Lets talk with young Poetess Mamata Barik, hails from Bhadrak district of Odisha for SLF Literary Youth Icon Award contest-. 2023
ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ଵାକ୍ଷର-୨୦୨୩
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର
ନାମ– ମମତା ବାରିକ୍
ପିତାଙ୍କ ନାମ– ବିଷ୍ଣୁ ଚରଣ ବାରିକ୍
ମାତାଙ୍କ ନାମ- ଶକୁନ୍ତଳା ବାରିକ୍
ଜନ୍ମ ତାରିଖ– ୧୪/୦୩/୧୯୯୬
ଘର ଠିକଣା – ମୋରଡା, ମଞ୍ଜୁରୀ ରୋଡ, ଭଣ୍ଡାରିପୋଖରୀ
ଜିଲ୍ଲାର ନାମ- ଭଦ୍ରକ
ଶିକ୍ଷା ଗତ ଯୋଗ୍ୟତା- ଓଡ଼ିଆରେ ସ୍ନାତ୍ତକୋତ୍ତର
ବୃତ୍ତି– ଓଡ଼ିଶା ଷ୍ଟେଟ୍ ବ୍ରିଗେଡ ସ୍କୁଲ ରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ।
ଇ-ମେଲ- ଠିକଣା- [email protected]
ମୁଖପୁସ୍ତିକା/ Facebook ଠିକଣା-
https://www.facebook.com/lovelydiwani.lipika?mibextid=ZbWKwL
ସ୍ନେହର ମମତା!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ତରଫରୁ ଅଭିନନ୍ଦନ ଜାଣିବ।
୧-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟି ର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ ସାହିତ୍ୟ ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟିଏ ରଚନାତ୍ମକ ସାରସ୍ଵତୀୟ ଜୀବନ ବଞ୍ଚିଲେ ?
ଉ-: ସାହିତ୍ୟ ସୃଷ୍ଟିର ଆରମ୍ଭ କେବେ ହୋଇଥିଲା ମୋ ଜୀବନରେ ତାହାର ନିର୍ଦ୍ଦିଷ୍ଟ ସମୟ ମତେ ଜଣାନାହିଁ , ଅନୁମାନ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମୟରେ ଶିକ୍ଷକଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ପ୍ରଥମେ କଲମ ଧରିଥିଲି ଲେଖିବା ପାଇଁ । ଯଦିଓ ସେତେବେଳେ ସାହିତ୍ୟ ର ‘ସ’ ଅକ୍ଷର ମତେ ଜଣା ନଥିଲା । କିଛି ଶଦ୍ଦ କୁ ଯୋଡି ଲେଖିଥିଲି ଯାହା ମୋ ଭାଷାରେ ସେତେବେଳେ କବିତା ଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ପଛକୁ ଫେରି ଚାହିଁ ନାହିଁ । ବୋଧହୁଏ +୩ ସମୟରେ ବୟସ ୧୮ ହେବ ସାହିତ୍ୟ ଭାବରେ ବନ୍ଧା ପଡ଼ିଗଲି , ଯଦିଓ ଷଷ୍ଠରୁ +୩ ଯାଏଁ ଛୋଟ ଛୋଟ ଲେଖା ଲେଖୁଥିଲି । ସେବେଠାରୁ ସାହିତ୍ୟ ସହିତ ମମତାର ଡୋରିରେ ବନ୍ଧା ହୋଇ ଏକ ସାରସ୍ଵତୀୟ ଜୀବନ ବଞ୍ଚୁଛି । ସେ ରଜ୍ଜୁ ଏତେ ଶକ୍ତ ଯେ ଶେଷ ନିଃଶ୍ୱାସ ଯାଏ ସେଥିରୁ ମୁକୁଳିବା କଷ୍ଟ ।
୨-ଆପଣ କିପରି ଭାବେ ସାରସ୍ଵତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ- ସମାଜ ଆଉ ଜୀବନ ପରସ୍ପର ର ପରିପୂରକ । ଜୀବନ ଜଞ୍ଜାଳମୟ ହେଲେ ମଧ୍ୟ ସମାଜ ପାଇଁ ଆମର କିଛି କର୍ତ୍ତବ୍ୟ ରହିଛି ବୋଲି ମୁଁ ହୃଦବୋଧ କରେ । ପାଠ ପଢିବା ସମୟରେ ଯେତେବେଳେ ମୋର ମନକୁ କିଛି ଭାବନା ଆସେ ମୁଁ ତାକୁ ସେହି ଖାତାରେ ହିଁ ଲେଖିଦିଏ । ସମୟ ମିଳିବା ତ କଷ୍ଟ ତେଣୁ ବାହାର କରିବା ପାଇଁ ପଡେ ସମୟ ସାହିତ୍ୟ ସାଧନା ପାଇଁ ଆଉ ସାମାଜିକ ଜୀବନ ପାଇଁ । ପରିବାର ପାଇଁ ପର୍ଯ୍ୟାପ୍ତ ସମୟ ଦେଇ ପାରେନାହିଁ ତଥାପି ସମୟ ଦିଏ । ସାରସ୍ବତ ସାଧନା, ପାଠପଢ଼ା, ସାମାଜିକ ଜୀବନ ମଧ୍ୟରେ ସର୍ବସମତା ରକ୍ଷା କରିବାର ଗୋଟିଏ ଉପାୟ ମୁଁ ବାଛିଛି , ଅନ୍ୟାନ୍ୟ ସମୟ ବେଳେ ବି ମୁଁ ପାଠପଢା କଥା ଭାବେ , ପାଠପଢ଼ା ସମୟରେ ପରିବାର କଥା ଆଉ ପରିବାରରେ ଥିଲେ ମଧ୍ୟ ସାହିତ୍ୟ କଥା ଭାବୁଥାଏ ।
୩- ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାର ର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ- କହିବା ପାଇଁ ଲାଜ ଲାଗିଲେ ମଧ୍ୟ ସତ କହିବା ପାଇଁ ମୁଁ କୁଣ୍ଠାବୋଧ କରେ ନାହିଁ । ପରିବାର କହିଲେ ମୋ ବାପା,ମା, ଦୁଇଟି ଛୋଟ ଛୋଟ ଭଉଣୀ ଆଉ ଗୋଟିଏ ଛୋଟ ଭାଇ । ବାପା ମା ମୋର ଅଳ୍ପ ଶିକ୍ଷିତ ତେଣୁ ସାହିତ୍ୟ ସାଧନା କଣ ସେମାନେ ବୁଝନ୍ତି ନାହିଁ । ହଁ ସାହିତ୍ୟ ସାଧନାରେ ବ୍ରତୀ ହେବା ପାଇଁ ପରିବାର ର ସହଯୋଗ ମୋର ଚିର ସ୍ମରଣୀୟ , ବାପା ମା ସବୁବେଳେ ଗୋଟିଏ କଥା କହନ୍ତି ଯାହା ତୋ ପାଇଁ ଭଲ ସେଇଟା ତୁ କର । ପଢ଼ିବା ପାଇଁ ଯେତେବେଳେ ଯାହା ଦରକାର ବାପା ଯୋଗାଇ ଦିଅନ୍ତି । କୌଣସି କାମ ନ କରି ମୁଁ ଜଦି ଲେଖା ଲେଖି କରେ ପରିବାର ର କୌଣସି ସଦସ୍ୟ ଅଭିଯୋଗ କରନ୍ତି ନାହିଁ , ତେଣୁ ସାହିତ୍ୟ ସାଧନା ପାଇଁ ମୋ ପରିବାରର ସଦସ୍ୟ ମାନେ ନୂଆ ଶଦ୍ଦ କହିପାରି ନାହାଁନ୍ତି ସତ ତିଆରି କରିଛନ୍ତି ଏକ ସୁସ୍ଥ ବାତାବରଣ ଯାହା ପାଇଁ ମୁଁ ଆଜି ଏଇ ସ୍ଥାନରେ ପହଞ୍ଚିଛି ।
୪-କେଉଁ ମହାନ୍ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜିଯାଏଁ ପ୍ରୋତ୍ସାହିତ କରୁଛି ,ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ୍ ଆଲୋଚନା ରଖିବା ପାଇଁ ଅନୁରୋଧ ।
ଉ- ଆଧୁନିକ ସାହିତ୍ୟ ଜଗତର ବରେଣ୍ୟ କବି ପ୍ରତିଭା ଡଃ ସଚ୍ଚି ରାଉତରାୟ ମୋର ଆଦର୍ଶ ଅଟନ୍ତି । ସମାଜରେ ଘଟୁଥିବା ବିଭିନ୍ନ ଘଟଣା, ଦୁର୍ଘଟଣା,ସୁଖ ଦୁଃଖ ଇତ୍ୟାଦିର ବାସ୍ତବ ଚିତ୍ର ଏହି ମହାନ୍ ପ୍ରତିଭାଙ୍କର ଲେଖନୀ ମଣ୍ଡନ କରେ । କେବଳ ଗଳ୍ପ ନୁହେଁ କବିତା, ଆତ୍ମଜୀବନୀ, ସବୁ କ୍ଷେତ୍ରରେ ତାଙ୍କର ପାରଦର୍ଶିତା ମତେ ଆକର୍ଷିତ କରିଛି ଲେଖିବା ପାଇଁ । ବିଶେଷ କରି ତାଙ୍କର ମାନବବାଦୀ , ବାସ୍ତବବାଦୀ ଦୃଷ୍ଟିଭଙ୍ଗୀ ପାଇଁ ସେ ମୋ ପ୍ରେରଣା ର ଉତ୍ସ । ୧୯୧୩ ମସିହାର ମେଁ ମାସ ୩ ତାରିଖ ଦିନ ଗୁରୁଜଙ୍ଗ ଗ୍ରାମରେ ପ୍ରସନ୍ନ ରାଉତରାୟ,ମୁକ୍ତା ଦେବୀଙ୍କ କୋଳମଣ୍ଡନ କରିଥିଲେ ଅମଳିନ ତାରା । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଠାରୁ ଆରମ୍ଭ କରି ମର୍ଯ୍ୟାଦା ଜନକ ଜ୍ଞାନପୀଠ ପୁରସ୍କାର ଯାଏ ନିଜର ସ୍ଥାନ ତିଆରି କରିଥିଲେ । ଭାରତ ଭିତରେ ନୁହେଁ ସର୍ବଭାରତୀୟ ସ୍ତରରେ ମଧ୍ୟ ସେ ଖୁବ୍ ପରିଚିତ ।
୫-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି । କବିତା,ନାଟକ,ପ୍ରବନ୍ଧ ଉପନ୍ୟାସ ନାଁ ଗଳ୍ପରେ ?
ଉ- କବିତା,ଗଳ୍ପ, ପ୍ରବନ୍ଧ ମୁଁ କିଛି କିଛି ଲେଖିଛି । ଉପନ୍ୟାସ ଲେଖିବା ପାଇଁ ସାହାସ କରିନାହିଁ । ଅଧିକତର ମୁଁ ଗଳ୍ପ ରେ ନିଜକୁ ବ୍ୟକ୍ତ କରିଛି । ଏ ଯାବତ୍ ୫୦ ରୁ ଉର୍ଦ୍ଧ୍ବ ଗଳ୍ପ ମୁଁ ଲେଖି ସାରିଛି । ଅଳ୍ପ କିଛି କବିତା, ହାତ ଗଣତି କେତୋଟି ପ୍ରବନ୍ଧ ମୋ ଦ୍ଵାରା ଲେଖା ଯାଇଛି ।
୬- ଗଳ୍ପ କବିତା ଗୁଡ଼ିକ ଲେଖିଲା ବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ ?
ଉ- ଗଳ୍ପ, କବିତା ନୁହେଁ ସାହିତ୍ୟ ର ଯେ କୌଣସି କ୍ଷେତ୍ରରେ କଲମ ଚାଳନା କରିବା ପାଇଁ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ ,
ପ୍ରଥମତଃ ବନାନ ଗତ ଶୁଦ୍ଧତା , ଶବ୍ଦ ସଂଯୋଜନା, ସାହିତ୍ୟିକ ଶବ୍ଦ ର ବ୍ୟବହାର । ଏତଦ୍ ବ୍ୟତୀତ ସାହିତ୍ୟ ର ଅନ୍ୟାନ୍ୟ ନିୟମ ପ୍ରତି ଦୃଷ୍ଟି ଦେବା ଉଚିତ୍ । କବିତା କ୍ଷେତ୍ରରେ ପାଦର ପଦ ସଂଖ୍ୟା ,ଜତିପାଦ ଇତ୍ୟାଦି ଉପାୟ ଅବଲମ୍ବନ କଲେ ସୃଷ୍ଟି ସରସ ସୁନ୍ଦର ହେବା ସହିତ ପାଠକାଦୃତ ଲାଭ କରିଥାଏ ।
୭- କବିତା ଓ ଗଳ୍ପ କ୍ଷେତ୍ରରେ ଆପଣ କେଉଁ ପ୍ରକାର ସାମ୍ୟ ଓ ବୈଷମ୍ୟ ଦେଖନ୍ତି?
ଉ- କବିତା ହେଉଛି ଛନ୍ଦବୋଧ ଆଉ ଗିତୀମୟ । ଗଳ୍ପ ହେଉଛି ଗଦ୍ୟାକାର। ଉଭୟ ଲେଖାରେ ସମାଜରେ ପ୍ରଭାବ ପଡେ । କବିତା ଏକ ନିର୍ଦ୍ଦିଷ୍ଟ ଜିନିଷ ଉପରେ ଲେଖାଯାଏ ,ଗଳ୍ପ ମଧ୍ୟ ଏକ ଏକ ନିର୍ଦ୍ଦିଷ୍ଟ ବିଷୟ ଉପରେ ଲିଖିତ ହୁଏ । ଉଭୟ ମଧ୍ୟରେ ବୈଷମ୍ୟତା ମଧ୍ୟ ପରିଲକ୍ଷିତ ହୁଏ । କବିତା ରେ କୌଣସି ନିର୍ଦ୍ଦିଷ୍ଟ ଚରିତ୍ରକୁ ବିସ୍ତୃତ ବର୍ଣ୍ଣନା ର ଆବଶ୍ୟକତା ନ ପଡୁଥିବା ବେଳେ ଗଳ୍ପ କ୍ଷେତ୍ରରେ ବିସ୍ତୃତ ଆଲୋଚନା ର ଆବଶ୍ୟକତା ପଡ଼େ ନଚେତ୍ ଗଳ୍ପ ଟି ବୋଧଗମ୍ୟ ହୁଏ ନାହିଁ ।
୮- ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି । ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି ? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ର ମାନେ କିଭଳି ସମ୍ମୋହିତ କରନ୍ତି ?
ଉ- ଆଜ୍ଞା ହଁ ଏହା ଯଥାର୍ଥ , ଗଳ୍ପରେ ଚରିତ୍ର ଚିତ୍ରଣ ଆଉ କବିତାରେ ଚରିତ୍ର ଚିତ୍ରଣ ମଧ୍ୟରେ ଅନେକ ଫରକ୍ ରହିଛି । କବିତାରେ ଚରିତ୍ର ଚିତ୍ରଣ ର ସବିଶେଷ ବିବରଣୀ ନ ହେଲେ ପାଠକଟିଏ ବୁଝି ପାରିବ ,ଗଳ୍ପ ରେ ଚରିତ୍ର ର ସବିଶେଷ ବିବରଣୀ ଉପସ୍ଥାପନା ନ କଲେ ଚରିତ୍ର ତଥା ସମ୍ପୁର୍ଣ୍ଣ ଗଳ୍ପଟିକୁ ବୁଝିବା କଷ୍ଟସାଧ୍ୟ ହୁଏ। ମୋ କବିତାର ଚରିତ୍ର ମାନଙ୍କୁ ବିଶେଷ ଅନୁଶୀଳନ ର ଦରକାର ହୁଏ ନାହିଁ ଯଦିଓ ଚରିତ୍ର ଗୁଡିକୁ ଉପସ୍ଥାପନ ପାଇଁ କିଛି ବିବରଣୀ ଦେବା ପାଇଁ ପଡିଥାଏ। ଗଳ୍ପ ଲେଖିଲା ବେଳେ ଚରିତ୍ର ଗୁଡିକ ମଧ୍ୟରେ ନିଜକୁ ହଜେଇବାକୁ ପଡେ , ଚରିତ୍ର ନୁହେଁ ନିଜ ଭିତରେ ଅନୁଭବ କରିବା ପାଇଁ ପଡେ ସେ ମୁହୁର୍ତ୍ତ କୁ । ବେଳେବେଳେ ଗଳ୍ପ ଲେଖିବା ସମୟରେ ମୁଁ କଇଁ କଇଁ ହୋଇ କାନ୍ଦେ , ଆଉ କେବେ ପାଗଳ ପ୍ରାୟ ହସେ ସେଥିପାଇଁ ଘରେ ଗାଳି ବି ଶୁଣିବାକୁ ପଡେ ।
୯- ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି ,ଏ ନେଇ ଜଣେ ଯୁବ ସାରସ୍ବତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କଣ?
ଉ- ହଁ ଏହା ଯଥାର୍ଥ ସାହିତ୍ୟ ରେ ଉତ୍ତର ଆଧୁନିକତା ର ପ୍ରବେଶ ହୋଇଛି , ଏହା ସାହିତ୍ୟ ର ଯେତିକି ଉପକାର ସାଧିତ କରିଛି ଅପକାର ମଧ୍ୟ ଘଟାଇଛି । ଅନ୍ୟାନ୍ୟ ଦେଶ ଭ୍ରମଣ କରି ସେ ଦେଶର କଳା, ସଂସ୍କୃତି, ସାହିତ୍ୟ ଇତ୍ୟାଦି ବିଷୟରେ ଜାଣି ସେ ସବୁ ର କିଛି ଛିଟା ଆମ ସାହିତ୍ୟରେ ପକାଇଲେ ସାହିତ୍ୟ ସମୃଦ୍ଧ ହେବ । ଆଜି କାଲିର ଲେଖକ ମାନେ ସମାଜ, ଲୋକ ମାନଙ୍କର ସମୃଦ୍ଧି ବିଷୟରେ ଚିନ୍ତା କରୁ ନାହାନ୍ତି ସେମାନେ ଚାହୁଁଛନ୍ତି କଳେ ବଳେ ନିଜକୁ ବିଶେଷ ସମ୍ମାନ ର ଅଧିକାରୀ କରାଇବେ , ସେଥିପାଇଁ ସେମାନଙ୍କୁ ଯାହାବି କରିବା ପାଇଁ ପଡୁ କରୁଛନ୍ତି । ସାହିତ୍ୟ ହେଉଛି ସମାଜର ଦର୍ପଣ ତେଣୁ ସମାଜ ଉପଯୋଗୀ ସୃଷ୍ଟି ସର୍ଜନା କରନ୍ତୁ ଯାହା ସମସ୍ତଙ୍କ ହିତ ସାଧନ କରିବ । ଉତ୍ତର ଆଧୁନିକତା ହେଉ କି ଆଧୁନିକତା ତାହା ମନରେ ଆସୁ ଶଦ୍ଦ ଆଉ ଆଭୁଷଣରେ ନୁହେଁ ।
୧୦- ପୁରା କାଳରେ କରା ଯାଇଥିବା ଭାଷା ପ୍ରିତୀ ଆନ୍ଦୋଳନର ପ୍ରଭାବ ଓ ତାର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ- ପୁରା କାଳରେ କରାଯାଇଥିବା ଭାଷା ପ୍ରିତୀ ଆନ୍ଦୋଳନର ପ୍ରଭାବ ବହୁ ସମୟ ପର୍ଯ୍ୟନ୍ତ ସାହିତ୍ୟ କ୍ଷେତ୍ରରେ ଦୃଷ୍ଟିଗୋଚର ହୋଇଥିଲା । ଏବେ ତାହାର ପ୍ରଭାବ ଆଉ ନାହିଁ କହିଲେ ଭୁଲ୍ ହେବ । କିଛି ମାତ୍ରାରେ ଅଛି , ଏବେ ବି ବହୁ ଲେଖକ ସେ ରୀତି କୁ ନେଇ ନିଜର କଲମ ଚାଳନା କରୁଛନ୍ତି । ଏବେ ଏହା ଶିଥିଳ ହୋଇ ଯାଇଛି କାରଣ ପ୍ରତିଯୋଗିତା ମନୋଭାବ । ମୁଁ କେମିତି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବିର ସ୍ଵାର୍ଥପର ପଣିଆ ପାଇଁ ।
୧୧- ଜଣେ ସାରସ୍ବତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୁତି ସମ୍ପର୍କରେ ଜଣାଇବେ କି ?
ଉ- ସମସ୍ତଙ୍କ ପରି ମୋର ବି ସ୍ଵପ୍ନ ଥିଲା ସାହିତ୍ୟ କ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ । ବାପି,ମାମାଙ୍କର ବି ସ୍ଵପ୍ନ ଥିଲା ସାରସ୍ଵତ ସାଧନାରେ ମୋ ପିଲାର ଏକ ପରିଚୟ ହେଉ । ସେ କଥା ଭାବିଲେ ଆଖିରେ ଲୁହ ଜକେଇ ଆସୁଛି , ଯେଉଁ ଦିନ ସବୁ ଅପେକ୍ଷା ର ଅନ୍ତ ଘଟାଇ ପ୍ରଥମ ଥର ପତ୍ରିକାରେ ମୋ ଗଳ୍ପକୁ ସ୍ଥାନ ମିଳିଥିଲା । ଡାକବାଲା ହାତରେ ପଲ୍ଲିଶ୍ରୀ ପତ୍ରିକା ରେ ନିଜର ଗଳ୍ପ ଦେଖି ସ୍ଵର୍ଗ ପାଇଗଲା ପରି ଲାଗିଥିଲା ସେଦିନ, ସେ ଖୁସି ମୁଁ ବର୍ଣ୍ଣନା କରି ପାରିବି ନାହିଁ ।
୧୨- ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତିଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ ?
ଉ- ଗୋଟିଏ ବାକ୍ୟରେ କହିବି , ଜଗତୀକରଣ ଓ ବିଶ୍ଵାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ସୁଦୃଢ ଆଉ ଅବସ୍ଥିତି ବିଶ୍ଵପ୍ରସାରୀ । ଓଡ଼ିଆ ସାହିତ୍ୟର ଭବିଷ୍ୟତ ଉଜ୍ଜ୍ୱଳ ଏଥିରେ ସନ୍ଦେହ ନାହିଁ ।
୧୩- ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ,ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି?
ଉ- ହଁ ଆଜିର କ୍ଷୁଦ୍ରଗଳ୍ପ ପାଠକର ବହୁ ନିକଟରେ ପହଞ୍ଚି ପାରିଛି । ଆଜିର ଯୁବପିଢୀ ସହଜ ଆଉ ସଂକୀର୍ଣ୍ଣତା ପ୍ରତି ବେଶ୍ ଆକୃଷ୍ଟ । ଦୀର୍ଘ ଗଳ୍ପ ଅପେକ୍ଷା କ୍ଷୁଦ୍ରଗଳ୍ପ ପଢ଼ିବା ପାଇଁ ସେମାନେ ପସନ୍ଦ କରୁଛନ୍ତି । ସାମାଜିକ ଗଣମାଧ୍ୟମ ଆସିବା ପରେ ବିଭିନ୍ନ ପ୍ଲାଟଫର୍ମ ର ସୁବିଧା ମିଳିଲା ସାହିତ୍ୟ ସୃଷ୍ଟି ର ପ୍ରଚାର ପାଇଁ । ଯେହେତୁ ସମସ୍ତଙ୍କ ହାତରେ ମୋବାଇଲ୍ ସୁବିଧାରେ ଆଉ ସହଜରେ ସମସ୍ତେ ପଢି ପାରୁଛନ୍ତି ତେଣୁ କ୍ଷୁଦ୍ରଗଳ୍ପ ପାଠକର ନିକଟବର୍ତ୍ତୀ ଏଥିରେ ଦ୍ଵିମତ ହେବାର ନାହିଁ ।
୧୪- ସାହିତ୍ୟିକ ମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାର ବଦ୍ଧତା ରହିବା ଉଚିତ୍ କି? ସେ ସମ୍ପର୍କରେ କିଛି ମତ ରଖନ୍ତୁ ।
ଉ- ସାହିତ୍ୟ ଆଉ ସମାଜ ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ସାହିତ୍ୟ ର ଅର୍ଥ ହେଉଛି ଯାହା ସମାଜର ହିତସାଧନ କରେ । ପ୍ରତ୍ୟେକ ଲେଖକ ମାନେ ଏଥି ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ । ନିଜର ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ତଥା କିଛି ଭଲ ବାର୍ତ୍ତା ଦେବାପାଇଁ ଚେଷ୍ଟା କରିବା ଉଚିତ୍ । ଛୁରୀ ଠାରୁ ବି ଧାରୁଆ କଲମର ମୁନ ଯାହା ଯୁଦ୍ଧ କରି ହାସଲ କରିହୁଏ ନାହିଁ ଗୋଟିଏ ଲେଖା ମାଧ୍ୟମରେ ତାହା ହାସଲ କରିହୁଏ ତେଣୁ ପ୍ରତ୍ୟେକ ସାହିତ୍ୟିକ ନିଜ ଲେଖା କୁ ସମାଜ ଉପଯୋଗୀ କରିବା ସହିତ ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାର ବଦ୍ଧ ହୋଇ ରଚନା କରିବା ଉଚିତ୍ ।
୧୫- ଜଣେ କବି ଗୋଟିଏ କବିତା ଲେଖିସାରିବା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇନାହିଁ ସେତେବେଳେ ତାହାର ମୁହୁର୍ତ୍ତ କେମିତି କଟେ?ନିଜସ୍ଵ ଅଭିଜ୍ଞତା ସେପରି କିଛି ଅଛି କି ?
ଉ- ନିଶ୍ଚୟ ଅଛି ଆଜ୍ଞା । ଯେତେବେଳେ ଲେଖକଟିକୁ ଲାଗେ ତା କବିତାଟି ଭଲ ହୋଇନାହିଁ ସେତେବେଳେ ର ମୁହୁର୍ତ୍ତ ଅବର୍ଣ୍ଣନୀୟ , ନିଦ ହୁଏନି ,ଭୋକ ଲାଗେନି , ବିରକ୍ତ ମଧ୍ୟ ଲାଗେ । ମୋ ନିଜସ୍ଵ ଅନୁଭୂତି ମୁଁ କହୁଛି । ଷଷ୍ଠ ଶ୍ରେଣୀରେ ଶିକ୍ଷକଙ୍କ କଥାରେ କବିତା ଲେଖିଥିଲି , ଯେତେବେଳେ ସାହିତ୍ୟ କଣ ମୁଁ ବୁଝିଗଲି ଜାଣିଲି ସେତେବେଳେ ବୁଝି ଗଲି ସେଇଟା କବିତା ନଥିଲା କିଛି ଶଦ୍ଦ ର ସମାହାର । ଯଦିଓ ସାର୍ ସେତେବେଳେ ଭଲ ହୋଇଛି ବୋଲି କହିଥିଲେ । ବିଭିନ୍ନ ପତ୍ରପତ୍ରିକା ପାଇଁ କବିତା ଦିଏ କିନ୍ତୁ ତାହା ମନୋନୀତ ହୁଏନାହିଁ ସେତେବେଳେ ଭାରି କଷ୍ଟ ହୁଏ । ଯଦିଓ ମୁଁ ଜାଣେ ମୁଁ ଭଲ କବିତା ଲେଖି ପାରେନାହିଁ ବୋଲି ।
୧୬- ” ସାହିତ୍ୟର ସ- ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଅନୁଭବ, ଅନୁଭୂତି, ପୁସ୍ତକ ପଠନ ,ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ” ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ୍? ଯଦି ହଁ ତେବେ କାହିଁକି ? ତାହାର ଉତ୍ତର ରଖିବା ପାଇଁ ଅନୁରୋଧ ?
ଉ- ନାହିଁ ଆଜ୍ଞା ମୁଁ ଏଥିରେ ଏକମତ ନୁହେଁ , ସାହିତ୍ୟ ରଚନା ପାଇଁ ବୟସ ଗୁରୁତ୍ବପୂର୍ଣ୍ଣ କାହିଁକି ନା ଉପଯୁକ୍ତ ବୟସ ହେଲେ ଅନୁଭବ, ଅନୁଭୂତି, ପୁସ୍ତକ ପଠନ ,ମନନ ,ଚିନ୍ତନ ଏ ସବୁ ସମ୍ଭବ । ନହେଲେ ଛୋଟ ପିଲା ଟିଏ କହୁଥିବା ଅନାବନା କଥା ବି ସାହିତ୍ୟ ପଦବାଚ୍ୟ ହୋଇଥାନ୍ତା । ଉପଯୁକ୍ତ ବୟସ ନ ହେଲେ ପୁସ୍ତକ ପଠନ କରିବେ କିପରି, ଅନୁଭୂତି ଆସିବ କେମିତି । ତେଣୁ ବୟସ ଗୁରୁତ୍ବପୂର୍ଣ୍ଣ ଏହା ମୋ ମତ ।
୧୭- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏକ ସ୍ଵତନ୍ତ୍ର କାର୍ଯ୍ୟ କ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ଵ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ଵତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ?
ଉ- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ସମସ୍ତ କର୍ମ କର୍ତ୍ତା ଙ୍କୁ ମୋର ଭୁମିଷ୍ଟ ପ୍ରଣାମ। ମୋ ପରି ଜଣେ ଅଧମ କୁ ଏତେ ବଡ଼ ସୁଯୋଗ ଦେଇ ଥିବାରୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ପଡିବ । ବହୁତ ଖୁସି ମୁଁ ଏତେ ବଡ଼ ସୁଯୋଗ ମତେ ପ୍ରଦାନ କରିଥିବାରୁ । ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ । ବହୁଭାଗ୍ୟ ମୋର ଏପରି ଏକ ଅନୁଷ୍ଠାନର ଏକ ଅଂଶ ମୁଁ ହୋଇ ପାରିଛି । ସୁର୍ଯ୍ୟୋଦୟ ପରିବାରର ଦୀର୍ଘ ଜୀବନ କାମନା କରୁଛି।
୧୮- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି? ଯାହା ଫଳରେ ଓଡ଼ିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ବେ ଆପଣ “ସୁର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା ୨୦୨୩ “
ପାଇଁ କାହିଁକି ଆଗ୍ରହୀ ହେଲେ?
ଉ- ଓଡ଼ିଶାର କୌଣସି ଆନୁଷ୍ଠାନ ସହିତ ମୁଁ ଜଡ଼ିତ ନାହିଁ ତଥାପି ଅନୁଭବ କରିଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ରେ ପରସ୍ପର ପ୍ରତି ଭଲ ପାଇବା, ଜଣେ ଅନ୍ୟ ଜଣଙ୍କର ଭୁଲ୍ ସୁଧାରିବା ପାଇଁ ଚେଷ୍ଟା କରିବାର ପ୍ରୟାସ ବୋଧେ ଆଉ କେଉଁ ଅନୁଷ୍ଠାନରେ ନଥିବ ।
ସୂର୍ଯ୍ୟୋଦୟ ପରିବାରର ମୁଁ ନୂତନ ସଦସ୍ୟ ,ମୋର ବେଶି କିଛି ଅନୁଭୂତି ନାହିଁ । ଅଳ୍ପାନୁଭୁତିରେ ଯେତିକି ବୁଝିଛି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଖାଲି ଓଡ଼ିଶାର ନୁହେଁ ସମଗ୍ର ଭାରତବର୍ଷରେ ବେଷ୍ଟ୍ ସେଥିପାଇଁ ଏହାର ଯୁବ ପ୍ରତିଭା କାର୍ଯ୍ୟକ୍ରମ ରେ ଭାଗ ନେବାକୁ ମୁଁ ମନସ୍ଥ କରିଛି । ଏହାର ଜଣେ ସଦସ୍ୟ ଭାବରେ ମୁଁ ଗର୍ବିତ।
୧୯- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି ?
ଉ- ସୂର୍ଯ୍ୟୋଦୟ ପରିବାରର ମୁଁ ନୂତନ ଅତିଥି ତାହା ପୁଣି ଗୋଟାଏ ଛୋଟ ଭୁଲ୍ ରୁ ହୋଇଥିଲା। ମୋ ନାମ ସହିତ ଅନ୍ୟ ଜଣେ ଲେଖକଙ୍କ ନାମ ସମାନ , ଏକ ପ୍ରତିଯୋଗିତା ପାଇଁ ତାଙ୍କ ନାମ ଉଲ୍ଲେଖ ଥିବା ବେଳେ ଭୁଲ୍ ବସତଃ ମୁଁ ମୋ ନାମ ଭାବି ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସଦସ୍ୟଙ୍କ ସହିତ ଯୋଗାଯୋଗ କଲି ,ତା ପରେ ମୋର ସେ ଭ୍ରମ ଦୂର ହୋଇଗଲା ଆଉ ମୁଁ ଏହି ଅନୁଷ୍ଠାନ ସହିତ ଜଡ଼ିତ ହୋଇଗଲି । ସାହିତ୍ୟ ହେଉଛି ମନୋରଞ୍ଜନ ର ମାଧ୍ୟମ ସବୁ ଚିନ୍ତାକୁ ଦୂର କରି ମନରେ ଆନନ୍ଦ ଭରେ ସାହିତ୍ୟ ତେଣୁ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟର ଆବଶ୍ୟକତା ଅତିବ ଗୁରୁତ୍ବପୂର୍ଣ୍ଣ ବୋଲି ମୋର ମତ ।
୨୦- ସାହିତ୍ୟକୁ ନେଇ ଆପଣଙ୍କ ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି ?
ଉ- ସାହିତ୍ୟ ଆଉ ଜୀବନ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ଜଣଙ୍କ ବିନା ଅନ୍ୟ ଜଣେ ଅସମ୍ପୂର୍ଣ୍ଣ , ଜୀବନରେ ସାହିତ୍ୟର ଜାଗା ସ୍ଵତନ୍ତ୍ର ତାହା ଅସ୍ବୀକାର କରି ହେବ ନାହିଁ । ସାହିତ୍ୟିକୁ ପେଶା ନୁହେଁ ନିଶା ଭାବରେ ଗ୍ରହଣ କରିଛି ,ଆଉ ଆଶା ଅଛି ନିଜର କଳା ସଂସ୍କୃତି ଓ ସାହିତ୍ୟକୁ ଏକ ସ୍ଵତନ୍ତ୍ର ପରିଚୟ ଦେବା କ୍ଷେତ୍ରରେ ଗୁଣ୍ଡୁଚି ମୂଷା ପରି ନିଜକୁ ନିୟୋଜିତ କରିବା ପାଇଁ । ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଠାରୁ ବହୁତ କିଛି ଆଶା ଅଛି ମୋର। ନିଜର ଲେଖାକୁ ମାର୍ଜିତ କରିବା ପାଇଁ ତଥା ଲେଖାକୁ ଅନ୍ୟ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର ସହଯୋଗ କାମନା କରେ । ଆଶା କରୁଛି ଏହା ମତେ ନିଶ୍ଚୟ ମିଳିବ ।
ସ୍ନେହର ମମତା!
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।
ଅଭିନନ୍ଦନ ସହିତ
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ
ଖୁବ୍ ସୁନ୍ଦର ଦିଦି
ଖୁବ୍ ସୁନ୍ଦର ମତାମତ।ଆପଣଙ୍କ ସ୍ଵପ୍ନ ଥିଲା ସାହିତ୍ୟ କ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ ଆଜି ସାହିତ୍ୟ କ୍ଷେତ୍ରରେ ପାଦ ଥାପି ସାରିଛନ୍ତି।ଅନ୍ୟ ଲେଖକର ନାମରେ ଭ୍ରମିତ ନ ହେବା ପାଇଁ ଏବେ ସୁନ୍ଦର ସୁନ୍ଦର ନିଜର ସାହିତ୍ୟ ସୃଷ୍ଟି ରଚନା କରି ଉଚ୍ଚକୋଟିର ଲେଖକଙ୍କ ସମ ହେବାକୁ ସଦା ଚେଷ୍ଟା କରନ୍ତୁ।ମା’ସରସ୍ବତୀ ସର୍ବଦା ଆପଣଙ୍କୁ ସାହା ହୁଅନ୍ତୁ।
ମତାମତ ପାଇଁ ହୃଦୟରୁ ଅନେକ ଅନେକ ଧନ୍ୟବାଦ
ଆପଣମାନଙ୍କ ସହଯୋଗ ଭଲପାଇବା ଦରକାର ସାହିତ୍ୟ ରାସ୍ତାରେ ଚାଲିବା ପାଇଁ ।
ଅତି ଚମତ୍କାର ଉପସ୍ଥାପନା
ବହୁତ ସୁନ୍ଦଦ
ଧନ୍ୟବାଦ
Han bhaut bhala lekha mamatankara,mun tankara sabu lekha padhe
ଧନ୍ୟବାଦ