ସାହା ଏକା ଜଗନ୍ନାଥ
***************
ପ୍ରାୟ ଦଶ ବର୍ଷ ତଳର କଥା। ମୁଁ ସେତେବେଳେ ଗୋଟିଏ କମ୍ପାନୀର ଜୋନାଲ ସେଲସ ମ୍ୟାନେଜର ଥିଲି। ତିନି ଦିନର ଟୁର୍ ସାରି ସମ୍ବଲପୁର ରୁ କଟକ ଆସିବାକୁ ବସରେ ଆଡଭାନସ ବୁକିଂ କରି ଦେଇଥିଲି ସକାଳୁ। ମାତ୍ର ରାତି ଦଶଟାରେ ବସ୍ ଭିତରକୁ ଯାଇ ଦେଖେତ ମୋ ସିଟରେ ଆଉ ଜଣେ ବ୍ୟକ୍ତି ବସିଛନ୍ତି।
କଣ୍ଡକ୍ଟରକୁ ଯାଇ କହିଲି। ମୋର ଆଗ ସିଟ୍ ବଦଳରେ ସେ ମୋତେ ପ୍ରାୟ ବସର ମଝି ଆଡ଼କୁ ଥିବା ସିଟ୍ ର ନମ୍ବର କହିଲେ। ମୁଁ ଚିଡିଯାଇ ତାଙ୍କୁ ଦୁଇ ପଦ ଶୁଣାଇ ଦେଲି। ଯେଉଁ କାଉଣ୍ଟରରୁ ଟିକେଟ କାଟିଥିଲି ସେ ଜାଗା ଖାଲି ପଡିଥିଲା। ମୋ ପାଖରେ ଆଉ କିଛି ବିକଳ୍ପ ନ ଥିଲା।ବାଧ୍ୟ ହୋଇ ମୋତେ ଦେଇଥିବା ସିଟରେ ବସିଲି।
ସେତେବେଳକୁ ବସ୍ ଭିତରେ ଥିବା ଜଗନ୍ନାଥଙ୍କ ଫଟୋ ଚାରିପଟେ ରଙ୍ଗୀନ୍ ଆଲୋକ ମାଳା ମୋର ଦୃଷ୍ଟି ଆକର୍ଷଣ କଲା। ଟିକିଏ ଆଗରୁ ମୋ ହୃଦୟରେ ଜାଗ୍ରତ ହୋଇଥିବା ଉତ୍ୟକ୍ତ ଭାବ ଆସ୍ତେ ମଉଳି ଗଲା। ଯାତ୍ରା ଆରମ୍ଭ ପୂର୍ବରୁ ମୁଁ ସବୁଥର ପରି ଜଗନ୍ନାଥଙ୍କୁ ସ୍ମରଣ କଲି। କେତେବେଳେ ଯେ ଆଖି ମୁଦି ହୋଇ ଯାଇଛି ଜାଣି ପାରିଲି ନାହିଁ।
ହଠାତ୍ ଧଡାସ ଶବ୍ଦରେ ଚମକି ଉଠିଲି। ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଆମ ବସର ଧକ୍କା ହୋଇଥିଲା। ବସ୍ ଭିତରେ କିଟ୍ କିଟ୍ ଅନ୍ଧାର।ଆଖ ପାଖରୁ ଲୋକମାନେ ଆସି ଟର୍ଚ୍ଚ ଜଳେଇ ଆମକୁ ଭିତରୁ ବାହାର କରିବାରେ ସାହାଯ୍ୟ କଲେ। ଝରକା ଦେଇ ମୁଁ କୌଣସି ମତେ ବାହାରକୁ ଆସିଲି।ଟର୍ଚ୍ଚ ଆଲୁଅରେ ଦେଖିଲି ମୋ ସାର୍ଟ ରକ୍ତ ଜୁଡବୁଡ।ମୋ ଓଠ ଫାଟି ଯାଇଥିଲା। ବସ୍ ଆଡ଼କୁ ଚାହିଁଲି। ବସ୍ ଆଗ ପଟରେ ଡାହାଣ କଡ଼କୁ ମାଡ଼ ହୋଇଛି। ସେ ଜାଗା ଏକଦମ୍ ଭିତରକୁ ପଶି ଯାଇଛି। ସେତେବେଳକୁ ମୋର ମନେ ପଡିଲା ଯେ ଯେଉଁ ସିଟ୍ ପାଇଁ ମୁଁ ଅଶାନ୍ତି ହୋଇଥିଲି ସେହି ସିଟ୍ ପାଖରେ ହିଁ ସବୁଠୁ ଖରାପ ଅବସ୍ଥା ହୋଇଛି ବସ୍ ର। ମୁଁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲି।
ଅନ୍ୟ ଗୋଟିଏ ବସରେ ମୁଁ ରେଢ଼ାଖୋଲ ପାଖରେ ଓହ୍ଲାଇ ହସ୍ପିଟାଲ ଗଲି। ଚିହ୍ନା ଡାକ୍ତର ବି ଥିଲେ। ଓଠରେ ସ୍ଟିଚ୍ ପଡ଼ିଲା। ପରଦିନ ସକାଳେ ମୁଁ କଟକ ଫେରିଲି। * ଜୟ ଜଗନ୍ନାଥ *
# ସୁଦର୍ଶନ ମହାପାତ୍ର,କୁଞ୍ଜବିହାରୀ ଲେନ ,କଟକ
ଦୂରଭାଷ- ୯୪୩୮୧୭୫୫୪୨
ମୋ ଲେଖା ସ୍ଥାନିତ ହୋଇଥିବାରୁ SLF କୁ ମୋର କୃତଜ୍ଞତା ଜଣାଉଛି।
ଏ ଅନୁଭୂତିକୁ ସମସ୍ତଙ୍କ ସହିତ ବାଣ୍ଟିବାକୁ ସୂର୍ଯ୍ୟୋଦୟ ପରିବାର ସୁଯୋଗ ଦେଇ ଥିବାରୁ ମୁଁ ଖୁବ୍ ଖୁସି। ତୋ ବିନୁ ଅନ୍ୟ ଗତି ନାହିଁ ରେ କାଳିଆ। ତୋ ଲୀଳା ଅସୀମ।