ନାକ
ନାକକୁ
ନେଇ ପଲ୍ଲୀରୁ
ଦିଲ୍ଲୀଯାଏ ଚର୍ଚ୍ଚା
ଜୋରଧରିଛି ଅତ୍ର ତତ୍ର
ସର୍ବତ୍ର କ`ଣ ପାଇଁ ଯେ
ନାକର ସୌନ୍ଦର୍ଯ୍ୟ
ସ୍ବର୍ଗର ସୌନ୍ଦର୍ଯ୍ୟ ବୋଲି
କବିମାନେ ଲେଖିଛନ୍ତି
ପାଶ୍ଚାତ୍ୟ ସାହିତ୍ୟ ଠୁଁ
ପ୍ରାଚ୍ୟ ଯାଏ ନାକର
ଆଲୋଚନା ଅନନ୍ୟ ।
ନାକ ପାଇଁ
ଅନେକ ବଳି ପଡିଛନ୍ତି
ପ୍ରତିଯୋଗିତାରେ
ପୁଣି ନାକ
କଟାଗଲା ବୋଲିତ
ଲଙ୍କାରେ ନିଆଁଲାଗିଲା
ହରଣ ଫେଡାଣ ମଧ୍ୟରେ
ଜନକ ନନ୍ଦିନୀ ଠାରୁ
ଦଶାନନ ଯାଏ
ହରଣରୁ ତ ଦଶାନନର
ସମସ୍ତ ପାପ ହରିଥିଲେ
କୌଶଲ୍ୟା ନନ୍ଦନ ।
ଆଜି କିନ୍ତୁ
ନାକକୁ ନେଇ
ବେଶ୍ ତର୍କ ବିତର୍କ
ମର୍ଲିନ୍ ମୁନରୋ ପରି
ନାକ ନ ହେଲେ
କେମିତି ହେବ
ବିଶ୍ବ ବିପଣନରେ
ସୌନ୍ଦର୍ଯ୍ୟର ସଉଦା ।
ନାକ ଆଘ୍ରାଣ କରିପାରେ
ବ୍ୟକ୍ତିତ୍ବର ସୁରଭି
ପ୍ରକୃତିର ଅନିନ୍ଦ୍ୟ ସୌରଭ
ନାକ ଶୋଷିପାରେ
ଜୀବନର ସ୍ପନ୍ଦନ
ନାକ ବାରିପାରେ
ସୃଜନର ସ୍ବାଦ
ନାକର ଅବର୍ତ୍ତମାନ
ବିଷାଦର ଏକ
ଅଲୋଡା ଗଣିତ
ନା ଭାଗ ଛିଣ୍ଡେ
ନା ରହେ ଭାଗ ଶେଷ
ନାକ ହିଁ ତ
ଅତୃପ୍ତିର ଏକ ଦୀର୍ଘଶ୍ବାସ।
ନାକ ବାରିପାରେ
ସୁଧା ଅବା ବିଷ
ନାକ ପାଇଁ
ସୌନ୍ଦର୍ଯ୍ୟର ପଶାଖେଳ
ନିରନ୍ତର ପ୍ରାଣର ପ୍ରୟାସ ।
–xxx–
ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ
ମାର୍କୋଣା, ବାଲେଶ୍ବର -୭୫୬ ୧୨୬
ଭରତ ଚନ୍ଦ୍ର ଦାଶ