ଅଜୟ ଅକ୍ଷୟ ଅକ୍ଷର
ତୋ ପ୍ରତି
ମୋର ଆକର୍ଷଣ
ଆସକ୍ତି କେବେ କେମିତି
ହେଲା ତାହା ମୋର ସ୍ମରଣର
ସରହଦ ବାହାରେ
ତୋ ରୂପ ଲାବଣ୍ୟରେ
ବନ୍ଧା ଚିରକାଳ ମୋ
ହେତୁ ହେବା ଦିନଠୁ
ପଢିଥିଲି ଶ୍ରେଷ୍ଠ ସଖା
ଅଦିନ, ଅସମୟ ଓ ଏକଲାପଣର
ବନ୍ଧୁ ବୋଲି ତୁମେ।
ନିଃସଙ୍ଗରେ ସଙ୍ଗ ଲାଭ
ଦୁର୍ଦ୍ଦିନରେ ପ୍ରୀତି ଲାଭ
ଅନ୍ଧାରରେ ଜ୍ୟୋତି ଲାଭ
ଅଜ୍ଞାନରେ ଜ୍ଞାନ ଲାଭ
ଦୁର୍ବଳରେ ବଳ ଲାଭ
ତୁମ ଉପସ୍ଥିତି ପଥ କରେ ସ୍ପଷ୍ଟ
ତୁମେ ପଥ ଦ୍ରଷ୍ଟା
ଗତ ଆଗତ ଦେଖିପାର ତୁମେ
କାଳକୁ ଜୟକରିବାର ଶକ୍ତି
ସାମର୍ଥ୍ୟରେ ତୁମେ ଚିର ଶକ୍ତିମାନ
ଜ୍ଞାନ ଓ ବିଜ୍ଞାନର ଗନ୍ତାଘର
ଅକ୍ଷୟ କୀର୍ତ୍ତିର ସ୍ବାକ୍ଷର
ଶବ୍ଦ ବ୍ରହ୍ମର ଶାଶ୍ବତ ଅକ୍ଷର।
ତୁମେ ଅଛ ବୋଲି ତ
ତ୍ରେତୟା ରୁ ଦ୍ବାପର
ରାମାୟଣରୁ ମହାଭାରତ
କଳିର ଅକ୍ଷୟ କୀର୍ତ୍ତି
ଜଗନ୍ନାଥ ଦାସ ଶ୍ରୀଭାଗବତ
ଘରେ ଘରେ ପୂଜାପାଏ
ଭାଗବତ ଟୁଙ୍ଗୀରେ
ସଂଧ୍ୟା ଦୀପ ଜଳେ ପ୍ରତି ହୃଦୟରେ
ଭକ୍ତିର ଗଂଗା ଧାର ବହେ
ଚିର ସ୍ରୋତସ୍ବିନୀ ଧାରା
ମଧୁକ୍ଷରା ଜ୍ଞାନର ପସରା ।
ବହି ପ୍ରତି ମୋର ଦୁର୍ବଳତା
ଛାତ୍ର ଜୀବନରୁ ଜ୍ଞାନର
ହେତୁ ହେବା ଯଥେଷ୍ଟ ପୂର୍ବରୁ ।
ବହିଟିଏ ଅଛି ବୋଲି ତ
ଜୀବନଟିଏ ଅଛି
ଶୁଷ୍କ ଜୀବନକୁ ରସମୟ
ପ୍ରୀତିମୟ ଗୀତିମୟ କରିଛି
ଜୀବନ ଜାହ୍ନବୀର ପୁଣ୍ୟତୋୟା ଧାରା
ରତ୍ନାକର ରୁ ବାଲ୍ମୀକି
ମୋହନ ରୁ ମହାତ୍ମା
ନରେନ ରୁ ବିବେକାନନ୍ଦ
ଅରବିନ୍ଦ ରୁ ଶ୍ରୀଅରବିନ୍ଦ
ତୁମ ଅଦୃଷ୍ଟ ଶକ୍ତିର ଚମତ୍କାର
ଯାହା ବିଶ୍ବରେ ବିଦିତ
ତୁମେ ବାଣୀ ଶକ୍ତି
ତୁମେ ଐଶୀ ଶକ୍ତିର
ପ୍ରଦୀପ୍ତ ପ୍ରଜ୍ଜ୍ବଳନ ଜ୍ୟୋତି
ମୂକକୁ କରିପାର ବାଚସ୍ପତି ।
ହେ ପୁସ୍ତକ !
ନୁହେଁ ତୁମେ ଶବ୍ଦ ସହ ଶବ୍ଦର
ଏକ ନ୍ୟୁନ ସମାହାର
ବାନ୍ଧି ପାର ଛନ୍ଦିପାର
ଆତ୍ମା ସହ ପରମାତ୍ମା
ମାନସ ସହ ଅତିମାନସକୁ
ଚରୈବତି ଚରୈବତି
ଦିବ୍ୟ ବାଣୀ ଭବ୍ୟ ବାଣୀ
ଉତ୍ତରୀତ ମହାଶକ୍ତି
କାଳରୁ କାଳାନ୍ତର ଯାଏ
ଅଜୟ ଅକ୍ଷୟ ଅକ୍ଷର
ମୋର ମଥାନତ ନମସ୍କାର
ଘେନ ଥରେ ନୁହେଁ ବହୁବାର ।
—xxx–
ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ
ମାର୍କୋଣା , ବାଲେଶ୍ବର – ୭୫୬ ୧୨୬
ଭ୍ରାମ୍ୟଭାଷ – ୯୪୩୭୩୭୨୧୬୬