ସେରେନା
ଏବେ ତୁମକୁ ହିଁ ଭାବୁଥିଲି ମୁଖେ ସ୍ମିତହସ ବାଢି
ପିଲିସଜ ଫୁଲ ଝାଉଁଳି , ପଡୁଥିଲା ଯେବେ ଝଡି
ତୁମେ କିମ୍ପା ମନେପଡ ନିଦ୍ରାବତ ଅସୁସ୍ଥ ବେଳାରେ
ଚରିତ୍ର ଟେ ସାଜ ପୁଣି ମୋ ଆଲୁରୁ ବାଲୁରୁ ଗପରେ।।
ତୁମେ’ତ କହିଥିଲ, କଇଁ ଯେବେ ଜହ୍ନକୁ ଖୋଜୁଥିବ
ଗାଁ କାଂଶବାଂଶ ପଠା କାଶ ଫୁଲ ସମ୍ଭାରେ ଭର୍ତ୍ତି ଥିବ
ସ୍ୱଚ୍ଛ ଶାରଦୀୟ ପାର୍ବଣଟେ, ପୃଥିବୀକୁ ଆସିଥିବ
ଦେହ ଗମ୍ଭୀରାରେ ଆଶାର ଆଲୋକ ଜାଳି ପହଞ୍ଚିବ ।।
ସଜେଇ ହୁଏ କାଂଶବାଂଶ ପଠା, କଇଁ ବି ଖୋଜେ ଜହ୍ନ
ତୁମେ ଆସ ନାହିଁ, ଚାରୁ ଚନ୍ଦ୍ରମୁଖୀ ଚନ୍ଦନା ବଦନ
ଭଲ ଲାଗେ ନାହିଁ, ଚୁଲିଚାଳ ମାଟିଝାଟି ନେସା ଘର
ତୁମ ବିହୁନେ ସାଥି ଏକା ମୋର, ରାସ୍ତାକଡ଼ ଜହର ।।
ପ୍ରେୟସୀ ଗୋ! କୁନ୍ଦରଦନା ଘନ କୃଷ୍ନକେଶୀ ସେରେନା
ସ୍ୱପ୍ନରେ ଆସି ଯାଚି ଚାଲିଯାଅ ତମାମ ଉଲୁଗୁଣା ।।
ମନୋଜ କୁମାର ପଣ୍ଡା
ପ୍ରତିଷ୍ଠାତା ସମ୍ପାଦକ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ