ବେଇମାନ ମଣିଷ
କୃତଘ୍ନ ସମାନ ନୀତି , ଜ୍ଞାନ ହୀନ
ବେଇମାନ ଏ ମଣିଷ
ମନ୍ଦ ପ୍ରକୃତିର ଚିର ଗନ୍ତାଘର
ପରିବେଶ କରେ ବିଷ।।
ପିତାମାତାଙ୍କର ପ୍ରଦତ୍ତ ଧନରେ
ଶରୀର ବୃଦ୍ଧି କରଇ
ବୃଦ୍ଧ ଅବସ୍ଥାରେ ବେଇମାନୀ କରେ
ଜରାଶ୍ରମେ ଛାଡେ ନେଇ।।
ମିଛ ସତ କହି ମନ ନିଏ ମୋହି
କୋମଳ ବାଳିକା ମନ
ଧର୍ଷଣରେ ମଜ୍ଜି ଧର୍ମକୁ ବରଜି
ନଷ୍ଟ କରେ ତା ଜୀବନ।।
ନାରୀ ଅତ୍ୟାଚାର ,ଚୋରୀ, ବ୍ୟଭିଚାର
ଦିନୁଁ ଦିନ ଯାଏ ବଢି
ମିଛ ପାଖେ ସତ ବନ୍ଧା ପଡୁଅଛି
ଦୂରେ ଯାଏ , ହାତକଡି।।
କଳା କାରନାମା ନେତା ମନ୍ତ୍ରୀ ଜମା,
ପୋଲିସ ନୀରବ ଦ୍ରଷ୍ଟା
ନିଜ ବାହୁ ବଳେ ବଳୀୟାନ ହୋଇ
ଭୁଲି ଯାଏ ସୃଷ୍ଟି ,ସ୍ରଷ୍ଟା।।
ଭାଇ ସଙ୍ଗେ ଭାଇ ଲଢେଇ କରଇ,
ଭାଇ ଭାଗ ଲୁଟି ଖାଏ
ସୂଚ୍ୟଗ୍ରେ ମେଦିନୀ ପାଇଁ ,ଭାଇ ମାରେ
ବେଇମାନୀ ହୋଇ ଯାଏ।।
କାମିନୀ ,କାଞ୍ଚନ ଅସ୍ଥାୟୀ ଜୀବନ
ନିମିଷକେ ଯାଏ ଧୋଇ
ସୁକର୍ମ କରିଣ ସଂସାରେ ବଞ୍ଚିବ
ବେଇମାନ ହୁଅ ନାହିଁ।।
ନିଜ ବାହୁ ବଳେ କ୍ଷମତା ବିସ୍ତାରି
ଅପକର୍ମେ ନ ମାତିବ
ବେଇମାନୀ ସାଜି ପର ଜନମକୁ
ପାପ ଭାର ନ ବୋହିବ।।
ରାଉରକେଲା।।ସୁନ୍ଦରଗଡ।।