ନେଇଯାରେ ମେଘ ମୋତେ
ସୀମାଞ୍ଚଳ ପଣ୍ଡା
ନେଇଯାରେ ଦୂରେ ପ୍ରିୟା ପାଶେ ଥରେ
ଘନ ମନେ ତୋର ଶରଧା ବହି,
ମନର ମୟୂରୀ ଉଠଇ ଶିହରୀ
ନିଅ ମୋତେ ମଧୁ ମହ୍ଲାର ଗାଇ।
ପ୍ରିୟା ମୋର ଏକା ବିରହୀ ରାଧିକା
ସମାନ ବିରହେ କାଟଇ ଦିନ,
ମୋ ବିନା ତା ମନ ସରସତା ହୀନ
ଶୁଖି ଯାଏ ମୁଖ ପଡ଼େ ମଳିନ,
ଦୂରେ ଥାଇ ମୁହିଁ ଦୁଃଖେ ହୁଏ ଦହି
ସୁଖ ହୁଏ ସାତ ସପନ ଯହିଁ,
ନେଇଯାରେ ଦୂରେ ପ୍ରିୟା ପାଶେ ଥରେ
ଘନ ମନେ ତୋର ଶରଧା ବହି।
ଏ ଶୁଭ ଲଗନେ ମନର ଗହନେ
ଉଙ୍କି ମାରେ ସ୍ମୃତି ତୋର ଦର୍ଶନେ,
ନିରସ ମନରେ ସରସତା ଭରେ
ଦୂରେ ଯାଇ ସୁଖୀ ହେବ ମିଳନେ।
ସ୍ୱଚ୍ଛ ପ୍ରେମ ରାଗ ସରଗ ସରାଗ
ପ୍ରକୃତି ସ୍ବୀକୃତି ଭାବ ପରଷେ,
ବିଶ୍ୱ ଜନ ମନ ଭାବେ ସମ୍ମୋହନ
ଶାଶ୍ୱତ ପ୍ରେମରେ ରସେ ପୌରୁଷେ,
ଏମିତି ସୁଯୋଗ ସର୍ବଦା ସମ୍ଭବ
ନୁହେଁ କି ସଂଯୋଗ ବାରତା ଦେଇ,
ମନର ମୟୂରୀ ଉଠଇ ଶିହରୀ
ନିଅ ମୋତେ ମଧୁ ମହ୍ଲାର ଗାଇ।
ନିଅ ମେଘ ମୋର ପ୍ରେମର ସଙ୍ଗୀତ
ପ୍ରିୟା ପାଶେ ତୋଷେ ଦିଅହେ ପେଶି,
ବିଚ୍ଛେଦ ବିଷାଦ ପ୍ରାଣେ ଅବସାଦ
ଆଣେ ପରସାଦେ ଉଠିବ ହସି।
ଶିକ୍ଷକ,ଡେଙ୍ଗାଡି,ଗଞ୍ଜାମ,