ଅନ୍ତିମ ଷ୍ଟେସନର ଟ୍ରେନ
ଏମିତି ବେଳେ ବେଳେ
ଟ୍ରେନ ଅଟକିଯାଆନ୍ତା ନାହିଁ
ମୋ ଇପ୍ସିତ ଇଲାକାରେ
ସବୁବେଳେ ତ
ଘଣ୍ଟାକଣ୍ଟା ପରି ଚାଲୁଛି
ମୋ ଆଗରେ
ମୋ ଘର ସାମ୍ନାରେ
କୋଇଲା, ପାଣି ବାଷ୍ପ
ଏସବୁ ଅତୀତ ହେଲାଣି
ହେଲେ ବାଷ୍ପ ଇଞ୍ଜିନର
ସେ ମାଦକତା ଛୁକ୍ ଛୁକ୍ ଶବ୍ଦ
ନା ଡିଜେଲ ନା ବିଦ୍ୟୁତଚାଳିତ
ଟ୍ରେନରେ ମିଳେ
ଜନତା ଏକ୍ସପ୍ରେସର
ହୁସିଲ ବାଜିଲେ ସ୍କୁଲ ବେଳ ହୁଏ
ଆଉ ଆସନସୋଲ ଆସିଲେ
ଗୃହବଧୂ ସଞ୍ଜବତୀ ଲଗାଏ
ବୃନ୍ଦାବତୀକୁ ଗୁହାରି କରେ
ସୁଖ ମନାସେ ତା’ ପରିବାର ପାଇଁ।
କଳମକାଣ୍ଡରେ ଏକଟଙ୍କିଆ
ମୁଦ୍ରା ଭର୍ତ୍ତି କରି ବଢାଏ ଦେଲେ
ଟ୍ରେନ ଚାଳକ କାହିଁ କେତେକଣ
କୋଇଲା ପକାଇଦିଏ ତଳକୁ
ଟ୍ରେନ ଚାଲେ ତା ପଛରେ ପଡିଥାଏ
ମୁଣ୍ଡା ମୁଣ୍ଡା ଖଣ୍ଡ କୋଇଲା
ତାକୁ ଖୁଣ୍ଟିବାରେ
ଗୋଟାଇବାରେ
ବାଲ୍ୟକଳର ଦିବ୍ୟ ସନ୍ତୋଷ
ଆଜି ଦିବାସ୍ବପ୍ନ
ବେଳେ ବେଳେ ଖିଆଲି ମନ
ଅଳି କରେ ଅଝଟ ହୁଏ
ଟ୍ରେନ ସହ କଥାହେବାକୁ
ପଚାରନ୍ତା ତା’ର ଇତିବୃତ୍ତି
ଜନ୍ମ ଜାତକର କଥା ।
କେତେ ପଥ
ଅତିକ୍ରମ କରିଛି ସେ
ଷ୍ଟିଫେନସନଙ୍କ ଠାରୁ
ଲର୍ଡ ଡେଲହାଉସୀଙ୍କ ପର୍ଯ୍ୟନ୍ତ
ଏକ ସ୍ବର୍ଣ୍ଣିମ ଇତିହାସ
ବିସ୍ମୟର ସପ୍ତାଶ୍ଚର୍ଯ୍ୟ ନଥି ।
ତୁମେ ସେହି ଟ୍ରେନ ନା
ପିଟରମରିଜବର୍ଗ ଷ୍ଟେସନ
ବର୍ଣ୍ଣାନ୍ଧ ଇଂରେଜମାନଙ୍କ
ପୀଡନର ଶିକାର
ହୋଇଥିଲେ ମୋହନ ଦାସ
ରେଳ ଡବାରୁ ଫିଙ୍ଗିଦେଇ
କଳଙ୍କିତ ହୋଇଥିଲା ଜାତି
ମୋହନ ମହାତ୍ମା ହେଲେ
କଳଙ୍କର କାଳିମାରେ
ଲିପିବଦ୍ଧ ତୁମ କଳା କରାନାମା
ଇତିହାସ ଆଜି ତାର ମୁକସାକ୍ଷୀ ।
ଟ୍ରେନ ମାନବବାଦର
ଜୟଗାନ କରେ ଧ୍ବଜା ଉଡାଏ
ସଂପ୍ରୀତିର ମିତ୍ରତାର
ଡୋରିରେ ବାନ୍ଧିରଖେ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ
ଆପଣାର କରେ
ପହଞ୍ଚାଇ ଦିଏ ଆମ ଗନ୍ତବ୍ୟସ୍ଥଳୀରେ।
ଜୀବନ
ଏକ ଟ୍ରେନ ନୁହେଁ ତ ଆଉ କ’ଣ
ସୃଷ୍ଟିର ଆରମ୍ଭରୁ ଚାଲିଛି
ଏଇମିତି ଚାଲିଥିବ
ଥକି ପଡିବାପୂର୍ବରୁ ତାକୁ
ପହଞ୍ଚିବାକୁ ହେବ
ଅନ୍ତିମ ଷ୍ଟେସନରେ
ନିର୍ବାଣ ତା ନାମ ।
—xxx–
ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ
ମାର୍କୋଣା , ବାଲେଶ୍ବର -୭୫୬ ୧୨୬
ଭ୍ରାମ୍ୟଭାଷ – ୯୪୩୭୩୭୨୧୬୬