ତୁମ ବିନା
ତୁମ ବିନା ମୋର ଅସ୍ତିତ୍ବ ଯେ ନାହିଁ
ତୁମ ବିନା ମୁହିଁ ଶୂନ୍ୟ,
ତୁମରି ଦାନରେ ଗଢା ମୋ ଜୀବନ
ତୁମେହିଁ ତ ମୋର ପୁଣ୍ୟ ।
ତୁମେ ଦୁହେଁ ମୋର ଚଳନ୍ତି ଦେବତା
ତୁମେ ପୁଣ୍ୟକ୍ଷେତ୍ର ଧାମ,
ତୁମରି ନାମରେ ସଂସାରରେ ଜଣା
ରଖିବି ତୁମରି ନାମ ।
ଦୟାର ସାଗର ବାପା ତୁମେ ଅଟ
ତୁମେ ପରା ଦୟାନିଧି,
ମାଆର ସେନେହ ଆହା କି ମଧୁର
ସଦା ବହେ କୃପା ନଦୀ ।
ପଥର ଦିଅଁରେ ଦେଖିନି ମୁଁ କେବେ
ତୁମ ପରି ସ୍ନେହଶ୍ରଦ୍ଧା,
ତୁମ ଆଶୀର୍ବାଦ ଲୋଡା ସଦା ମୋର
ଦେଉଥିବ ପ୍ରେମସୁଧା ।
ସ୍ରଷ୍ଟାଙ୍କ ସୃଷ୍ଟିରେ ନିଖୁଣ ପଣରେ
ସଂସାରେ ଦୁହେଁ ବିଦିତ,
ସର୍ବସ୍ବ ଅଜାଡ଼ି ଦେଇଛ ସଜାଡି
ନିସ୍ୱାର୍ଥରେ ହୋଇ ବ୍ରତ ।
ସୋନାଲି ସ୍ବପ୍ନା ପାତ୍ର
ବଡମ୍ବା, କଟକ