କିଏ ଭାଙ୍ଗିଦେଲା ଚୁଲି
କହୁଛନ୍ତି କାଳେ ଶ୍ରୀମନ୍ଦିର ଛାଡି
ଜଗା ଯାଇଥିଲା ବୁଲି,
ଦାଣ୍ଡ ଧୂଳି ଖେଳି ଫେରିଲା ବେଳକୁ
ଭାଙ୍ଗି ଯାଇଛି ତା ଚୁଲି,
କହିବ କି ପ୍ରଭୁ ଖୋଲି,
ବଡ ଘର ବଡ ଗୁମର କଥାକୁ
ଲୁଚେଇ ବସିଛ ଖାଲି ।।
ନୀଳାଚଳ ବୋଲି ହୁରି ପଡୁଅଛି
ସିଂହାସନେ ଖେଳ ଦୋଳି,
ଓପାସ ରହିଲ କି ଲାଭ ପାଇଲ
ମିଛରେ ଲାଗିଛି କଳି,
ଲିଳା ତୁମ କେଉଁ ଭଳି,
କାହିଁକି ପ୍ରଭୁ ହେ ଦୋଷ ଲୁଚାଉଛ
ଦୋଷୀ ଖେଳେ ଲୁଚକାଳି ।।
ଓଡିଶା ମାଟିର ଓଡିଆ ଜାତିର
ତୁମେ ପରା ମହାବାହୁ,
ମନେ ପଡେ ଯେବେ ନଅଙ୍କ ଦୂର୍ଭିକ୍ଷ
ଆଖିରୁ ଝରଇ ଲହୁ,
ଜଳେ କଙ୍କାଳେ ଦାଉ,
ତଥାପି ଓଡିଆ ଅନ୍ନ ଛୁଇଁଲେନି
ତୁମ ପେଟ ଆଗେ ରହୁ ।।
ସଂସାର ସାଗରେ ଜୀବନ ଜାହାଜ
ତୁମେ ପରା ନାଉରିଆ,
ନିଜ ଘରେ ଆଣ୍ଠୁଏ ପାଣିରେ
ବସିବାକୁ ନାହିଁ ଠାଆ,
ମିଛ ସତ ବାହା ବାହା,
କୋଟି ଓଡିଆଙ୍କ ମଉଡ ମଣି ହେ
ପ୍ରାରବ୍ଧକୁ ତୁମେ ସାହା ।।
ସଂଗ୍ରାମ ମହାରଣା
ଇନ୍ଦୁପୁର,କେନ୍ଦ୍ରାପଡା
ମୋ-୯୯୩୮୫୭୯୪୫୬