*ସଫଳତା* (କବିତା) ✍️
ଜୀବନର ପଥ ବହୁ ଦୁର୍ଗମ
ହୁଏନାହିଁ କେବେ ଏହା ସୁଗମ
ଗନ୍ତବ୍ଯ ସ୍ଥଳକୁ ଛୁଇଁବା ଲାଗି
ଅଚେତ ନିଦରୁ ଉଠିବା ଜାଗି ।।
ସାଧନାରେ ସଦା ହୋଇଣ ଲିପ୍ତ
ଆପଣା ଲକ୍ଷ୍ୟକୁ ରଖିବା ଗୁପ୍ତ
ଧୈର୍ଯ୍ୟ ଶକ୍ତି ଯାର ରହିଛି ପାଶେ
ସଫଳତା ନିଶ୍ଚେ ତାହାକୁ ଦିଶେ ।।
ବିଫଳତା ପ୍ରତି ନ ରଖି ଭୀତି
ଶିଖିବା ଏଥିରୁ ଜୀବନ ରୀତି
ଅଟଇ ଦୁନିଆଁ ସଂଘର୍ଷମୟ
ସଂଘର୍ଷ କରିଲେ ହୋଇବା ଜୟ ।।
ଦୃଢ ଇଛାଶକ୍ତି ରହିଲେ ମନେ
ନିଜର ଲକ୍ଷ୍ୟକୁ ପାଇବା ଦିନେ
ଈର୍ଷା ମନୋବୃତ୍ତି କରିବା ତ୍ଯାଗ
ମନେ ନ ରଖିବା କଦାପି ରାଗ ।।
ପିତା ମାତାଙ୍କର ଆଶିଷ ଘେନି
ତାଙ୍କ ପରି କେହି ନାହିଁରେ ଦାନୀ
ସୁ- ଚରିତ୍ରଟେ କଲେ ଗଠନ
ସଂସାରେ ମିଳଇ ଅନେକ ମାନ ।।
*ମୁକ୍ତିରାଣୀ ଦେବତା*
*ମନ୍ଦାରଖଣ୍ଡ, ଯାଜପୁର*