ବିଦାୟ ଦେବୁ ବା କେମିତି
ହେ ସାଧକ !
ହେ ତପସ୍ୱୀ !
ଗାନ୍ଧର୍ବ ବିଦ୍ୟା ବିଶାରଦ
ବୀଣାଜୀଣା କଣ୍ଠ ସ୍ବର ସଂସାରେ ଦୁର୍ଲ୍ଲଭ
ମୁଁ ଦେଖିଛି ଅନୁଭବିଛି
ତୁମ ସାଧନାର ଗଭୀରତାକୁ
ଭାବରେ ତୁମେ ତଲ୍ଲୀନ
ତଦ୍ଗତା ହୁଅ ସ୍ବର ଓ ଲୟରେ
ଆଖିର ଭାବ ଓ ଗାମ୍ଭୀର୍ଯ୍ୟରେ
ହଜିଯାଅ ମଜିଯାଅ
କେଉଁ ଏକ ଭିନ୍ନ ରାଇଜରେ
ବାଣୀପୁତ୍ର ତୁମ କଣ୍ଠରେ
କଣ୍ଠାସୀନ ହୁଅନ୍ତି ବାଗ୍ଦେବୀ
ସବୁରି ହୃଦୟକୁ ବାନ୍ଧିରଖିବାର
ସାମର୍ଥ୍ୟରେ ତୁମେ ଅଗ୍ରଗଣ୍ୟ
ଉତ୍କଳ ଭୂମିରେ
ଭୂମିରୁ ଭୂମାଯାଏ
ତୁମର ଭାବଭୂମି
ପ୍ରଫୁଲ ଅକ୍ଷୟ ଯୋଡି
ସର୍ବତ୍ର ଚର୍ଚ୍ଚିତ
କମଳ ଅଛି ଦେଶ ଅଛି
ହେଲେ ରାଜକୁମାର
ବିଦାୟ ନେଇଛି ଏଇ
ଦାରୁଣ ବୈଶାଖରେ ।
ସଂଗୀତର
ଆଦ୍ୟରୁ ଅନ୍ତିମ ଯାଏ
ତୁମେ ସାଧିଥିଲ ସାଧନାର କ୍ଷେତ୍ର
କଣ୍ଠଦାନ ଠାରୁ ସଂଗୀତ ରଚନା
ପ୍ରତି କ୍ଷେତ୍ରେ ପ୍ରଫୁଲୀୟ ଚେତନାରେ
କାଳୋର୍ତ୍ତୀଣ୍ଣ ଯୁଗ ଯୁଗାନ୍ତର
ଇତିହାସର ଅମ୍ଳାନ ପୃଷ୍ଠାରେ ।
ସାଉଣ୍ଟା କାହାଣୀରେ
ଭାବ, ଆବେଗ ଓ ଅନୁଭବକୁ
ସାଉଣ୍ଟିବାରେ ଦ୍ବିତୀୟ କେ ଅଛି
ସମ୍ବାଦ ପତ୍ରର ଚତୁର୍ଥ ପୃଷ୍ଠା
ଶୂନ୍ୟ ଏଠି ତୁମ ଅବର୍ତ୍ତମାନରେ
କାଳିଆର କଳା
ଶ୍ରୀକ୍ଷେତ୍ରର ଶିରୀ
ପତିତପାବନର ମହିମ୍ନ
କୀର୍ତ୍ତିକୁ ଉଡାଇଥିଲ
ଦେଶ ବିଦେଶରେ
ତୁମ ଶବ୍ଦ ବ୍ରହ୍ମର ଆବାହନରେ
ସେମାନେ ଧନ୍ୟ ଲଭିଥିଲେ
ବିଜୟ ବୈଜୟନ୍ତୀ ଉଡିଥିଲା
ଅତ୍ର ତତ୍ର ସର୍ବତ୍ର ।
ମୋର ସୌଭାଗ୍ୟ
ସାଉଣ୍ଟା କାହାଣୀ ପଢିବା ପାଇଁ
ତୁମର ସପ୍ରେମ ତାଗିଦ୍
ପାଇବାରେ କେବେ
ଊଣା କରି ନ ତୁମେ।
ଦୁଇ ହଜାର ଏକ’ର
ଶ୍ରୀ ଗୁଣ୍ଡିଚା ପବିତ୍ର ତିଥି
ନୀଳଗିରର ଭଜନ ସଂଧ୍ୟା
ଅନୁରାଧା ଓ ମହାପ୍ରସାଦ ସହ
ପରିଚୟ କରାଇବାର ସ୍ମୃତି
ଉଜ୍ଜୀବିତ ଆଜି
ମୃତ୍ୟୁ ଯାଏ ଲିଭିବକି ମନୁ ।
ଜନ୍ମ ହେଲେ ମୃତ୍ୟୁ ତ ନିଶ୍ଚିତ
ତୁମ ମୃତ୍ୟୁ ମହାମୃତ୍ୟୁ
ଉତ୍କଳର କଳାକ୍ଷେତ୍ର ପରେ
ଶମନର ସାମର୍ଥ୍ୟ ବାହାରେ
ନେବା ପାଇଁ ଦୁର୍ଲ୍ଲଭ ଜୀବନ
ଦେବଦୂତ ଆସିଥିବେ
ଧରି ସ୍ବର୍ଗବାହୀ ରଥ
ହୀନବୀର୍ଯ୍ୟ ଚିହ୍ନିବ କେମିତି
ପ୍ରଫୁଲ ଏ ମର୍ତ୍ତ୍ୟର
ଗର୍ନ୍ଧବ ଶ୍ରେଷ୍ଠ କଳାକାର ବୋଲି।
ତୁମକୁ ବିଦାୟ ଦେଇ ହେବ ନାହିଁ
ଦେବୁ ବା କେମିତି
ସଂଗୀତ ସାହିତ୍ୟ କ୍ଷେତ୍ରେ
ତୁମେ ଚିର ବର୍ଷିୟାନ!
ସ୍ବାଗତ ସ୍ବାଗତ
ପ୍ରଣାମ ପ୍ରଣାମ ।
–<>–
ସଦସ୍ୟ , ଓଡିଶା ସାହିତ୍ୟ ଏକାଡେମୀ
ମାର୍କୋଣା , ବାଲେଶ୍ବର – ୭୫୬ ୧୨୬
ଭ୍ରାମ୍ୟଭାଷ – ୯୪୩୭୩୭୨୧୬୬
ରଚନା କାଳ – ତା୨୨.୦୪.୨୦୨୨
ଅପରାହ୍ଣ – ୧୮.୩୩
– ଭରତ ଚନ୍ଦ୍ର ଦାଶ