ସୂର୍ଯ୍ୟଙ୍କୁ ଚିଠି
ସୂର୍ଯ୍ୟ ଦେବତାଙ୍କୁ ଚିଠିରେ ଲେଖିଲି
କାହିଁକି ଏମିତି ଦେଉଛ କଷ୍ଟ
କଳ୍କୀ ଅବତାର ବଦଳରେ ତୁମେ
ନାଶିବକି ସତେ ଏ ଧରା ପୃଷ୍ଠ………….(୧)
ପବନ ବହୁଛି ନିଆଁ ବାଣ ପରି
ପୁଖରୀର ପାଣି ତତଲା ଭାରି
ଜୀବଜନ୍ତୁ ପାଣି ପିଇବା ପାଇଁକି
ହନ୍ତସନ୍ତ ହୋଇ ଯାଆନ୍ତି ଫେରି………..(୨)
କୁହ ସୂର୍ୟ୍ଯଦେବ ପ୍ରାଣୀ ଜଗତକୁ
ଏମିତି କାହିଁକି କରୁଛ ଭଲା
ପୃଥିବୀ ପୃଷ୍ଠକୁ ନାଶିବା ପାଇଁକି
ଇଏକି ତୁମର ନୂଆ ଫର୍ମୁଲା……………(୩)
ଚିଠି ପାଇ ଚିଠି ଦେଲେ ସୂର୍ୟ୍ଯଦେବ
ଲେଖିଲେ ସେଥିରେ ଏମିତି କଥା
ସେହି ଚିଠି ଖୋଲି ପଢ଼ିଦେଲା ପରେ
ଘିରି ଘିରି ଖାଲି ହେଲା ମୋ ମଥା……..(୪)
ଲେଖାଥିଲା ତୁମେ ମଣିଷ ଜାତିଟା
ଏତେ ଅମଣିଷ ହେଲ କେମିତି
ଦିନୁଦିନ ବୃକ୍ଷ ନଷ୍ଟ କରୁଚାଲ
ବୃକ୍ଷକି ତୁମର ବୋପା ସମ୍ପତି…………(୫)
ପ୍ରକୃତି ତୁମର କି ଦୋଷ କରିଲା
ତାକୁ କିଆଁ ତୁମେ ନଷ୍ଟ କରୁଛ
ପରିଣାମେ ତା’ର ତତଲା ଲୁହରେ
ତିଳ ତିଳ ହୋଇ ତୁମେ ଜଳୁଛ……….(୬)
ଶ୍ରୀ ଅରେନ୍ଦ୍ର କୁମାର ଦାଶ
କହ୍ନେଇ ଓଗାଳପୁର, ବାହାନଗା, ବାଲେଶ୍ବର