➖➖କ୍ଷମତା➖➖
ମମତା ଶତପଥୀ
🖌️🖌️🖌️🖌️🖌️🖌️
କ୍ଷମତା ନିଶାରେ ମଦମତ୍ତେ ଯେହୁ
ଧରାକୁ କରଇ ସରା ଜ୍ଞାନ
ପାପ ଓ ପୁଣ୍ୟର ବିଚାର ନକରେ
ହୋଇଥାଏ ମତିଚ୍ଛନ୍ନ
ତା ପାପର ଘଡା ପୂର୍ଣ୍ଣ ହେବା ଯାଏ
ତୁଛା ପାପ କରିଯାଏ
ପାପପଙ୍କରେ ବୁଡିଯାଇ ସେହି
ବିଭୁ ସତ୍ତା ଭୁଲିଯାଏ
କ୍ଷମତାର ଅଳିନ୍ଦରେ ବିଚରଣେ
ମୋହଗ୍ରସ୍ତ ହୋଇଥାଏ
ଲୋଭରୁ ପାପ ପାପରୁ ମୃତ୍ୟୁ
ଏକଥାଟି ଭୁଲିଯାଏ
କ୍ଷମତାର ମହୁ ଲାଗେ ଭାରି ମିଠା
ଅନୁଭବୀ ଏକା ଜାଣେ
ଚାଖିଥାଏ ଯିଏ ତାହାର ସ୍ବାଦକୁ
ମନକୁ ତାହାର ଟାଣେ
‘ମହତେ ଯାହା ଆଚରିବେ ଇତରେ
ତାହାହିଁ କରିବେ’ ସତ
‘ରାଜା ଘେନି ପ୍ରଜା’ ପ୍ରଚଳିତ ଉକ୍ତି
ସତ୍ୟ ଅଟେ ଏହି ତଥ୍ୟ
କେତେଯେ କ୍ଷମତାଧାରୀ ଇହଲୀଳା
ସାଙ୍ଗ କରି ଚାଲିଯାଏ
କେହୁ କିସ ଭବୁ ନେଇଗଲା ଅବା
ନେଇଯିବ ଆଉ କିଏ ?
ପାଷାଣ୍ଡ ବର୍ବର କ୍ଷମତା ଲୋଭୀ ଯେ
ବ୍ୟଭିଚାରେ ହୁଏ ମଗ୍ନ
କ୍ଷମତା ହାସଲ କରିବା ପାଇଁ ସେ
ନୀତି ନିୟମ କରେ ଭଗ୍ନ
ନରହତ୍ୟା କରେ ଧର୍ଷଣ କରେ
ନାନାଦି କୁକର୍ମ କରେ
ଢାଲ ସାଜି ସେହି ପାମର ମାନଙ୍କ
ଅନୀତିର ଦୁର୍ଗ ଗଢେ
କ୍ଷମତାରେ ରହି କରେନାହିଁ ପାପ
ଏମିତି ମଣିଷ କାହିଁ ?
କ୍ଷମତାଧାରୀଏ ପୁଣ୍ୟକର୍ମା ହେଲେ
ଦୁଃଖ ଯାଆନ୍ତା ଦୂରେଇ
🖌️🖌️🖌️🖌️🖌️🖌️🖌️
ମମତା ଶତପଥୀ