ସଜ ସକାଳ
କଟକର ସକାଳ ଯେ କେତେ ଚଳ ଚଞ୍ଚଳ ତାହା କାହାକୁ ବା ଜଣା ନାହିଁ!! ଯିଏ ଦେଖିଛି ସେ କହିବ ଲୋକଠୁ ନେଇ ଜନ୍ଦା ପିମ୍ପୁଡ଼ି ବି ଦଉଡୁଥା’ନ୍ତି ଅବିରତ, ରାତି ହେଲେ ଯାହା ଗୋଡ଼ ମୁଣ୍ଡକୁ ବିଶ୍ରାମ ଦିଅନ୍ତି।ହେଲେ ପଳାଶ ଦିନରାତି ସବୁବେଳେ ଚାହିଁ ରୁହେ, ସେ ବସେନି।କୋଉଠି ରାସ୍ତା କଡ଼ରେ ମଲା କୁକର ମରି ପଡ଼ିଲା,କୋଉଠି କାହା ଆପଣାର ଅନୁପସ୍ଥିତିରେ ଶବ ଉଠିଲାନି,କିଏ ଘରକୁ ଯିବାକୁ ବସ୍ ପାଉନି,କୋଉ ନବଜାତ ଶିଶୁକୁ ମା ଛାଡ଼ିଗଲା, ଯୋଉଠି ଅସୁବିଧା ଦେଖେ ସବୁଠି ଯାଇ ହାଜର ହୁଏ ପଳାଶ।
ପଳାଶର ନାଁ ଶୁଣି ଲୋକେ ଘଡ଼ିଏ ତା ମୁହଁକୁ ଦେଖନ୍ତି,ପଚାରନ୍ତି ଏଡେ ସୁନ୍ଦର୍ ଝିଅର ନାଁ “ପଳାଶ” କିଏ ଦେଲା ବୋଲି? ପଳାଶ ଦାନ୍ତ ଚିପି ହସି କୁହେ, ଯିଏ ବି ଦଉ କେହି ନିଜର ଭାବି ନିଶ୍ଚୟ ଦେଇଥିବ।
ବାପା ମା ଠିକଣା ନଥିବା ଝିଅ ହେଉଛି ପଳାଶ।ହେଲେ ପଳାଶର ବ୍ୟକ୍ତିତ୍ଵ ଯେ ତାର ପରିଚୟ ଏକଥାକୁ କେହି ଫାଙ୍କି ଦେଇ ପାରିବେନି।ଗୁରୁବାର, ସଜ ସକାଳ, ପଳାଶ ମହାନଦୀ ବନ୍ଧ ପାଖରେ ପଡିଥିବା ସବୁ ଆବର୍ଜନାକୁ ସଫା କରୁଥାଏ। କିଛି ଦିନ ପୂର୍ବରୁ ସେଠି ଗୋଟାଏ ବଡ଼ ସଭାର ଆୟୋଜନ କରାଯାଇଥିଲା,ସଭା ସାରି ମନ୍ତ୍ରୀ ଚାଲିଯାଇଥିଲେ,ଚାଲିଯାଇଥିଲେ ସେଠାରେ ଥିବା ସମାଜ ପ୍ରେମୀ। ଖାଲି ପଡ଼ିଥିବା ଅଳିଆ ଗୋଟାଇବାକୁ ରହି ଯାଇଥିଲା ପଳାଶ।ସେ ତା କାମ ସାରି ଗାଧୋଇବାକୁ ନଦୀକୁ ଗଲା ହେଲେ ସେ ଦେଖିଲା ଦୁଇ ପିଲା ବୁଡି ଯାଉଛନ୍ତି। ନିଜ ଜୀବନକୁ ପଛରେ ପକାଇ ଉଦ୍ଧାର କଲା ସେମାନଙ୍କୁ।ସେ ଦୁଇ ପିଲା ଉଦ୍ଧାର ହେବା ପରେ ଶହ ଶହ ଶୁଭେଚ୍ଛା ଛୁଟିଲା,ଖବର କାଗଜର କୋଳ ମଣ୍ଡନ କଲା ପଳାଶ।ତାକୁ ପୁରସ୍କାର ଦେବାକୁ ଡକାଗଲା। ସେ ତ ମନାକରୁଥିଲା ହେଲେ ବି ତାକୁ ନିଆଗଲା। କିନ୍ତୁ ସେ ଯାଇ ସେଠି ଦେଖେ ତ, ତା ନାଁ ର ପୁରସ୍କାର ଟା ଆଉ ଜଣଙ୍କୁ ଦିଆଗଲା।ପଳାଶ କିଛି କହିଲାନି ଖାଲି ବୁଝିଲା, ହସିଲା ଆଉ ଉଠି ଆସିଲା।ହେଲେ ସେ ଦିନରାତି ସେମିତି ସେବା କରି ଚାଲିଲା।
ସେଦିନ ସକାଳୁ ପେପର୍ ଧରି ଆସୁଥିବା ଟୋକା ଟା ପଳାଶକୁ ଅଟକାଇ ମୁଣ୍ଡିଆ ମାରିଲା ଆଉ କହିଲା,”ଦିଦି ସରକାର ତୁମ ସମାଜ ସେବା ପାଇଁ”ପଦ୍ମଶ୍ରୀ”ଉପାଧି ଦେବା ପାଇଁ ନାଁ ଘୋଷଣା କରିଛନ୍ତି।”ସେ କି ବୁଝେ ତାର ମୂଲ୍ୟ!ସେ ପଚାରିଲା ସେଇଟା କଣ?ପିଲା ଟି କହିଲା,”ସବୁଠୁ ବଡ଼ ପୁରସ୍କାର ଦିଦି!!ସହରର କେହି ଜଣେ ସହୃଦୟ ବ୍ୟକ୍ତବିଶେଷ ତୁମର ନାମାଙ୍କନ ଦାଖଲ କରିଥିଲେ।”ସେଗୁଡାକୁ ନ ବୁଝି ପାରି ସବୁଦିନ ପରି ପଳାଶ ଚାଲିଗଲା ଅଳିଆ ସଫା କରି।
ସମସ୍ତେ କୁହନ୍ତି ପଳାଶର ବାସ୍ନା ନାହିଁ କିନ୍ତୁ ସେପଟେ ଆମ ନିରୀହ ପଳାଶ ଚାରିଆଡ଼େ ବାସୁଥିଲା। ତା’ ମହକ ଗାଁ ରୁ ଗାଁ, ସହରରୁ ସହର,ରାଜ୍ୟରୁ ରାଜ୍ୟ ଏମିତି କି ଦେଶରୁ ବିଦେଶ ଚହଟୁ ଥିଲା।ଲୋକେ ଶୁଣୁଥିଲେ କେମିତି ଜଣେ ପାଠ ପଢି ନଥିବା ଝିଅ ସେବାର ପାଠ ପଢ଼ଉଥିଲା ହଜାର ହଜାର ଲୋକଙ୍କୁ ।ସତରେ ପଳାଶ ଚମକୁ ଥିଲା ଠିକ୍ ସଜ ସକାଳର ସୁନେଲି କିରଣ ପରି😊
ସ୍ୱାଗତିକା ବେହେରା
କଟକ