ପ୍ଲାଟଫର୍ମ
ପ୍ଲାଟଫର୍ମରେ
ଏକା ଏକା ମୁଁ କାହିଁ
କେତେକାଳୁ ପ୍ରତୀକ୍ଷାରେ ଅଛି
ସୂଚନା ସତର୍କ ଦେଇ
ଗୋଟିଏ ପରେ ଗୋଟିଏ
ଟ୍ରେନ ଚାଲିଯାଉଛନ୍ତି ନିଜର
ଗନ୍ତବ୍ୟ ସ୍ଥଳକୁ
କାହାକୁ କିଛି ନ କହି ।
ଗତି ହିଁ ତ ପ୍ରଗତିର ଚିତ୍ର
ପ୍ରତି ମୁହୂର୍ତ୍ତରେ ଗତି ବଢୁଛି
ପ୍ରଗତି ମଧ୍ୟ ତା’ ପଥରେ
ଯଥେଷ୍ଟ ଆଗରେ
ପ୍ଲାଟଫର୍ମ ଅଛି ବୋଲି ତ
ଜୀବନର ବେଗ ବଢିଛି ।
ପ୍ଲାଟଫର୍ମ ପ୍ରତି
ମୋର ଦୁର୍ବଳତା
ଏବେ ନୁହେଁ
ହେତୁ ହେବା ଠାରୁ ମୋର
ଆକର୍ଷଣ ବଢିଛି ତା’ ପ୍ରତି
ପ୍ରାରବ୍ଧର ସଂପର୍କ ବୋଧହୁଏ ।
ଏକ ଗୋଧୂଳି ଲଗ୍ନ
ଅପରାହ୍ଣ ପାଞ୍ଚଟା ହେବ
ଷ୍ଟିମ୍ ଇଞ୍ଜିନର କଳାଧୁଆଁ ଛାଡି
ଆସନସୋଲ ଆସି ଠିଆ ହେଲା
ପୁରୀରୁ ଗୟା ଭାୟା ଆସନସୋଲ
ଆସିଲେ ସଂଧ୍ୟା ଦୀପ ଲାଗେ
ସଂଧ୍ୟାର ବାର୍ତ୍ତାବହ ବୋଲି
ମୋର ଧାରଣାଥିଲା
ଅନେକ ଦିନ ଯାଏ।
ତାର ଛୁକ୍ ଛୁକ୍ ଶବ୍ଦରେ
ମୁଁ ଚାଲିଲି ତା’ ସହ
ଚାଲିଲି ନି ତ ଉଡିବାକୁ ଲାଗିଲି
ପୁରୀ ଠୁଁ ଗୟା
କଳ୍ପବୃକ୍ଷ ଠୁଁ ପିପ୍ପଳ ବୃକ୍ଷ ଯାଏ
ବୁଦ୍ଧତ୍ବରୁ ନିର୍ବାଣ ପର୍ଯ୍ୟନ୍ତ ।
ପ୍ଲାଟଫର୍ମ
ମୋ ଜୀବନ ଚକ୍ରର
ବିଶ୍ରାମସ୍ଥଳୀ ଏକାନ୍ତ ଆପଣାର
ଠିଆ ହେବା ଠୁଁ ଚଳନଶୀଳ ଯାଏ
ପ୍ଲାଟଫର୍ମ ମୁକସାକ୍ଷୀ
ଚାଲିଛି ଚାଲିବାର କଳା ଶିଖାଇଛି।
ମନରେ ଡେଣା ଲଗାଇଛି
ନିରନ୍ତର ଉଡିବା , ଜୀବନକୁ ପରଖିବା
ଲକ୍ଷସ୍ଥଳରେ ପହଞ୍ଚିବାର
ପ୍ରେରଣା ହିଁ ପ୍ଲାଟଫର୍ମ ।
ପ୍ଲାଟଫର୍ମ ଅଛି ବୋଲି ତ
ଜୀବନ ଜୀଇବାର କଳାରେ
କାଳରେ କାଳୋତ୍ତୀର୍ଣ୍ଣ ସେ ।
ମୋ ପ୍ରେମର, ମୋ ପ୍ରତ୍ୟୟର
ଆତ୍ମ ପରିତୃପ୍ତିର
ଏକ ଦିବ୍ୟ ଭବ୍ୟ ଭୂମି
ପରିଚୟର ଅନ୍ୟ ନାମ ପ୍ଲାଟଫର୍ମ ।
ସଦସ୍ୟ,ଓଡିଶା ସାହିତ୍ୟ ଏକାଡେମୀ
ମାର୍କୋଣା, ବାଲେଶ୍ବର – ୭୫୬ ୧୨୬
ଭ୍ରାମ୍ୟଭାଷ – ୯୪୩୭୩୭୨୧୬୬
ରଚନା କାଳ – ମେ ୨୪,୨୦୨୨
ଅପରାହ୍ଣ – ୦୬.୪୨