ଶ୍ବେତଗଙ୍ଗା
ନୀଳାଚଳ ଧାମେ, ପାଞ୍ଚଗୋଟି ତିର୍ଥ
କେଉଁ କାଳୁ ବିଦ୍ୟମାନ,
ପୁରାଣ କଥିତ,ଅଧାରେ ବିଦିତ
ଏ ସବୁ ଦଣ୍ଡାୟମାନ।1
ମହୋଦଧି ସ୍ନାନ, ସବୁଠାରୁ ଶ୍ରେଷ୍ଠ
ସର୍ବ ତିର୍ଥ ବାସସ୍ଥଳୀ,
ଶ୍ବେତଗଙ୍ଗା ଯାହା, ହୁଏ ଦୃଶ୍ୟମାନ
ମହୋଦଧି ସ୍ନାନ ସରି।2
ଶ୍ରୀମନ୍ଦିର ପଛ,ପଶ୍ଚିମ ପାର୍ଶ୍ବର
କିଛି ମାତ୍ର ବାଟ ଦୂର,
ସୁନ୍ଦର ତଡାଗ, ରହିଛି ଅନାଇଁ
ଶ୍ବେତଗଙ୍ଗା ନାମ ତାର।3
ଶ୍ବେତଗଙ୍ଗା ଯାହା,ବର୍ଣ୍ଣିତ ହୋଇଛି
ମାଦଳା ପାଞ୍ଜି ର ମତ,
ଗଙ୍ଗା ନଦୀ ସଙ୍ଗେ, ସୁଡ଼ଙ୍ଗ ଛୁଇଁଛି
ଏହାଟି ଦ୍ଵିତୀୟ ତୀର୍ଥ।4
ସେ ପାଇଁ ଏ ତିର୍ଥ, କେବେ ନ ଶୁଖନ୍ତି
ବର୍ଷ ସାରା ଜଳ ରହେ,
କେଉଁ କାଳୁ ଭକ୍ତ, ପବିତ୍ର ମନରେ
ଏ ଜଳରେ ଅଵଗାହେ।5
ବଙ୍ଗୀୟ ଲଳନା, ଗଙ୍ଗା ନାମ୍ନୀ କନ୍ୟା
ପୂର୍ବେ ବିଷ୍ଣୁ ଭକ୍ତ ଥିଲେ,
ସେ ଲଳନା ସ୍ନାନ, ପାଇଁ ଜଗନ୍ନାଥ
ଗଙ୍ଗାଙ୍କୁ ପାଶେ ଆଣିଲେ।6
ଆଉ ଏକ ଶୃତି,ଜନ ମାନସରେ
ଏବେ ବି ବଳବତ୍ତର,
କ୍ଷୀର ବର୍ଣ୍ଣ ହୋଇ, ନୟନେ ଦିଶଇ
ଶ୍ବେତଗଙ୍ଗାର ଏ ଜଳ।7
ଏବେ ମଧ୍ୟ ଭକ୍ତ, ମହୋଦଧି ସ୍ନାନ
କଲାପରେ ଯାଇଥାଏ,
ଶ୍ବେତଗଙ୍ଗା ଜଳେ, ଅଵଗାହ ପରେ
ଶ୍ରୀମନ୍ଦିର ଚଳିଯାଏ।8
ବହୁ ପୁଣ୍ୟ ଲାଭ, ମିଳେ ବୋଲି ଏହା
ଜନ ମାନସରେ ଜଣା,
ଗଙ୍ଗା ସ୍ନାନ ଭଳି, ଶ୍ବେତଗଙ୍ଗା ସ୍ନାନ
କେଉଁ ରୂପେ ନୁହେଁ ଉଣା ।9
ଅଶୋକ କୁମାର ପତି
ଦହିଗାଁ
42 mouza, CTC.