ମା ‘ ହିଙ୍ଗୁଳା ଙ୍କ ପ୍ରସିଦ୍ଧ ଯାତ୍ରା ଅବସରରେ “ମା ‘ ହିଙ୍ଗୁଳା ପୀଠ ଉନ୍ନୟନ ପରିଷଦ “ସୌଜନ୍ୟ ରୁ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା “ମା’ ହିଙ୍ଗୁଳା “ରେ ସ୍ଥାନ ପାଇଥିବା ମୋ କବିତା….
ଅଗ୍ନିମୟୀ ମା’ହିଙ୍ଗୁଳା
( “ଚୋଖି” ରାଗରେ ଲିଖିତ)
ଜଗତ ଜନନୀ ଭାବେ
ବିଖ୍ୟାତ ହେଲେ ଜଗତେ
ଲୋହିତ ବର୍ଣ୍ଣରେ ଦୃଶ୍ୟା ମା ‘ହିଙ୍ଗୁଳେଇ..
ଜଗତଙ୍କ ରକ୍ଷା ପାଇଁ
ବିଭିନ୍ନ ନାମକୁ ବହି
ଭକତଙ୍କ ମନୋବାଞ୍ଛା ପୂର୍ଣ୍ଣ କରଇ…
ନାମ ତାହାର ମା’ହିଙ୍ଗୁଳା
ପ୍ରତ୍ୟକ୍ଷ ଦର୍ଶନ ଦିଏ ସେ ଅଗ୍ନିଜ୍ୱାଳା..!
ଗୋପାଳପ୍ରସାଦେ ସ୍ଥିତ
ଅଗ୍ନି ରୂପେ ପ୍ରକଟିତ
ତାଳଚେର ଅଧିଷ୍ଠାତ୍ରୀ ଦେବୀ ଯେ ହୋଇ…
ଗଜପତି ଙ୍କ ଵିନତୀ
ରକ୍ଷାକରି ହିଙ୍ଗୁଳାକ୍ଷୀ
ପୁରୀ ଶ୍ରୀମନ୍ଦିରେ ସିଏ ରହିଲେ ଯାଇ…
ଜଗନ୍ନାଥ ତୋଷ ହୋଇଲେ
ରୋଷ ଘର ଦେବୀ ରୂପେ ସେ ପୂଜ୍ୟା ହେଲେ…!!
ଚୈତ୍ର ମାସ ଶୁକ୍ଳପକ୍ଷେ
ତ୍ରୟୋଦଶୀ ମଧ୍ୟ ରାତ୍ରେ
ଉଭା ହୁଅନ୍ତି ଜ୍ୱଳନ୍ତ ଅଗ୍ନି ରୂପରେ..
ସଙ୍କଟ ହାରିଣୀ ମାତ
ହିଙ୍ଗୁଳାଙ୍କ ମୁଖ୍ୟ ଯାତ
ଭକ୍ତଙ୍କ ଗହଳି ହୁଏ ଭବ୍ୟ ମନ୍ଦିରେ…
ତାଳଚେର ଆଜି ଗର୍ବିତ
ଅଗ୍ନିମୟୀ ଦେବୀ ରୂପେ ସେ ବିରାଜିତ…!!
ମହାମାୟୀ ଜ୍ୱାଳାମୁଖୀ
ଦୟାମୟୀ ହିଙ୍ଗୁଳାକ୍ଷୀ
ଆବିର୍ଭୂତା ଭକତଙ୍କ କଲ୍ୟାଣ ପାଇଁ..
କରୁଣାମୟୀ ଜନନୀ
ସଭିଙ୍କ ଦୁଃଖ ହାରିଣୀ
ଦିଅନ୍ତି ସେ ଆଶୀର୍ବାଦ ଦର୍ଶନ ଦେଇ..
ଧୂପଦୀପ ନଡ଼ିଆ ପାଇ
ଆଶିଷ ଢାଳନ୍ତି ମାତା ସନ୍ତୋଷ ହୋଇ…!!
କୃପାମୟୀ ମା’ ଗୋ ମୋର
ଅଧମକୁ ରକ୍ଷା କର
ତୋଷ ନ ରଖିଣ ମନେ କର ଉଦ୍ଧର..
ଆପଦେ ବିପଦେ ତୁହି
ସାହା ହେଉ ଶକ୍ତିମୟୀ
ତୋର ଦୟା ବଳେ ମା’ଗୋ ଚାଲେ ସଂସାର…
ତୋର କୃପା ଥିଲେ ମିଳଇ
ସୁଖ ସମୃଦ୍ଧି ଜୀବନ ଧନ୍ୟ ହୁଅଇ…!!
ଜୟ ମା ‘ ହିଙ୍ଗୁଳା
ଜ୍ୟୋତ୍ସ୍ନା ମଞ୍ଜରୀ ସାମନ୍ତ
ଅନୁଗୋଳ