ଲୁହ ର ଶ୍ରାବଣୀ
ଲୁହ ସାଗରକୁ ସାଇତି ରଖିଛି
ନିଭୃତେ ହୃଦ କନ୍ଦରେ
ଉଦାସେ ହଜିଲେ ଝରି ଝରି ଯାଏ
ଆଶ୍ଵାସି ଦିଅଇ ବାରେ।
ସୁଖର ଦୁଃଖର ସୀମା ରେଖା ପରେ
ଲୁହ ର ଝରଣା ଥାଏ
ଅନ୍ତର ତଳେ ରହିଥାଏ ଛପି
ଅତି ଆପଣାର ସିଏ।
ଲୁହ ର କୋହକୁ ସାଇତି ରଖିଛି
ମନର ଫରୂଆ ପରେ
ଆନମନା ଯେବେ ହୁଏ
ଆପେ ଆପେ ସିନା ଝରେ।
ଲୁହ ପରା ମୋର ମିତ ଟିଏ ଭଳି
ଛାଇ ପରି ରହିଥାଏ
ସ୍ମୃତି ର ସୁରଭି ସତେଜ ହୋଇଲେ
ନିମିଷକେ ବୋହି ଯାଏ।
ସ୍ନେହ ର ନିର୍ଝର ବାପାବୋଉ ମୋର
ଭାବିଦେଲେ ଲୁହ ଝରେ
ଜୀବନେ ଦୁର୍ଲଭ ସେହି ସ୍ନେହ ସୁଧା
ସାଇତି ରଖେ ଅନ୍ତରେ।
ଲୁହ କୁ କରିଛି ଆଖିର ଅଞ୍ଜନ
ମନ କଥା ବୁଝେ ସିଏ
ଝର ଝର ହୋଇ ଝରି ଗଲେ
ମନଟା ହାଲୁକା ହୁଏ।
କଳା ଶ୍ରୀମୁଖ କୁ ନିରେଖି ଦେଖିଲେ
ଲୁହ ର ଶ୍ରାବଣୀ ଝରେ
ଆପଣା ପଣର ଭାବକୁ ଲଗାଇ
ସତେ ଆଲିଙ୍ଗନ କରେ।
ଚିଠି ମୁଁ ଲେଖୁଛି ଲୁହ ରେ ଭିଜୁଛି
ନିତି ଲେଖି ନିତି ଚିରେ
କିଏ ଚିଠି ନେବ ହାତେ ଧରାଇବ
ବାପାବୋଉ ସ୍ୱର୍ଗ ପୁରେ।
ସନ୍ତାନର ସ୍ନେହ ଲୁହ ରେ ଭିଜାଏ
ପାଶେ ଥିଲେ ଖୁସି ଥାଏ
ଗଲେ ଦୂରେ ଦୂରେ ମନ ଖାଲି ଝୁରେ
ବୋଉ ଡାକ ଶୁଭିଯାଏ।
କେତେ ବା ଲେଖିବି ଲୁହ ର କାହାଣୀ
ପାଶେ ପାଶେ ଥାଏ ରହି
ଝରି ପଡୁଥାଏ ସତେ ବା ଶ୍ରାବଣୀ
ମନ କଥା କହି କହି।
***************************
ସୁସ୍ମିତା ଶତପଥି ( ଅଧ୍ୟାପିକା)
ଟ୍ରାଇଡେଣ୍ଡ୍ ଇଂ କଲେଜ