ଭାରି ଭଲ ଲାଗେ
ଗ୍ରୀଷମ କାଳରେ ଭାରି ଭଲ ଲାଗେ
ମିଳିଗଲେ ଦହି ପଖାଳ
ବଡ଼ିଚୁରା ସାଥେ ଶାଗ ଓ ପଖାଳ
ଖାଇବାକୁ ପ୍ରାଣ ବିକଳ।।
ବୈଶାଖ ଖରାରେ ଭାରି ଭଲ ଲାଗେ
ନଦୀ ପୋଖରୀରେ ସିନାନ
ଆମ୍ବ ପଣସ ର ମହ ମହ ବାସ
ପୁଲକିତ କରେ ପରାଣ।।
ଅସହ୍ୟ ଖରାରେ ଭାରି ଭଲ ଲାଗେ
ସାଥେ ଛତା ପାଣି ବୋତଲ
ବାଟ ଚାଲିବାକୁ ଭଲ ଲାଗିବ ଟି
ପାଦେ ପିନ୍ଧିଥିଲେ ଚପଲ।।
ଗ୍ରୀଷମେ ପଥିକ ଝୁରୁଥାଏ ସଦା
ସୁ ଶୀତଳ ଛାୟା ବୃକ୍ଷ ର
ଭାରି ଭଲ ଲାଗେ ଶୋଷ ମେଣ୍ଟିବାକୁ
ବାଟେ ଥିଲେ ଜଳ ଛତର।।
ଖରା ଝାଞ୍ଜି ବେଳେ ଆମ୍ବ ତୋଟା ମାଳେ
ଗାଁ ପିଲାଙ୍କର ଗହଳ
ଭାରି ଭଲ ଲାଗେ ସନ୍ଧ୍ୟା ସମୟରେ
ନଈ ପଠା ହୁଏ ଚହଳ।।
ଆଇସକ୍ରିମ, ଲସି, ସରବତ, ଏସି
ଫ୍ୟାନ୍, କୁଲର୍, ପବନ
ଭାରି ଭଲ ଲାଗେ ଥଣ୍ଡା ଫ୍ରିଜ୍ ପାଣି
ଦେହେ ବୋଳି ହେଲେ ଚନ୍ଦନ।।
ଗ୍ରୀଷମ ଖରାରେ ଜଳ ବାଷ୍ପ ହୋଇ
ମେଘ ସୃଷ୍ଟି ହୁଏ ଆକାଶେ
ଭାରି ଭଲ ଲାଗେ”ଜଳ ହିଁ ଜୀବନ’
ବରଷା ରେ ଯେବେ ବରଷେ।।
ସନ୍ଧ୍ୟାରାଣୀ ହୋତା
ଶିକ୍ଷୟିତ୍ରୀ, ଡାବୁଗାଁ, ନବରଙ୍ଗପୁର