ଉତ୍ତରଦାୟିତ୍ୱ
ସୁକୋମଳ ଶିଶୁ ଫୁଲଟିଏ ପରି
ଓଠରୁ ଝରାଏ ହସ
ମନ ମୋହିନିଏ ଦରୋଟି କଥାରେ
ଶିଶୁ ଅଟେ ଭବିଷ୍ୟତ ।
ପାଇଲେ ମମତା ଆଦର ସେନେହ
ଚନ୍ଦ୍ରକଳା ପରି ବଢି
ଶିଶୁଟି ହୁଅଇ କିଶୋର ଯୁବକ
କରେ ପୁଣି ବ°ଶବୃଦ୍ଧି ।
ପ୍ରେମ ସୁସମ୍ପର୍କ ବିବାହ ସମ୍ବନ୍ଧ
ସମାଜ କଲ୍ୟାଣ କାର୍ଯ୍ୟ
ଚାଲିଛି ସ°ସାରେ ମାନବୀୟ ଲୀଳା
ସୁକର୍ତ୍ତବ୍ୟ ଅନିର୍ବାର୍ଯ୍ୟ ।
ହେଉ ଗୃହ ଗ୍ରାମ ସହର ନଗର
ଅବା ରାଜ୍ୟ ଦେଶ ବିଶ୍ୱ
ବାଳବୃଦ୍ଧ ଯହିଁ ବଞ୍ଚନ୍ତି ସଯତ୍ନେ
ସମର୍ଥ ସ୍ଥାନ ଆଦର୍ଶ ।
ଜନମ ମରଣ ବାର୍ଦ୍ଧକ୍ୟ ଅଟଇ
ଜୀବନରେ ଧ୍ରୁବସତ୍ୟ
ପ୍ରତିଟି ମଣିଷ ଅବସ୍ଥା ଚକ୍ରକୁ
ଭୋଗଇ ନିଶ୍ଚେ ଅବଶ୍ୟ ।
ଲୋଡଇ ପ୍ରଯତ୍ନ ଅସହାୟ ଶିଶୁ
ପୀଡିତ ମୁମୁର୍ଷୁ ବୃଦ୍ଧ
ତାଙ୍କ ଅବହେଳା ଅଟେ ମହାପାପ
ସାମାଜିକ ଅପରାଧ ।
ଆତ୍ମସୁଖ ଅବା ଭୋଗ ଓ ବିଳାସ
ନୁହଁ ଜୀବନର ଲକ୍ଷ୍ୟ
ବଞ୍ଚି ପାରିବନି ମଣିଷ ଏ ଜାତି
ହୋଇ ଯନ୍ତ୍ର କ୍ରିତଦାସ ।
କରିଲେ ଅକର୍ମ ଅବିମୃଶ୍ୟ ଭାବେ
ହେବ ବିନାଶ କାରଣ
ନିର୍ବହୁ ମଣିଷ ଉତ୍ତର ଦାୟିତ୍ୱ
ହେଉ ସଦା ସଚେତନ ।
ଭରତବନ୍ଧୁ ବିଶ୍ୱାଳ
ଉପର ବରୁଆଁ ,କବୀରପୁର ,ଯାଜପୁର