” ବିଦ୍ୟାଳୟରେ ପିଲାଦିନର ଅନୁଭୂତି “
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମେଇଶ୍ରୀ ଗୁରବେ ନମଃ ll
ମୋର ଆଦ୍ୟଗୁରୁ, ସ୍ନେହମୟୀ ଜନନୀ ଯିଏ କି ମୋର ଜନ୍ମଦାତ୍ରୀ ମୋତେ ଯେବେଠୁଁ ଏହି ଗୁରୁବନ୍ଦନା ଟି ଶିଖାଇଛନ୍ତି, ସେବେଠୁ ମୁଁ କେଉଁ ଏକ ଅଜଣା ଆକର୍ଷଣଶକ୍ତି ଦ୍ୱାରା ଆକୃଷ୍ଟ ହୋଇଯାଏ ଗୁରୁଙ୍କ ପାଦପଦ୍ମ ଆଡକୁ l ଗୁରୁଙ୍କ ସେବା କରିବାକୁ ମୋର ପ୍ରବଳ ଇଛା ଏବଂ ଆଦେଶ ଅକ୍ଷରେ ଅକ୍ଷରେ ପାଳନ କରିବାକୁ, ମୁଁ ଯେମିତି ସଂକଳ୍ପ ବୋଧପରିକର l ମୋର ଘରଟି ବିଦ୍ୟାଳୟଠାରୁ ଅନତିଦୂରରେ, ତେଣୁ ବିଦ୍ୟାଳୟରେ ସର୍ବଦା ଆଗ ପହଂଚି ଗୁରୁଙ୍କ ସେବାରେ ନିୟୋଜିତ ହେଇଯାଏ l ଗୁରୁଙ୍କ ସହ ସବୁ ସମୟରେ ମିଶି ରହୁଥିଲେ ମଧ୍ୟ ମନରେ ଏକ ଭୟ ସଂଚାର ହୁଏ l ତାହା କେବଳ ପିଲାଦିନରେ ନୁହେଁ, ବର୍ତମାନ ସମୟରେ ମଧ୍ୟ ବିଦ୍ୟାଳୟ ସାମ୍ନାଦେଇ ଅତିକ୍ରମ କଲାବେଳେ ଏକ ଶିହରଣ ସୃଷ୍ଟି ହୁଏ l
ଆଦ୍ୟଗୁରୁ ମୋ “ମା”ଙ୍କୁ ଛାଡି ବିଦ୍ୟାଳୟରେ ପ୍ରବେଶ କଲା ପରଠୁ, ମୁଁ ପଣ୍ଡାସାରଙ୍କୁ ଆଦର୍ଶ ଗୁରୁ ବୋଲି ମାନିନେଇ, ତାଙ୍କରି ଆଦର୍ଶରେ ଅନୁପ୍ରାଣିତ l ମୋ ପଞ୍ଚମ ଶ୍ରେଣୀରେ ଘଟିଥିବା ଏକ ଘଟଣା ଯାହାକି ଆଜିଯାଏ ଲିଭିପାରୁନି ମୋର ମାନସପଟରୁ l ଏହି ଘଟଣାଟି ମୋ ପାଇଁ ଅଭୁଲା ସ୍ମୃତି ଓ ଭିନ୍ନ ଏକ ଅନୁଭୂତି l
ଗ୍ରୀଷ୍ମ ଋତୁର ଆଗମନର ଠିକ ପୂର୍ବବର୍ତ୍ତୀ ସମୟ, ତେଣୁ ଦିନ ବି ଆସ୍ତେ ଆସ୍ତେ ବଡ଼ ହେଉଥାଏ l ବିଦ୍ୟାଳୟ ଛୁଟି ହେବାର ସମୟ “ଚାରି ଘଟିକା” ହୋଇଥିଲେ ମଧ୍ୟ, ତପନଙ୍କ ତିର୍ଯ୍ୟକ କିରଣ ବିଦ୍ୟାଳୟର ବାରଣ୍ଡାକୁ ଆଲୋକିତ କରିଦେଉଥାଏ l ସବୁଦିନ ଭଳି ପଣ୍ଡା ସାର ମୋତେ ଆଦେଶ ଦେଲେ ସବୁ ଚାବି ଗୁଡିକୁ ଭଲ ଭାବେ ଲଗାଇଦେବାକୁ l ସାର ମଧ୍ୟ ତରତର ହୋଇ ବାହାରୁ ଥାନ୍ତି ଅଫିସ ରୁମରୁ, ମୁଁ ଲଗାଇ ଥିବା ଚାବିଗୁଡିକୁ ଭଲ ଭାବେ ତଦାରଖ କରି ଘରକୁ ଫେରିବେ l ଠିକ ଏତିକିବେଳେ ଗେଟ ସାମ୍ନାରୁ ଭୀମସେନଙ୍କ ସିଂହନାଦ ରଡି ଭଳି ଚିତ୍କାର କରି, ଅପଶବ୍ଦ ପ୍ରୟୋଗକରି ମାଡି ଆସିଲେ ବ୍ୟକ୍ତି ଜଣକ l ସାଙ୍ଗରେ ନେଇ ଆସିଥାନ୍ତି ବିଦ୍ୟାଳୟର ସେକ୍ରେଟାରୀଙ୍କୁ ଓ ଗାଁ ସରପଞ୍ଚଙ୍କୁ l ସାର ଆଉ ମୁଁ ଅବାକ ହୋଇ ଚାହିଁ ରହିଥାଉ l କିଛି ବୁଝି ପାରୁନଥିଲେ କଣ ସବୁ ଘଟିଯାଇଛି ?
ସରପଞ୍ଚ ଓ ସେକ୍ରେଟାରୀ ମହୋଦୟ ଲୋକଟିକୁ ଶାନ୍ତ କରି ଅଫିସରେ ବସାଇଲେ ଏବଂ ସାର ମଧ୍ୟ ବସିଲେ l କିଛି ସମୟ ଆଲୋଚନା ପରେ ଜାଣି ପାରିଲି ଯେ, ପିଙ୍କୁର ବାପା ଆସିଛନ୍ତି l ସାର କୁଆଡେ ପିଙ୍କୁକୁ ମାଡ ମରି ତାର ଚମଡା ଫଟେଇ ଦେଇଛନ୍ତି l ମାତ୍ର ସାର ଏଥିରେ ଏକମତ ନୁହନ୍ତି l ମୋତେ ପିଙ୍କୁକୁ ଡକେଇ ଆଣିବାକୁ ଆଦେଶ ଦିଆଗଲା l ପିଙ୍କୁ ସଂଗେ ସଂଗେ ଆସି ଉପସ୍ଥିତ ହେଲା l ଦେଖେ ତ ସତକୁ ସତ ପିଙ୍କୁର ଜଙ୍ଘଟା ଫାଟି ଆଁ ହେଇଯାଇଛି ଓ ରକ୍ତ ବହୁଛି l ସାର ହଟାତ ଦେଖି ବିଦ୍ୟାଳୟରେ ଥିବା ପ୍ରାଥମିକ ଚିକିତ୍ସାବାକ୍ସକୁ ଆଣି ଔଷଧ ବାହାର କରି ପ୍ରାଥମିକ ଚିକିତ୍ସା କଲେ l ପିଙ୍କୁର ବାପା ଚିତ୍କାର କରୁଥାନ୍ତି ଏବଂ ଧମକ ଦେଉଥାନ୍ତି ଯେ ସେ ପଣ୍ଡାସାରଙ୍କ ନାଆଁରେ କେସ କରିବେ l ଅନେକ ସମୟ ଯୁକ୍ତି ତର୍କ ପରେ ସିଦ୍ଧାନ୍ତ ନିଆଗଲା ଯେ ସାର ପିଙ୍କୁର ବାପାଙ୍କୁ ଯଦି ଦଶ ହଜାର ଟଙ୍କା ଦିଅନ୍ତି ତେବେ ସେ ଆଉ କେସ କରିବେ ନାହିଁ l ମୁଁ ବାରଣ୍ଡାରେ ଛିଡା ହୋଇ ସବୁ ଶୁଣୁଥାଏ l ମୁଁ ଜାଣେ ସାର ନିର୍ଦୋଷ, ସାର ଆଜି ପିଙ୍କୁକୁ ଥରେ ବି ମାଡ ମାରିନାହାନ୍ତି l ହେଲେ ମୁଁ ନାଚାର, ବାରଣ୍ଡାରେ ଛିଡା ହୋଇ କାନ୍ଦୁଥାଏ l ମାତ୍ର ସାହସ କରି ବଡ଼ ମାନଙ୍କ ସାମ୍ନାରେ ଉତ୍ତର ଦେଇ ପାରୁନଥାଏ l ତାହା ଛଡା ପିଙ୍କୁ ବାପାଙ୍କ ବାଘଭଳି ଚିତ୍କାର ମୋତେ ବେଶି ଭୟଭିତ କରୁଥାଏ l ସାର ଦଶ ହଜାର ଟଙ୍କା ଦେବାକୁ ରାଜି ହେଲେ ସତ ମାତ୍ର ସେ ନିର୍ଦୋଷ l
ସାରଙ୍କ ଦୁଇ ନେତ୍ରରୁ ଝରିଯାଉଥାଏ ଧାରଧାର ଲୋତକ l କଣ ସେ କରିଥାନ୍ତେ ରାଜି କେମିତି ହେଇନଥାନ୍ତେ l ଯଦି ଟଙ୍କା ଦେବାକୁ ରାଜି ନହୁଅନ୍ତି ତେବେ ତାଙ୍କର ମାନ, ସମ୍ମାନ, ଇଜ୍ଜତ ସବୁ ମାଟିରେ ମିଶିଯିବ ତା ସହ ଚାକିରୀ ବି ଯିବ l ବିଚାର ଶେଷ ହେବା ପରେ ସାର ମୋଠାରୁ ଚାବି ପେନ୍ଥାଟି ନେଇ ମୋତେ ଘରକୁ ଆସିବାକୁ କହିଲେ l ଆମ ପଞ୍ଚମ ଶ୍ରେଣୀ ଶେଷ ହେବାକୁ ଅଳ୍ପ ଦିନ ଥିଲା ତେଣୁ ସମସ୍ତେ ପରୀକ୍ଷା ଦେଇ ଉତୀର୍ଣ୍ଣ ହେଲୁ ଏବଂ ଉଚ୍ଚ ଶିକ୍ଷା ପାଇଁ ଅନ୍ୟ ବିଦ୍ୟାଳୟକୁ ଚାଲିଗଲୁ l ପିଙ୍କୁ ଓ ତା ବାପା ଏହି କର୍ମରେ କଣ ଲକ୍ଷ୍ୟ ଯେ ସାଧନ କଲେ ତାହା ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରେନି l ମାତ୍ର ବଡ଼ ହେବା ପରେ ଜାଣିବାକୁ ପାଇଛି ପଞ୍ଚମ ଶ୍ରେଣୀ ପରେ ଆଉ ଉଚ୍ଚଶିକ୍ଷା ଗ୍ରହଣ କରିପାରିନି ପିଙ୍କୁ l କେମିତି ବା ପଢି ପାରନ୍ତା ସାରଙ୍କ ସେହି ଦିଟୋପା ଲୁହ ପିଙ୍କୁ ଭାଗ୍ୟରେ ଅଭିଶାପ ଫଳ ଭଳି ଫଳିଯାଇଛି l
ଏହି ଘଟଣା ପରଠୁ ଏବେ ମଧ୍ୟ ସାର ଦେଖା ହେଲେ ପ୍ରାଣମ ଜଣାଇ ସ୍ପର୍ଶ କରେ ସାରଙ୍କ ପାଦପଦ୍ମ, ଅତି ସଂକୋଚରେ ଏବଂ ସେ ଦିନର ମୁକସାକ୍ଷୀ ପାଇଁ ନିଜକୁ ଧିକାରୀ ଦିଏ l ସାରଙ୍କ ସହ ଆଖି ମିଶାଇ ଶବ୍ଦରେ କ୍ଷମା ମାଗିବାକୁ ସାହସ କରିପାରେନି l ତଥାପି ଅନ୍ତରରୁ ଭକ୍ତପୁତ ଭାବେ କ୍ଷମା ମାଗିଥାଏ, ଆଶାକରେ ସେ ମୋତେ କ୍ଷମା କରିଦେବେ, ମୋ ଅନ୍ତର ଆତ୍ମାର ଭାବ ବୁଝି ପାରିବେ । କାରଣ ମୁଁ ସର୍ବଦା ଗୁରୁଙ୍କୁ ଏହା ଭାବିଛି ଯେ –
ତ୍ବମେବ ମାତା ଚ ପିତା ତ୍ବମେବ
ତ୍ବମେବ ବନ୍ଧୁଶ୍ଚ ସଖା ତ୍ୱମେବ
ତ୍ବମେବ ବିଦ୍ୟା ଦ୍ରବିନଂ ତ୍ବମେବ
ତ୍ୱମେବ ସର୍ଵମ ମମ ଦେବ ଦେବ ll
ମାନସ ରଞ୍ଜନ ଯେନା
ନିମା, ବାଲେଶ୍ୱର
ଫୋନ – 6370518900
ମନୋଜ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ତାଙ୍କ ପାଇଁ ମୋ ମନରେ ଥିବା ଅକୁହା କଥା କୁ ଗଳ୍ପ ମାଧ୍ୟମରେ ପ୍ରକାଶ କରିଦେଲି l