“ନୂଆଚୂଡା”
……….
ନୂଆଁଖାଇ ପରଠୁ ବଜାରକୁ ଆସୁଥିବା ନୂଆଚୂଡାକୁ ନେଇ ଢେର୍ ଉତ୍କଣ୍ଠା ଥାଏ ମନରେ।କେବେ ଚାଖିବ ଏ ପାଟି ଆଉ ମେଣ୍ଟିବ ତାର ଆଶା।ଥରୁଟିଏ ନ ଚାଖିଲା ଯାଏଁ ତାର ଆଗ୍ରହ ଭରେନି।ଯେମିତିକି ନୂଆ ଘର ନୂଆ ପଡୋଶୀ ନୂଆ ଫଳ ନୂଆ ବୋହୂ ନୂଆ ଜାମାକୁ ନେଇ ସମସ୍ତଙ୍କର ଆକର୍ଷଣ।ସାନମାନେ ଟିକେ ଅଧିକ ଉତ୍ସାହିତ ଥାଆନ୍ତି ନୂଆ ଜିନିଷ ଦେଖିଲେ।ଯେମିତି ଶୁଭଦିନ କି ପରବରେ ତାର ଗୁରୁତ୍ବ ଟିକେ ଅଧିକା।
ଆଗରୁ କେହିବି ଚୂଡା ଚକଟିକି ଦେଲେ ଜମାରୁ ଭଲ ଲାଗେନି ମୋତେ।ସେଥିରେ ଚିନି ଗୁଡ କାକୁଡି କଦଳୀ ସେଓ ଦହି କି ଛେନା ଯାହା ପଡିଥିଲେ ବି..।ସେଥିପାଇଁ ପ୍ରତିଥର ଦଶହରାରେ ନୂଆଲାଗି ଦିନ ମୋ ପାଇଁ ଅଲଗା ଶୁଖିଲା ଚୂଡା ରଖିଦିଏ ବୋଉ।ମୁଁ ନିଜେ ବତୁରେଇ ସଙ୍ଗେସଙ୍ଗେ ଚୋବେଇ ଚୋବେଇ ଖାଏ।ସେମିତିରେ ମୋତେ ମିଠା ଆଉ ଅଧିକ ମଜା ଲାଗିଥାଏ।
ନଈରୁ ଆଜି ଗୋଧୋଇ ଫେରିଲା ଭିତରେ ଦିନ ବାରଟା ହେଇଗଲା।ପ୍ରତିଦିନ ଠାରୁ ଦୁଇଘଣ୍ଟା ଅଧିକ।ହେଲେ ବୋଉ ଟିକେ ବି ଗାଳି କଲାନି।ଅନ୍ୟଦିନ ହୋଇଥିଲେ ଦି ପଦ ଶୁଣେଇଥାନ୍ତା ନିଶ୍ଚୟ ।ଦୁଇକୋସ ବାଟ ପାଦରେ ଚାଲିକରି ଆସିବାରୁ ଦରଗାଧୁଆ ପରି ଦିଶୁଥିଲା ଯେମିତି।ତରତରରେ ଟ୍ୟୁବଲରେ ଭଲକରି ଗୋଡହାତ ଧୋଇ ଘର ଭିତରକୁ ପଶୁପଶୁ ବୋଉ ରୋଷେଇ ଘରୁ କହିଲା”କଂସାରେ ଚୂଡାଲାଗି ରଖିଛି ଭାଇଭଉଣୀ ଦି ଜଣ ଖାଇଦିଅ।”
-କାଇଁ !କଣ ପଖାଳ ନାହିଁ କି ଯେ ଚୂଡା ଖାଇବୁ…?ମୁଁ ପ୍ୟାଣ୍ଟ ପିନ୍ଧିସାରି ପଚାରିଲି??
-ହଁ ଅଛି?ଯେତିକି ଭାତ ଅଛି ପରା ତମେ ଦି ଥର ଖାଇଲେ ବି ସରିବନି?ଦଶହରାରେ ଯୋଉ ନୂଆଚୂଡା ଲାଗିଭୋଗ ହୋଇଥିଲା ସେ ଚୂଡା…??
-କଣ ??କଞ୍ଚା ନାଁ ଚକଟା??
-ଚକଟା …?ପୋଶେ ଖଣ୍ତେ ଚୂଡା ହେବନି ଜଣେ ଖାଇଦେଲେ ପେଟକୁ ନିଅଣ୍ଟ ?ଖାଲି କଦଳୀ କାକୁଡି ଅଧିକା ମିଶେଇଛି ବୋଲି ନାଁ ?ନ ହେଲେ ପେଟକୁ ଲାଗିଲେ ନାହିକି ପାଇବନି। କିଣିକି ଆଣିଲା ବସି ଲୋଭ ଲାଗିବ ଆଉ ଖାଇଲା ବସିକି ସେତିକି…?ବୋଉ ମୁହଁକୁ ମୋଡିଦେଇ କହିଲା।
-ମୁଁ ଆଉ କିଛି ଅଧିକା କହିଲିନି।କାହିଁକି ନାଁ ଏଥର ଚୂଡାତକ ମୁଁ ନିଜେ ଆଣିଥିଲି ।ନୂଆ ନୂଆ ଟିକେ ଚଢା ଦର ତ…।ସେଇଥିପାଇଁ…
-ଚୁପ୍ ଚାପ୍ ସେ ଚକଟାରୁ ଟିକେ ଖାଇଛି ତ ଗୋଟେ ନିଆରା ସ୍ବାଦ ଲାଗିଲା।ବୋଉର ସ୍ନେହବୋଳା ପରଶ ସେଇଥିଲେ ମହକୁ ଥିଲା ଯେମିତି।ଯାହା ଆଗରୁ କେବେ ଚାଖି ନ ଥିଲା ଏ ପାଟି।ଚୂଡା କଦଳୀର ମଧୁରତା ଠାରୁ ଢେର୍ ଅଧିକ ଥିଲା ତାର ସ୍ବାଦ। ମୋର ପିଲାବେଳର କଥାଗୁଡାକ ଆଖି ଆଗରେ ଭାସି ଆସୁଥିଲା।
କଂସାରୁ ହାତରେ ମୁଠାଏ ନେଇ ବାରିପଟରେ ଖାଉଖାଉ ବୋଉ ପଚାରିଲା “ସାନ ଜମାରୁ ଖାଇନି ??ତା ପାଇଁ ଅଳ୍ପ ଚୂଡାରୁ ରଖିଛୁ ତ.?
-ଅଳ୍ପ କଣ ..ଆହୁରି ଅଧା ଭାଗ ରଖିଛି ।
ସେଇତକ ମୁଠାକ ଚୂଡାକୁ ହାତରେ ଧରି ମହଆନନ୍ଦରେ ଖାଉଥିଲି।ମୋତେ ଲାଗୁଥିଲା ମା’ ଦୁର୍ଗାଙ୍କର ଯେମିତି ଏ ପ୍ରସାଦ ଭିତରୁ ଗୋଟିଏ।ବୋଉର ମୁହଁ ମୋତେ ଦେବୀଙ୍କ ପରି ଦିଶୁଥିଲା ଅାଜି ।ମୋର ହାତ ଆପେ ଯୋଡି ହୋଇଗଲା ସେ ଆଡକୁ ଭକ୍ତିରେ।
ସରୋଜ କୁମାର ସାହୁ
ଆଠଗଡ଼ .କଟକ