
ହେବ ଚଳାଚଳ ନର ସକଳ?
ଆଦରେ ଉଦାରେ ସ୍ନେହ ସରାଗରେ
ସଦ୍ଭାବେ ସମ୍ପର୍କ ଦିଏ ଯେ ଯୋଡ଼ି,
ଆପଣାର କେହି କେମିତି ମନାଇ
ଭେଦିବ ଭାବର ପସରା ବାଢ଼ି,
ତୁମରି ଭାବରେ ମମତାର ସୁରେ
ପ୍ରତିଧ୍ଵନି ହୃଦେ ପଡ଼େ ଉଚ୍ଛୁଳି!
ମଧୁର ଭାବରେ ସାଧୁ ବ୍ୟବହାରେ
ଜଣକୁ ଜଣେ କି ପାରିବ ଭୁଲି?
ତୁମେ ତ ସତ୍ୟର ନିତ୍ୟ ଅବତାର
ସାଥେ କର୍ମ ପଥେ କର ଜାଗ୍ରତ,
ଭୁଲିବି କେମିତି ତୁମ ରୀତି ନୀତି
ସାଧୁ ବ୍ୟବହାର ସତ୍ୟ ସଙ୍ଗତ।
ସୀମାଞ୍ଚଳ ପଣ୍ଡା
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ