ପରାଜିତ ନାୟକ
ବ୍ୟସ୍ତ ବହୁଳ ଦୁନିଆରେ
ଆକାଶକୁ ଚାହିଁ ବସିଲା ବେଳେ
ଜଣା ପଡ଼େ ଭାନୁ ବି ବ୍ୟସ୍ତ,
ବାସ୍ ମୁଁ ଏକା ନିରୁଦ୍ଦିଷ୍ଟ ।
ରାସ୍ତାରେ ଧୂଳି ଉଡେଇ ଯାଉଥିବା ଗାଡିକୁ
ତନଖି ଦେଖିଲେ ଜଣାଯାଏ
ସେମାନେ ବି କର୍ମମୟ,
ମୁଁ ଏକା ସ୍ଥିର।
କୁକୁରଟି ରାହା ଧରି ଭୁକିଲା ବେଳେ
ତା ସ୍ଵରକୁ କାନ ଡେରି ଶୁଣିିଲେ
ଶୁଭାଯାଏ ଆତ୍ମତୃପ୍ତିର ଗୁଞ୍ଜନ,
କେବଳ ମୁଁ ହିଁ ଅବସାଦର ପ୍ରଜା।
ପବନ ସହ ପଲ୍ଲବୀ ଚଳନ ଦେଖିଲେ
ଦେଖା ଯାଏ
ତା ହୃଦୟ ଖୋଲା ନୃତ୍ୟର ଆବେଗ,
ମୁଁ ଖାଲି ମଣିଷଟିଏ ନା ଅଛି ଆବେଗ ନା ଭାବାବେଗ।
ସନ୍ଧ୍ୟାରେ ଘର ବାହୁଡ଼ା ପକ୍ଷୀଙ୍କୁ ଚାହିଁଲେ
ଦୃଷ୍ଟିଗୋଚର ହୁଏ
ସରଳ ଆନନ୍ଦର ରଶ୍ମିଟିଏ,
ମୁଁ କେବଳ ଅନ୍ଧକାର ଜର୍ଜରିତ।
ଶୀତୁଆ ସନ୍ଧ୍ୟାରେ ନିଆଁ ପଉଁଥିବା ବୃଦ୍ଧକୁ
ଗଭୀର ଦୃଷ୍ଟିରେ ଦେଖିଲେ
ବାରି ହୋଇ ପଡ଼େ ଜୀବନ ସଂଘର୍ଷର କାହାଣୀ,
କେବଳ ମୁଁ ହିଁ ଆତ୍ମସମର୍ପଣ ପାଈଁ ପ୍ରସ୍ତୁତ ଯୋଦ୍ଧାଟିଏ।
ସତରେ କଣ ମୁଁ ସେଇ ପରାଜିତ ନାୟକ!!
ଜୀବନ ପ୍ରଦୀପ ପ୍ରଧାନ,
ନୟାଗଡ