🌺 ହେ ଜଗନ୍ନାଥ ତୁମେ କେଉଁଠି? 🌺
………………
ବାହାରେ ତୁହାକୁ ତୁହା ବର୍ଷା |ନିସ୍ତବ୍ଦ ରାତ୍ରିର ଅନ୍ତିମ ପ୍ରହର ରେ ତଡିତସମ ଭାଙ୍ଗିଗଲା ମୋର ନିଦ |ନିଦରେ ଆଖିବୁଲାଇ ଆଣିଲି ନିଜ ଉପରେ |ଗମ ଗମ ଝାଳ ରେ ଗୋଟାପଣେ ଓଦା ମୁଁ |ଅଧା ଖୋଲା ନିଦୁଆ ଆଖିକୁ ଧୀରେ ଧୀରେ ବନ୍ଦ କରି ପୁଣି ଥରେ ମନେପକେଇଲି ଗତରାତି ର ସ୍ୱପ୍ନକୁ |ଯେଉଁ ସ୍ୱପ୍ନ ରେ ଏତେ ବର୍ଷା ରେ ଓଦା ହେଇସାରିଥିଲି ମୁଁ ଝାଳରେ |ହଜିଗଲି ପୁଣି ସେଇ ସ୍ୱପ୍ନମାନଙ୍କ ଭିତରେ |ସ୍ବପ୍ନ ରେ ମୋ ଆଖିଆଗରେ ନାଚି ଯାଉଥାଏ ସେଇ ଜଗତର ନାଥ ଜଗନ୍ନାଥ ଙ୍କର ଦିବ୍ୟସୁନ୍ଦର ପ୍ରତିଛବି |ଆହାଃ !କି କମନୀୟ ରୂପ, କି ଅପୂର୍ଵ ଆହାଃ |ତା ବଡ଼ଦାଣ୍ଡ ର ଧୂଳିକୁ ଚନ୍ଦନ କରି ମୁଣ୍ଡରେ ମାରୁଥିବା, ତା ଅବଢ଼ାକୁ ଅମୃତ ଭାବି ସେବନ କରୁଥିବା ସ୍ୱାର୍ଥପର ଭକ୍ତ ଟିଏ ମୁଁ |ହେଲେ ସେଦିନ ତା ମନଲୋଭା ରୂପରେ ଭଳି ନଯାଇ ବହୁଦିନରୁ ଜମାଟ ବାନ୍ଧି ରହିଥିବା ନିଜ ମନର ଅଭିମାନ କୁ ପ୍ରଶ୍ନ କରି ପଚାରିଦେଇଥିଲି |ଜବାବ ମାଗିଥିଲି ଗୋଟି ଗୋଟି ସବୁ ପ୍ରଶ୍ନର |ଯେଉଁ ପ୍ରଶ୍ନ ମତେ ବିଚଳିତ କରିଦିଏ ପ୍ରତିଦିନ, ପ୍ରତିମୁହୂର୍ତ୍ତ ରେ |
ଶୁଣିଥିଲି ଯୁଗେ ଯୁଗେ ଭଗବାନ ଅବତାର ଗ୍ରହଣ କରି ଅନ୍ୟାୟ, ପାପ ନାଶନ କରି ଧର୍ମ ସଂସ୍ଥାପନା କରଥାନ୍ତି |ହେଲେ ବର୍ତମାନ ଆଖିସାମ୍ନାରେ ବଳାତ୍କାର ହେଉଛି ନିରୀହ ଝିଅ, ହତ୍ୟା କରାଯାଉଛି କନ୍ୟାଭୃଣ କୁ, ହତାଦର କରାଯାଉଛି ଜନ୍ମ କଲା ପିତାମାତା ଙ୍କୁ, ଯୌତୁକ ର ନିଆଁ ରେ ଦଗ୍ଧ ହେଉଛି ନବବଧୂ |ଏହି ସବୁ ଦେଖି ମୋ ଛଳ ଛଳ ଆଖି ଅଭିମାନ କରି ତମକୁ ପଚାରୁଛି ହେ ଜଗନ୍ନାଥ ହେ ଇଶ୍ୱର କେମିତି ସହୁଛ ଏତେ ଅଧର୍ମ କୁ, ସବୁ ଦେଖି ସବୁ ଜାଣି କଣ ପାଇଁ ତମେ ନିରବ ହେ ଇଶ୍ୱର |କେମିତି ସହୁଛ ଏସବୁ ହେ ଜଗନ୍ନାଥ |ଉତ୍ତର ଦିଅ ମୋର ଏହିସବୁ ପ୍ରଶ୍ନ ର —
“ଯଦା ଯଦା ହିଁ ଧର୍ମସ୍ୟ ର ବାଣୀ ହେଉ
ଅବା ହେଉ ସଂଭବାଃମି ଯୁଗେ ଯୁଗେର
ସର୍ବବ୍ୟାପି, ସର୍ବବିଦ୍ୟମାନ ର ଡିଣ୍ଡିମ ପିଟୁଛ ଅଜସ୍ର
ଆସ୍ତିକ ମୁଁ ପଚାରୁଛି ପ୍ରଶ୍ନଟିଏ ମୋ ସନ୍ଦେହର
ଉପଯୁକ୍ତ ପକ୍ଷ ରଖ ହେ ବୟସ୍କ, ଅବସରପ୍ରାପ୍ତ ଇଶ୍ୱର
ପ୍ରଶ୍ନ ମୋର ତୁମ ସତ୍ତା ଆଉ ତୁମ ପଦମର୍ଯ୍ୟାଦାର… @
ଦେଖିଛ କି ଥରେ ଅଳିଆଗଦା ର ଭାତ ଡାଲି ଲଗା ଅଇଁଠା ପତର
ଫୁଙ୍ଗୁଳା କଙ୍କାଳ ମାନେ ବି ହସି ହସି
ଗୋଟେଇ ଖାନ୍ତି ସେଇ ଅଇଁଠା ଆହାର
ପ୍ରଶ୍ନ ମୋର ସେଇ ହସ ଦେଖି ଫାଟିଯାଏନି କି ଛାତି ତୁମର
ନା ନା ତମର କଣ ଯାଏ
ଷାଠିଏ ପଉଟି ସାଥେ ତମର ତ ଅଛି ଆନନ୍ଦ ବଜାର
ତୁମେ କି ବୁଝିବ ସେଇ ଭୋକିଲା ର ଦୁଃଖ ପେଟ ଚାଖଣ୍ଡର…. @
ରତ୍ନସିଂହାସନ ଛାଡି କେବେ ଥରେ ବୁଲିଦେଖ
ତୁମ ସୃଷ୍ଟି ର ସଂସାର
ରାସ୍ତା କଡେ କନ୍ୟା ଭୃଣ କାନ୍ଦେ
ବଞ୍ଚିବାକୁ କରି ଆକୁଳ ଚିତ୍କାର
ଜବାବ ଦିଅ ଇଶ୍ୱର ମୋ ପ୍ରଶ୍ନ ର
ଝିଅ ବୋଲି କଣ ଫିଙ୍ଗାଯିବ, ମରାଯିବ ତା କୋମଳ ଶରୀର
ଏତେ ଶସ୍ତା ତା ଜୀବନ
ଏଇ କଣ ବିଚାର ତୁମର??…….. @
ବୁଲିଯାଅ ବୃଦ୍ଧାଶ୍ରମ ନେତ୍ର ଖୋଲି ଦେଖିଯାଅ ଥରେ
ପାଞ୍ଚ ପୁଅ ଜନ୍ମ ଦେଇ ବୁଢ଼ୀମା ଟି କାନ୍ଦି କାନ୍ଦି ମରେ
ଅନ୍ତ ଚିରି ଅମୃତ ରେ ପାଳିଥିଲା ଯିଏ
ବରଗଛ ପରି ଛାଇ ଦେଇଥିଲା ଯିଏ
ବଡବାବୁ ହେଲା ପରେ ପୁଅ ଜବାବ ଦଉଚି
ତୁମେ ବୁଢ଼ା ବୁଢ଼ୀ ଦୁହେଁ ଅଟ ମୋର କିଏ?
ପ୍ରଶ୍ନ ମୋର ହେ ଇଶ୍ୱର
ଇଏ କି ତରିକା ଭଲା ପିତୃମାତୃ ଋଣ ଶୁଝିବାର????….. @
ଗରିବର ପଖାଳରେ ଏଠି ଲୁଣ ନିଅଣ୍ଟିଆ
ନବବଧୂ ଦେହେ ଲାଗେ ଯୌତୁକ ର ନିଆଁ
ପୁତ୍ର ଶବ ପିତା କାନ୍ଧେ
ନିର୍ଦୋଷ କୁ ଧର୍ମ ବାନ୍ଧେ
ସ୍ପଷ୍ଟ ଦିବାଲୋକେ ହୁଏ ପାଞ୍ଚ ବର୍ଷ ଝିଅ ବଳାତ୍କାର
ହେ ଇଶ୍ୱର ତୁମକୁ ଶେଷ ପ୍ରଶ୍ନ ମୋର
ତୁମ ସତ୍ତା ଆଉ ଧର୍ମ ସଂସ୍ଥାପନାର
ସତରେ କଣ ଖମ୍ବ ଚିରି ନେଇଥିଲ ନରସିଂହ ଅବତାର??….. @
ନା ତୁମେ ବୟସ୍କ ନା ଗ୍ରହଣ କରିଛ ସ୍ୱେଚ୍ଛାକୃତ ଅବସର
ସବୁଜାଣି ସବୁଦେଖି ତୁମେ ନିରୁତ୍ତର
ଲିଭେଇଦିଅ ସେଇ ଯୌତୁକ ର ନିଆଁ କୁ
ପଙ୍ଗୁ କରିଦିଅ ବଳାତ୍କାରୀ ର ସବୁ ଅଙ୍ଗକୁ
ପିତା ଶବ କାନ୍ଧେଇବାକୁ ଯୋଗ୍ୟ କର ପ୍ରତି ପୁତ୍ରକୁ
ଛିଣ୍ଡେଇ ଦିଅ ସେଇ ପିଶାଚ ପିଶାଚୀ ଙ୍କର ହାତକୁ
ଯିଏ ଚେଷ୍ଟା କରନ୍ତି କନ୍ୟାଭୃଣ ହତ୍ୟା କରିବାକୁ
ସଦବୁଦ୍ଧି ଦିଅ ସେଇ କୃତଘ୍ନ ସନ୍ତାନ ମାନଙ୍କୁ
ଯିଏ ହତାଦର କରେ ନିଜ ଜନ୍ମଦାତା ପିତାମାତାଙ୍କୁ
ଖୁସିର ହସ ଦିଅ ସେଇ କ୍ଷୁଧାର୍ତ୍ତ ମାନଙ୍କୁ
ମର୍ଯ୍ୟାଦା ବଜାଇ ରଖ ତୁମ ପଦବୀ ଆଉ ସତ୍ତା କୁ
ପ୍ରେରଣ କର ବିନାଶୟ ଚ ଦୁଃସ୍କୃତାମ ର ଚିଠି
ଲୁହ ଭରା ଆଖି କୋହ ଭରା ଛାତିରେ
କେହି ଯେମିତି କେବେ ନ ଡାକୁ
ହେ ଇଶ୍ୱର ତୁମେ କେଉଁଠି??”
ଏମିତି ସବୁ ମୋ ଅଭିମାନକୁ ପ୍ରଶ୍ନରେ ପଚାରି ଉତ୍ତର ପାଇବା ପୂର୍ବରୁ ସେଦିନ ଭାଙ୍ଗିଯାଇଥିଲା ମୋ ନିଦ |ଶବରୀ ତା ପ୍ରଭୁ ରାମଚନ୍ଦ୍ର କୁ ଅପେକ୍ଷା କଲାପରି ମୁଁ ବି ଅପେକ୍ଷାରେ ଅପେକ୍ଷା କରିଛି ମୋ ଜଗା ର ଜବାବକୁ |ପାପୀ ମାନଙ୍କୁ ବିନାଶ କରି କେବେ ଧର୍ମସଂସ୍ଥାପନା କରିବେ, କଳି ଯୁଗର ସଂଜ୍ଞା ବଦଳେଇ ରାମରାଜ୍ୟ ପ୍ରତିଷ୍ଠା କରିବେ, ନଥିବ ଅନ୍ୟାୟ, ପାପ,ସେମିତି ସବୁ ସ୍ୱପ୍ନ ର ଅପେକ୍ଷା ରେ ମୁଁ |
💮 ପ୍ରଶାନ୍ତ କୁମାର ମହାନ୍ତି
କାକଟପୁର, ପୁରୀ
ଅଶେଷ ଧନ୍ୟବାଦ ମନୋଜ ଭାଇ…. ସାହିତ୍ୟ ପ୍ରତି ଅଂଗୀକାରବଦ୍ଧତା ଅତୁଟ ରହୁ…