ତୁମକୁ ଦେଖିବି ବୋଲି
ରାତି ସପନକୁ ଅପେକ୍ଷାରେ ଅଛି
ଆସିବା ଯିବନି ଭୁଲି
କାଲିର ନିଦରୁ ବଳେଇ ରଖିଛି
ତୁମକୁ ଦେଖିବି ବୋଲି ।।
ଆଗୁଆ ବଇନା ପାହାନ୍ତାକୁ ଦେଇ
କରିଛି ତା’ ସହ ଚୁକ୍ତି
ସଂଜ ଡିଆଁ ପରେ ବହଳ ହବାକୁ
ଅନ୍ଧାର ହେଇଛି ରାଜି ।।
କଡ଼ ମୋଡିବନି ନସାରିବା ଯାଏ
ତୁମକୁ ପାଖରୁ ଦେଖି
ଗଲାପରେ ଯାଇଁ ସକାଳ ଆସିବ
ପୂରୁବୁ ସିନ୍ଦୁରା ଫାଟି ।।
ପତା ମାନଙ୍କର ଚେତା ବୁଡା ପାଇଁ
ଆଣିଛି କାମାକ୍ଷା ଫୁଲ
ସଂଜ ଗୋଲାପଙ୍କୁ ବାଟେ ଜଗେଇଛି
ପିନ୍ଧେଇ କାକର ମାଳ ।।
ସବୁର ବ୍ୟବସ୍ଥା କରିଛି ଲାଗିକି
ଶେଯ ବି ରଖିଛି ଖାଲି
ମତେ ମୁଁ ବୋଧ ଦେଇ ବୁଝେଇଛି
ନିଶ୍ଚୟ ଆସିବ ବୋଲି ।।
ମହେନ୍ଦ୍ର ନନ୍ଦ