ପଦ୍ମଶ୍ରୀ ରଜତ କର
ଉତ୍କଳ ମାତାର ଯୋଗ୍ୟ ବରପୁତ୍ର
ଉଜ୍ଜ୍ବଳ ଜ୍ୟୋତିଷ୍କ ସମ
ସାରସ୍ଵତ ଜଗତେ ଯାଜୁଲ୍ୟମାନ
ପ୍ରଜ୍ଞା ପୁରୁଷ ମହାନ।
ଭଞ୍ଜ ସାହିତ୍ୟର ଶ୍ରେଷ୍ଠ ଗବେଷକ
ପ୍ରଚଣ୍ଡ ବାଗ୍ମୀ ବରେଣ୍ୟ
ଅଜସ୍ର ସାରସ୍ଵତ ସୃଜନୀ ସ୍ରଷ୍ଟା
ବ୍ୟାଖ୍ୟାକାର ସର୍ବମାନ୍ୟ।
କଟକ ଜିଲ୍ଲାର ମାହାଙ୍ଗା ସ୍ଥାନରେ
ପ୍ରତିଭାଧରଙ୍କ ଜନ୍ମ
ମାତା ଇନ୍ଦୁମତୀ ପିତା କୁଳମଣୀ
କୋଳକୁ କରିଲ ଧନ୍ୟ।
ମୃତପ୍ରାୟ ଓଡ଼ିଆ ପାଲା ସଂସ୍କୃତି
କରିଲ ପୁନଃ ଉଦ୍ଧାର
ରଥ ଯାତ୍ରାର ଧାରା ବିବରଣୀର
ପ୍ରବକ୍ତା ଓ ବ୍ୟାଖ୍ୟାକାର।
ଲୋକପ୍ରିୟ ପ୍ରାର୍ଥନା ଚ୍ୟାନେଲରେ
ବୈଦେହୀଶ ବିଳାସର
ହୃଦୟସ୍ପର୍ଶୀ ଗାୟନ ପ୍ରଦର୍ଶନ
ମୋହେ ସର୍ବଜନ ମନର।
ଜଗନ୍ନାଥ ସଂସ୍କୃତିର ଥିଲ ପ୍ରବକ୍ତା
ସର୍ବଜ୍ଞାତା ପାଲାକାର
ନାଟ୍ୟକାର ସୁବିଖ୍ଯାତ ଶିକ୍ଷାବିତ
ରଜତ କୁମାର କର।
ପଦ୍ମଶ୍ରୀ ଉପାଧି ଶ୍ରେଷ୍ଠ ପୁରସ୍କାର
କଳାକାର ପୂଜ୍ୟବର
କଳା ସାହିତ୍ୟ ସଂସ୍କୃତି ଓ ଧର୍ମର
ତୁମେ ଥିଲ ଦିବାକର।
ଜଗନ୍ନାଥଙ୍କର ଭକତ ପ୍ରବର
ଝୁରେ ଉତ୍କଳ ପ୍ରଦେଶ
ଶ୍ରଦ୍ଧା ସୁମନ ଘେନ ହେ ବରପୁତ୍ର
ନମଇ ପଦେ ଅଶେଷ।
ଡ.ପ୍ରିୟମ୍ବଦା ସାମଲ
ଭୁବନେଶ୍ଵର।