ଅନୁଭୁତି ରେ ମୋ ବିଦ୍ୟାଳୟ ଓ ପିଲାଦିନ

ମୋଡି ହୁଅନ୍ତା କି ସମୟର ଚକ
ପଛକୁ ଦିଅନ୍ତି ମୋଡି
ହଜିଯାଇଥିବା ସେହି ପିଲାଦିନେ
ଯାଆନ୍ତି ଥରେ ମୁଁ ଉଡି।

ଜୀବନ ଯାତ୍ରା ର ଏତେ ଆଗକୁ ଆସିଲା ପରେ ଆଜି ମୁଁ ଅନୁଭବ କରି ପାରୁଛି ଯେ ଜୀବନ ରେ ସବୁଠାରୁ ମହତ୍ବପୂର୍ଣ୍ଣ ଓ ଖୁସି ଦେଉଥିବା ସମୟ ହେଉଛି ପିଲାଦିନ। ସେ ସ୍କୁଲ ଜୀବନ। ହୁଏତ ସେତେବେଳେ ଆମକୁ ବିରକ୍ତ ଲାଗୁଥାଇପାରେ କିନ୍ତୁ ଏବେ ତାହା ଆମର ସ୍ମୁତି ପୁସ୍ତକ ରେ ସ୍ବର୍ଣ୍ଣୀମ ପ୍ରୁଷ୍ଠା ପାଲଟି ଯାଇଛି।
ଆଜିର ଓ ଆମ ବିଦ୍ୟାଳୟ ଜୀବନ ରେ ବହୁତ ପାର୍ଥକ୍ଯ ମୁଁ ଦେଖି ପାରୁଛି। ସେହି ଟିଣ ବାକ୍ସରେ ବହିପତ୍ର ନେବା । ବେଞ୍ଚ ଟେବୁଲ ତ ନ ଥିଲା, ବସିବା ପାଇଁ ନିଜର ଛୋଟ ପଟି/ସପ ଟେ ନେବା। ମାଁ ର ନେଲ ପୋଲିସ ସିସି ରେ ସିଲଟ ଲିଭେଇବା ପାଇଁ ପାଣି ଓ ଭାଇର ଅଳ୍ପ ଚିରା ସାଇକଲ ସିଟ୍ ରୁ ସ୍ପଞ୍ଜ କାଢୁଥିଲି। କମ୍ପାସ ବକ୍ସ ରେ ସବୁବେଳେ ଗୋଟେ ଧୂପକାଠି ନହେଲେ ତାର ପ୍ୟାକେଟ୍ କୁ ଛୋଟ କରି ଚିରି ରଖୁଥିଲି, କଣ ମଜା ଲାଗୁଥିଲା କେଜାଣି।
ମୋ ପିଲାଦିନ ଦୁଖ ପୁର୍ଣ୍ଣ ଓ ଯନ୍ତ୍ରଣା ଦାୟକ ବି ଥିଲା। ମୁଁ ଚତୁର୍ଥ ଶ୍ରେଣୀ ପଡୁଥାଏ ଓ ବାପା ଆରପାରିକୁ ଚାଲିଗଲେ। ତା ପରେ ଆମେ ବାପା ଙ୍କ ଚାକିରି ଜାଗା ଛାଡି ଗାଁକୁ ଚାଲିଗଲୁ।ସେ ଗାଁର ୟୁ:ପି ସ୍କୁଲ ରେ ମୋର ନାମ ଲେଖାଗଲା। ସ୍କୁଲ ଜୀବନ ର ଏହି ୟୁ: ପି ସ୍କୁଲ ସମୟଟା ମତେ ଭଲ ଲାଗେ। ମୁଁ ଭଲ ପଢୁଥିଲି ଓ ଗୀତ ବି ଗାଉଥିଲି , ସେଥିପାଇଁ ହଉ କି ବାପା ନ ଥିଲେ ବୋଲି କେଜାଣି ସବୁ ଗୁରୁଜୀ ମାନେ ମୋତେ ଟିକେ ଅଧିକ ସ୍ନେହ କରୁଥିଲେ। ସାଙ୍ଗସାଥୀ ଗହଣ ରେ ମଧ୍ଯ ଟିକେ ଅଲଗା ଖାତିର୍ ଥିଲା। ଲିଡର ଭଳିଆ। ସେଇଟା ମତେ ଭାରି ମଜା ଲାଗୁଥିଲା।
ଆମ ଗାଁ ସ୍କୁଲ ର ପାଚେରୀ ଟା ଟିକିଏ ଛୋଟ ଥିଲା। ଆମେ ସାଙ୍ଗ ମାନେ ସ୍କୁଲ ଛୁଟି ପରେ ସେ ବାଡା ଡେଇଁ ସ୍କୁଲ ଭିତରକୁ ଖେଳିବା ପାଇଁ ଯାଉଥିଲୁ। କେତେଟା ଶ୍ରେଣୀ କକ୍ଷରେ ଝରକା ମଧ୍ଯ ନ ଥିଲା। ତ ଆମେ ମାନେ ଲୁକାଛୁପି ଓ ଆହୁରି କେତେ ଖେଳ ଖେଳୁଥିଲୁ । ଥରେ ବେଞ୍ଚ, ଟେବୁଲ ବି ଭାଙ୍ଗି ଦେଇଥିଲୁ। ଆରଦିନ ମିଶ୍ର ସାର୍ ଙ୍କ ଗାଳି ଓ ମାଡ ବି ଖାଇଥିଲୁ। ପ୍ରାର୍ଥନା ସଭାରେ ଜାଣି ଶୁଣି ଟିକିଏ ବିଲମ୍ବ ରେ ଯାଉଥିଲି ଥରେ ଥରେ। କାରଣ ମୁଁ ପ୍ରାର୍ଥନା ଗୀତ ଗାଉଥିଲି ଓ ଅନ୍ୟ ମାନେ ମୋର ବୋଲ ଧରୁଥିଲେ। ତ ମୁଁ ନ ଯିବା ଯାଏଁ ସମସ୍ତେ ମତେ ଅପେକ୍ଷା କରିଥିବେ। ସେଥିରେ କଣ ମଜା ଲାଗୁଥିଲା ମୋତେ କେଜାଣି ପ୍ରଧାନ ସାର୍ ବହୁତ ଥର କହିଲା ପରେ ବି ମୁଁ ସେମିତି କରୁଥିଲି । ଵେଶୀ ମଜା ଲାଗୁଥିଲା ଅଗଷ୍ଟ ପନ୍ଦର ଓ ଜାନୁୟାରୀ ଛବିସ ରେ ଯୋଉ ପ୍ରଭାତ ଫେରି କରୁଥିଲୁ। ଭୋର ୪ , ୩୦ ରୁ ଉଠି ରଘୁପତି ରାଘବ ଗାଇ ଗାଇ ସବୁ ଛୁଆ ଧାଡି ବାନ୍ଧି ଗାଁ ସାରା ବୁଲୁଥିଲୁ। ଓ ପୁଣି ସ୍କୁଲ କୁ ଫେରି ପତାକା ଉତ୍ତୋଳନ ଏବଂ ସେ ବୁନ୍ଦି ଖିଆ। ଆଜିବି ମନେ ଅଛି। କେତେ ମଜା ଲାଗୁଥିଲା ସତେ। ସ୍କୁଲ ଗଲାବେଳେ ରାସ୍ତା ରେ ଶଗଡ ଗାଡି ଟେ ଯାଉଥିଲେ ପଛରୁ ଦୌଡ଼ି ଦୌଡ଼ି ଯାଇ ଡିଆଁ ମାରି ଶଗଡ ପଛପଟେ ବସିବାର ମଜାଟା ସବୁଠାରୁ ନିଆରା। ଆଜି ନିଜ କାର୍ ରେ ବସି ଯେତେଦୂର ବୁଲିଲେ ବି ସେ ମଜା ମିଳୁନି। ସାଙ୍ଗ ମାନେ ମୋ ପାଇଁ କେତେ କଞ୍ଚା ଆମ୍ବ, ବରକୋଳି ଓ ଜାମ୍ବୁକୋଳି ଆଣୁଥିଲେ, ବଦଳ ରେ ମତେ ସେମାନଙ୍କୁ ମୋର ଉତ୍ତର ଖାତା ଦେଖାଇବାର ଥିଲା। ମୁଁ ସେ ଫଳ ଲୋଭରେ ଖୁସି ରେ ମୋର ଖାତା ଦଉଥିଲି ସେମାନଙ୍କୁ।
ଆର୍ଥିକ ପରିସ୍ଥିତି ଯୋଗୁଁ ମୁଁ , ସବୁ ବହି କିଣୁ ନ ଥିଲି। ଆମ ପଡିଶା ଘରର ପିଲା ର ବହି ମାଗି ପଢୁଥିଲି। ପିଲାମାନେ ପରିକ୍ଷା ରେ ଭଲ କରିବେ ବୋଲି ପ୍ରଧାନ ସାର୍ ସକାଳ ସ୍କୁଲ ପରେ ଦିପହରେ ପୁଣି ସ୍କୁଲ ଭିତରେ ଟିଉସନ ବା ଏକ୍ସଟ୍ରା କ୍ଲାସ କରୁଥିଲେ। ସେତେବେଳେ ଗୁରୁଜୀ ମାନେ ମଧ୍ଯ ନିଜର ପିଲା ଓ ବିଦ୍ୟାଳୟ ପ୍ରତି କେତେ ନିସ୍ବାର୍ଥପର ଭାବନା ରଖୁଥିଲେ।
ଆହୁରି ଅନେକ କିଛି ଆଜି ସ୍ମୁତି ର ଗନ୍ତାଘରେ ସାଇତି ହୋଇ ରହିଯାଇଛି।
ଯେମିତି କି କ୍ଲାସ ଭିତରେ , ପ୍ରାର୍ଥନା ସଭାରେ କି ଖେଳ ପଡିଆରେ ଅଳ୍ପ ଦୂରରୁ ମୋ ଆଡକୁ ଚାହିଁ ରହିଥିବା ସେ ଦୁଇଟି ଆଖି। କଣ ଦେଖୁଥିଲା ସେ କେଜାଣି। ଅନ୍ୟ ମନସ୍କତା ଲାଗି କେତେଥର କ୍ଲାସ ରେ ଗାଳି ବି ଶୁଣିଛି ସାର୍ ଙ୍କର। ମୋର ସପ୍ତମ ପରେ ମୋ ଭାଇ ଙ୍କ ର ଚାକିରି ହେଇଗଲା ଆମ ଗାଁ ପାଖ ଛୋଟ ସହରରେ। ପଢାପଢି ସୁବିଧା ଲାଗି ଆମେ ପୁଣି ଗାଁ ଛାଡି ସହରକୁ ଚାଲି ଆସିଲୁ। ଗାଁ ଛାଡି ଆସିଲା ଦିନ, ସବୁ ଜିନିଷ ପତ୍ର ଗାଡିରେ ଲୋଡ କରାସରିଥାଏ। ଦୂର ରୁ ଘର କାନ୍ଥ ରେ ଆଉଜି ଛିଡା ହୋଇ ମୋ ଆଡକୁ ସେମିତି ଚାହିଁ ରହିଥାଏ ସେ ଦୁଇଟି ଆଖି। ଲାଗୁଥିଲା କେତେକଣ କହିବା ର ଥିଲା କିନ୍ତୁ ପାଟି ଟା ଅଠା ରେ ଲାଗିଯାଇଥିଲା। ତାପରେ ପଛକୁ ଧୂଆଁ ଛାଡି ସହର ଅଭିମୁଖେ ଗଡି ଚାଲିଲା ଆମ ଗାଡି। ଝରକା ପଟୁ ଟିକେ ପଛକୁ ଚାହିଁଲି, ଦେଖାଯାଉଥିଲା ଏକ ଲୟରେ ଚାହିଁ ରହିଥିବା ସେ ଦୁଇଟି ଆଖି। ବାସ୍ ତା ପରେ ସହରରେ ହାଇସ୍କୁଲ ଓ କଲେଜ। ଦେଖୁ ଦେଖୁ ସରିଗଲା ପଢା ଜୀବନ।

ଧରିତ୍ରୀ ଦେବତା
ରାମପୁର, ସୁବର୍ଣ୍ଣ ପୁର
୭୭୫୦୯୮୫୦୫୬

Leave a Reply

Your email address will not be published. Required fields are marked *