ଚେତନା
ଇଶ୍ବରଙ୍କ ସୃଷ୍ଟି ଦୁଇ ପ୍ରକାର, ଜଡ଼ ଓ ଚେତନ। ଯାହାର ପ୍ରାଣ ଶକ୍ତି ନାହିଁ, ନିଜେ ଗତି କରିପାରେ ନାହିଁ, ତାହା ଜଡ଼ ବସ୍ତୁ, ଯଥା ମାଟି, ପାଣି, ପଥର ଇତ୍ୟାଦି। ଏହାର ବିପରୀତ ଅର୍ଥାତ୍ ପ୍ରାଣ ଶକ୍ତି ଥିବା ଏବଂ ନିଜର ଚେତନା ଥିବା ଉଦ୍ଭିଦ ଓ ପ୍ରାଣୀ ମାନେ ଚେତନ। ଉଦ୍ଭିଦ ଜଡ ନା ଚେତନ, ଏହା ମଧ୍ଯରେ ସୁକ୍ଷ୍ମ ପ୍ରାଚୀରଟିଏ ଅଛି। ବୃକ୍ଷର ଶାଖାଟିଏ କଟିଗଲେ ବା ଭାଙ୍ଗିଗଲେ ଆପେ ନୂତନ ଶାଖା ସୃଷ୍ଟି ହୁଏ। ଆଲୋକ ବ୍ୟାହତ ହେଲେ ବୃକ୍ଷ ଦୃତ ବଢି ସୂର୍ଯ୍ୟଙ୍କ ଆଡକୁ ଯାଏ। ଲତାଟିଏ ନୂଆ ଡଙ୍କ ବାହାରି ଆଶ୍ରୟର ନିକଟବର୍ତ୍ତୀ ହୁଏ। ଏପରି ଅନେକ ଉଦାହରଣ। ଡଃ ଜଗଦୀଶ ଚନ୍ଦ୍ର ବୋଷ ପରୀକ୍ଷା କରି ପ୍ରମାଣ କରିଛନ୍ତି ଯେ ବୃକ୍ଷ ଲତାଙ୍କର ସମ୍ବେଦନଶୀଳତା ରହିଛି।
ସେହିପରି ମାନବେତର ପ୍ରାଣୀ ମାନଙ୍କର ମଧ୍ଯ ଚେତନା ଶକ୍ତି ଅଛି। ସେମାନେ ନିଜର ଉଦର ପୋଷଣ ଓ ଆତ୍ମ ରକ୍ଷା ପାଇଁ ନିଜର ଶ୍ରେଷ୍ଠ ବୁଦ୍ଧିମତାର ପରିଚୟ ଦିଅନ୍ତି। ସେମାନଙ୍କ ମଧ୍ଯରେ ସ୍ନେହ, ପ୍ରେମ, ଘୃଣା, କୃରତା ଆଦି ବିଭାବ ପରିଲକ୍ଷିତ ହୁଏ। ପଶୁମାନେ ସାଙ୍କେତିକ ରବ ଦ୍ୱାରା ଆପଣାର ଆତ୍ମୀୟ ମାନଙ୍କ ସହ ଭାବର ଆଦାନ ପ୍ରଦାନ କରନ୍ତି। ଇଶ୍ବରଙ୍କ ସୃଷ୍ଟିର ମହତ୍ବ ପ୍ରତିପାଦନ କରିବାକୁ ହିଂସ୍ର ପଶୁ ମଧ୍ଯ ନିଜର ନ୍ୟୁନତମ ଆବଶ୍ୟକତା ବିନା ଅନ୍ୟ ଜୀବକୁ ବଧ କରନ୍ତି ନାହିଁ। ଏପରିକି ଗୋଟିଏ ଜାତିର ଶାବକ ମାତୃହୀନ ହେଲେ ଅନ୍ୟ ଜାତିର ମହିଳା ପଶୁ ମାତୃତ୍ବ ପ୍ରଦର୍ଶନ କରିବାର ଅନେକ ଉଦାହରଣ ଅଛି।
ଏବେ ଆଲୋଚନା କରିବା ସୃଷ୍ଟିର ଶ୍ରେଷ୍ଠ ଜୀବ ମାନବ ବିଷୟରେ। ମାନବ ଅନ୍ୟ ପାଖରେ ନିଜକୁ ସ୍ୱଛନ୍ଦରେ ପରିପ୍ରକାଶ କରିପାରେ। ଏକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ଭେଦରେ ଭାଷା ସୃଷ୍ଟି କରି ମାନବ ନିଜକୁ ସୃଷ୍ଟିର ଶ୍ରେଷ୍ଠ ଜୀବ ବୋଲି ପ୍ରମାଣିତ କରିଛି। ଭାଷା ବୁଝିବାରେ ଅସମର୍ଥ ହେଲେ ଅଙ୍ଗଭଙ୍ଗୀ ବା ସାଙ୍କେତିକ ଭାଷାରେ ଭାବର ଆଦାନ ପ୍ରଦାନ କରିବା କ୍ଷମତା ମଧ୍ଯ ତା ନିକଟରେ ଅଛି। ସେଥିପାଇଁ ମାନବ ନିଜକୁ ଗୌରବାନ୍ୱିତ ମନେ କରିବା ସହ ଅନ୍ୟ ମାନବେତର ପ୍ରାଣୀ ମାନଙ୍କ ସମ୍ମୁଖରେ ଗର୍ବ କରେ। ଏପରିକି ଜ୍ଞାନ, ଲିଙ୍ଗ, ଜାତି, ଧର୍ମ, ବର୍ଣ୍ଣ, ଧନ, ପଦବୀ, କ୍ଷମତା, ବାହୁବଳ, ଅର୍ଥବଳ ଆଧାରରେ ଗୋଟିଏ ମନୁଷ୍ଯ ନିଜଠାରୁ ନ୍ୟୁନ ଭାବୁଥିବା ଅନ୍ୟ ମନୁଷ୍ଯଙ୍କୁ ବହୁ ହେୟ ଜ୍ଞାନ କରିବା ସହ ନିର୍ଯାତନା ଦେବାକୁ ପଶ୍ଚାତ୍ପଦ ହୁଏ ନାହିଁ। ଯେଉଁ ହିଂସ୍ର ପଶୁ ମାନଙ୍କୁ ଡରି ଜଙ୍ଗଲ ସଫାକରି ଜନପଦ ସୃଷ୍ଟି କରିଥିଲା, ମାନବ ନିକଟରେ ନାନା ଯନ୍ତ୍ରପାତି ଓ ଅସ୍ତ୍ରଶସ୍ତ୍ର ମହଜୁଦ ଥିବାରୁ, ସେହି ହିଂସ୍ର ପଶୁ ମାନେ ମଧ୍ଯ ମନୁଷ୍ଯକୁ ଡରୁଛନ୍ତି।
ପୌରାଣିକ ଉପାଖ୍ୟାନରୁ ଜଣାଯାଏ ଜରାସନ୍ଧ, ଦୁର୍ଯ୍ୟୋଧନ, ରାବଣ ଆଦି ପ୍ରଯୁକ୍ତି ବିଦ୍ୟା ବା ମନ୍ତ୍ର ଶକ୍ତିରେ ବଳିୟାନ ହୋଇ ଧରାକୁ ସରା ମଣୁଥିଲେ ମଧ୍ଯ ଦିନେ ଆପଣାର ପତନ ସହ ସଭ୍ୟତାର ଲୋପ ପାଇଁ ଦାୟୀ ରହିଥିଲେ। ରାବଣ ନିଜ ଅମାପ ଶକ୍ତି ବଳରେ ଇନ୍ଦ୍ର (ବୃଷ୍ଟି, ବିଦ୍ୟୁତ), ବରୁଣ (ଜଳ), ବାୟୁ ଇତ୍ୟାଦି ଦେବଗଣଙ୍କୁ ବନ୍ଦୀ (ନିଜ କରାୟତ) କରିଥିଲେ ମଧ୍ଯ କିଛି ଭାଲୁ ମାଙ୍କଡ ସେନାର ନେତୃତ୍ବ ନେଇ ବନବାସୀ ଶ୍ରୀରାମ ଲଙ୍କାଗଡ଼ର ପତନ ସହ ରାବଣକୁ ସବଂଶେ ନିହତ କରିଥିଲେ।
ଚେତନା ଶକ୍ତି ଯୋଗୁ ମନୁଷ୍ଯ ଆଧ୍ୟାତ୍ମିକ ଉତ୍ତରଣ ପ୍ରତି ସଚେତନ ହେବା ଓ ଏକ ସୁସ୍ଥ, ସଂସ୍କାରିତ ଜୀବନଯାପନ ପାଇଁ ଅଭିପ୍ରେତ ହେବା ଇଶ୍ବରଙ୍କ ଇଛା ବୋଲି ବେଦୋପନିଷଦ ତଥା ଶାସ୍ତ୍ର ମାନଙ୍କରେ ବର୍ଣ୍ଣିତ:
– “ପରୋପକାରାୟ ସ୍ବରାୟ, ପାପାୟ ପର ପୀଡନମ୍।”
– “ମାନବ ସେବାହିଁ ମାଧବ ସେବା।
– “ମାତୃବତ୍ ପର ଦାରେଷୁ ପର ଦ୍ରବ୍ଯେଷୁ ଲୋଷ୍ଟ୍ରବତ୍
ଆତ୍ମବତ୍ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତଃ।”
– “ଲୋକାଃ ସମସ୍ତା ସୁଖିନଃ ଭବନ୍ତୁ।”
-“ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସ୍ୟନ୍ତୁ ନିରାମୟା
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗ ଭବେତ୍।”
ଭାରତୀୟ ଶାସ୍ତ୍ରରେ ଏତେ ସବୁ ମହାନ ବାଣୀ ମାନବର ଆଧ୍ୟାତ୍ମିକ ଉତ୍ତରଣ ପାଇଁ ଉଦ୍ଦିଷ୍ଟ। ପରୋପକାର, ଦୟା, କ୍ଷମା, ସ୍ନେହ, ପ୍ରେମ ଇତ୍ୟାଦି ସ୍ବର୍ଗୀୟ ବିଭାବ ମାନ ବୈଜ୍ଞାନିକ ଉପଲବ୍ଧି ତଥା ଉଗ୍ର ବଜାରୀକରଣ (ଉପଭୋକ୍ତାବାଦ) ର ଆବିର୍ଭାବ ଫଳରେ ଅପସାରିତ ହୋଇ ଅନ୍ୟକୁ ନିର୍ଯାତନା, ଇର୍ଷା, ହିଂସା, ଘୃଣା ଇତ୍ୟାଦି ଆସୁରିକ ଗୁଣମାନ ବିକଶିତ ହେଉଛି।
ଥରେ ଜଣେ ଲୋଭୀ ମନୁଷ୍ୟକୁ ଜଣେ ବାଦାନ୍ୟ ରାଜା ବରଦେଲେ “ସୂର୍ଯ୍ୟାସ୍ତ ସୁଦ୍ଧା ତୁମେ ଯେତିକି ପଥ ସମ୍ପୂର୍ଣ୍ଣ ଅତିକ୍ରମ କରି ଏକ ମଣ୍ଡଳ ସମ୍ପୂର୍ଣ୍ଣ କରିବ ସେତିକି ଭୂମିର ତୁମେ ମାଲିକ ହେବ।” ଲୋଭରେ ଅନ୍ନ ଜଳ ମଧ୍ଯ ସ୍ପର୍ଶ ନକରି ସେ ବ୍ୟକ୍ତି ସୂର୍ଯ୍ୟାସ୍ତ ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଏକ ବିଶାଳ ଭୂଖଣ୍ଡର ମଣ୍ଡଳ ସମ୍ପୂର୍ଣ୍ଣ କରି ପାରିଲେ। କିନ୍ତୁ ହାୟ ଭୋଗ କରିବାକୁ ଆଉ ପ୍ରାଣ ଶକ୍ତି ନଥିଲା, ସେଇଠି ଟଳି ପଡିଲେ। ଶେଷ ଥର ପାଇଁ ଆଖି ମୁଦି ହେବା ପୂର୍ବରୁ ସେ ଅନୁଭବ କଲେ ମଣିଷ ଯେତିକି ଦୀର୍ଘ, ମୃତ୍ଯୁ ବେଳକୁ ସେତିକି ଦୀର୍ଘ ମାଟି ଦରକାର, କବର ନେବାକୁ। ବାକି ଅର୍ଜିତ ସମସ୍ତ ସ୍ଥାବର/ଅସ୍ଥାବର ସମ୍ପତ୍ତି ମୂଲ୍ଯହୀନ।
ସବୁ ଜାଣି ମଧ୍ଯ ମନୁଷ୍ଯ ସେହି ଆସୁରିକ ଆଚରଣରେ ଅସୀମ ଅଗ୍ରଗତି କରିବା ସ୍ବପ୍ନରେ ମସଗୁଲ। ଏକ ସଂସ୍କାରିତ ଜୀବନର ପଥ ପରିତ୍ଯାଗ କରି ମଦମତ୍ତ ହୋଇ ମନୁଷ୍ଯ ପଛକୁ ଫେରି ଚାହୁଁ ନାହିଁ। ଏପରିକି ଜନ୍ମଦାତା ପିତାମାତାଙ୍କୁ ମଧ୍ଯ ହେୟ ଦୃଷ୍ଟିରେ ଦେଖିବା ସହ ତାଙ୍କର ସାମାନ୍ୟତମ ଦାୟିତ୍ବ ନିର୍ବାହ କରିବାକୁ ପଶ୍ଚାତପଦ ହେଉଛି, ଯେପରି ସେ ଦିନେ ବୃଦ୍ଧ ବା ଅସହାୟତାର ଶୀକାର ହେବ ନାହିଁ। ଶିଶୁକୁ ଭୂଲ ନକରିବାକୁ ଶିକ୍ଷା ଦେବା ବଦଳରେ ‘I am sorry’ (ମୋର ଭୂଲ ହୋଇଗଲା) ଶିଖାଇବା ଶ୍ରେୟ ମନେ କରୁଛି।
ଆମ ସାଂସାରିକ ସମ୍ବିଧାନରେ ବିଦ୍ୟାର୍ଥୀ ବ୍ରହ୍ମଚାରୀ ଜୀବନ ଅତିବାହିତ କରିବା ଛାଡି ଭୋଗବାଦରେ ବୁଡି ରହିବା ପଛରେ ପିତାମାତାଙ୍କ ଉଚ୍ଚାକାଂକ୍ଷା ତଥା ମାତ୍ରାଧିକ ବ୍ୟୟର ସାଧନ ଯୋଗାଇବା ଦ୍ବାରା ସେମାନେ ଆଦର୍ଶ ଆଚରଣକୁ ପଛରେ ପକାଇ ଦୁର୍ନୀତିକୁ ନୀତି ଭାବରେ ଗ୍ରହଣ କରୁଛନ୍ତି। ତେଣୁ ଗୁରୁଜନଙ୍କୁ ବେଖାତିର, ଆଇନ କାନୁନକୁ ଭୟ ନାହିଁ, ଦୁଷ୍କର୍ମକୁ ଏକ ଆହ୍ବାନ ଭାବରେ ଗ୍ରହଣ କରୁଛନ୍ତି, ଉଦାହରଣ ଏଟିଏମ୍ ଚୋରି, ରକ୍ତ ଚରିତ୍ର ଗ୍ୟାଙ୍ଗ୍ ର ରାତି ଅଧିଆ ଉତ୍ପାତ, ପ୍ରେମ ନାଆଁରେ ଅବିବାହିତ ଅବସ୍ଥାରେ ଦୈହିକ ସମ୍ପର୍କ ସ୍ଥାପନ, ଲିଭ୍-ଇନ୍-ରିଲେସନସିପ୍ ଇତ୍ୟାଦି।
ଚେତନାକୁ ଜାଗ୍ରତ କରିବାକୁ ଆମ ପୂର୍ବପୁରୁଷ ଲେଖି ଯାଇଛନ୍ତି:
– “ବାଇମନ ହୋ ବସି ହଂସକୁ ଖେଳା
ହଂସ ଉଡିଗଲେ ବୁଡିବ ଭେଳା।”
-“ଛ ଖଣ୍ଡ କାଠ ହେବ ତୋ ପାଇଁ ଲୋଡା
ଛୁଇଁବେ ନାହିଁ ତତେ ବୋଲିବେ ମଢା।”
-“କେ କାନ୍ଦିବ ଦିନ ଦଶରେ କୁମର କେ କାନ୍ଦିବ ଦିନ ବାର”
-“ସତ କହିବାକୁ କିଆଁ ଡରିବି
ସତ କହି ପଛେ ମଲେ ମରିବି।”
ଏ ସବୁ ସାଙ୍ଗୀତିକ ପଦାବଳୀ ମାଧ୍ୟମରେ ସଚେତନ କରାଯାଏ ଯେ ସତ କର୍ମରୁ ବିଚ୍ୟୁତ ହୋଇ ଯେତେ ଧନ ମାନ ଅର୍ଜନ କରାଯାଏ ତାହା ଅଳୀକ, ମୃତ୍ଯୁ ପରେ କିଛି ବି ସଂଗରେ ନେଇ ହେବ ନାହିଁ। ତେଣୁ ସମସ୍ତଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସହ ଆବଶ୍ୟକ ସ୍ଥଳେ ପରୋପକାର ବ୍ରତୀ ହେବା ବାଞ୍ଛନୀୟ।
ମାନବ ଶିଶୁକୁ ମଣିଷ କରିବା ସବୁଠାରୁ କଠିନ କାମ ବୋଲି ପିତାମାତା ଭୁଲି ଯାଉଛନ୍ତି। ସେମାନେ ଭାବୁଛନ୍ତି କେବଳ ମାତ୍ରାଧିକ ସାଧନ ଯୋଗାଇ ସବୁଥିରେ ଆଗୁଆ ହୋଇ ଧନ ଅର୍ଜନ କରିବା ଶିଖାଇଲେ ପିଲା ମଣିଷ ହୋଇଯିବ। କେତେକ ପିଲାଙ୍କୁ ସତ ଉପଦେଶ ତ ଦିଅନ୍ତି, କିନ୍ତୁ ନିଜ ଆଚରଣରେ କରନ୍ତି ଓଲଟା। ଉଦାହରଣରେ ଛୋଟ କଥାଟିଏ:
ସ୍କୁଲରୁ ମାଡଖାଇ ଫେରି ପିଲାଟିଏ ଜୋର କାନ୍ଦୁଥାଏ। ଅଫିସରୁ ଫେରି ବାପା ଦେଖିଲେ ପିଠି ଫାଟି ଯାଇଛି ମାଡରେ। କାରଣ ପଚାରି ଜାଣିଲେ ପୁଅ ସ୍କୁଲରେ କଲମ ଚୋରି କରି ମାଡ ଖାଇଛି। ବାପା ରାଗରେ ଆଉ ଦି ପାହାର ଦେଇ କହିଲେ, “ଚୋରି କାହିଁକି କଲୁ ! ମତେ କହିଥିଲେ ଅଫିସରୁ ଦି ଗଣ୍ଡା ଆଣି ଦେଇଥାନ୍ତି।” ପିଲା ଶିଖିଲା କଣ ?
କହିବାର ଉଦ୍ଦେଶ୍ଯ ଶିଶୁର ଚେତନା ଜାଗ୍ରତ କରିବାକୁ ପିତାମାତାଙ୍କୁ ଆଦର୍ଶ ଆଚରଣ କରିବାକୁ ହେବ ତଥା ବିଦ୍ୟାର୍ଥୀଙ୍କୁ ବ୍ରହ୍ମଚାରୀ ଜୀବନ ପାଇଁ ପ୍ରେରିତ କରିବାକୁ ହେବ। ପ୍ରୟୋଜନ ଠାରୁ ଅଧିକ ସାଧନ ଦେବା, ନିଜ ଶିଶୁକୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ ବା ଉଚ୍ଚରେ ବୋଲି ଧାରଣା ଦେବା ହିଁ ଶିଶୁ ଚେତନାର ହତ୍ଯା କରିବା।
ଫଳରେ ଶିଶୁ ଆଦର୍ଶ ଆଚରଣ ସଂହିତା ପରିତ୍ଯାଗ କରି ବିପଥଗାମୀ ହେଉଛି। ପିତାମାତା ତଥା ଗୁରୁ ମାନଙ୍କ ଆଚରଣ ଓ ଉଚ୍ଚାରଣରେ ଘୋର ପାର୍ଥକ୍ଯ ଦେଖି ଶିଶୁମାନେ ତାଙ୍କ ଆଚରଣକୁ ହିଁ ସଠିକ୍ ମାର୍ଗ ଭାବେ ଗ୍ରହଣ କରୁଛନ୍ତି। ତେଣୁ ମାନବ ଚେତନ ପଶୁଠାରୁ ହୀନ ପାଲଟି ଯାଉଛି। ଅବଧୂତ ନିଜେ ମହାଜ୍ଞାନୀ ହୋଇ ମଧ୍ଯ ଚବିଶ ଗୁରୁ କରିଥିଲେ। କାରଣ ପ୍ରତିଟି ମଣିଷ ମଧ୍ଯରେ ମୃତ୍ୟୁ ପର୍ଯ୍ୟନ୍ତ ଶିଖିବା ପାଇଁ ଛାତ୍ରଟିଏ ଓ ଶିଖିଥିବା ଜ୍ଞାନ ବାଣ୍ଟିବା ପାଇଁ ଗୁରୁଟିଏ ସଦା ଜାଗ୍ରତ ଥିଲେ ହିଁ ଯଥାର୍ଥରେ ନିଜକୁ ଜଡ ନୁହେଁ ଚେତନ ବୋଲି ପ୍ରମାଣିତ କରିହେବ। ପଥର ବା ମାଟିର ସହିବା ଶକ୍ତି ଆମ ପାଇଁ ଶିକ୍ଷା। ବନ୍ଦ ପଡିଥିବା ଘଣ୍ଟାଟିଏ ମଧ୍ଯ ଦିନକୁ ଦୁଇଥର ସଠିକ୍ ସମୟ ଦିଏ। ଆମେ ସୃଷ୍ଟିର ଶ୍ରେଷ୍ଠ ଜୀବ ଅନ୍ୟ ପାଇଁ କେତେ ଦରକାରୀ ସେକଥା ପ୍ରମାଣ ଦେବାକୁ ପଡିବ।
ବିଶ୍ୱେଶ୍ୱର ମାଝୀ
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।