ଶିଶୁ ଦିବସ
ଭାସ୍କର ରାଉତ
ଶିଶୁଟି ଅଟଇ ଆମ ଭବିଷ୍ୟତ
ସମସ୍ତେ କହୁଅଛନ୍ତି,
କ୍ଷୁଧା ଅନାହାରେ ଅପପୌଷ୍ଟିକରେ
ଅକାଳେ ଝଡ଼ି ପଡ଼ନ୍ତି ।
କେତେ ନବଜାତ ହୁଅନ୍ତି ଅନାଥ
ବୁଦା ରାସ୍ତା କଡ଼େ ପଡ଼ି,
କୁଆଁରୀ ମାତୃତ୍ବ କରାଏ ବିବ୍ରତ
ଯାଏ ସେ ତାହାକୁ ଛାଡ଼ି ।
ଗର୍ଭପାତ ପାଇଁ ଅନୁମତି ଦେଇ
ଝଡ଼ାନ୍ତି ଯେତେକ କଢ଼ୀ,
ସଭା ସମିତିରେ କହେ ଉଚ୍ଚ ସ୍ବରେ
ଶିଶୁ ଭବିଷ୍ୟତ ପିଢ଼ି ।
ହୋଇଣ ଆମୋଦ ନଭେମ୍ବର ଚୌଦ
ପାଳିବେ ଶିଶୁ ଦିବସ,
ନେହେରୁଙ୍କ ଫଟୋ ପାଶେ ଧୂପ ଦୀପ
ଦେଇଣ ହେବେ ହରଷ ।
ଶିଶୁ ବୁଲୁଛନ୍ତି ଅଳିଆ ଗଦାରେ
ଜରି ପ୍ଳାଷ୍ଟିକ ଗୋଟାଇ,
ପେଟ ବିକଳରେ ନେତା ମନ୍ତ୍ରୀ ଘରେ
ଚାକର ପଣେ ଖଟଇ ।
ଶିଶୁଙ୍କ ନାମରେ ଯୋଜନା ଯେତେରେ
ଶିଶୁ ପାଖକୁ ନ ଯାଏ,
ନଥିପତ୍ରେ ସେହି ଝଲସି ଉଠଇ
ଦୁର୍ଦ୍ଦଶାରେ ସଢ଼ୁ ଥାଏ ।
ଜାଗ ମଜୁରିଆ ଜାଗ ଖଟିଖିଆ
ଜାଗି ଉଠ ଶିଶୁଗଣ,
ସୁନ୍ଦର ସଂସାର ଗଢ଼ିବା ଆମର
ହଟାଇଦେବା କଷଣ ।
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ