ପ୍ରିୟ ସହୀର ଚିଠି
ଅଚାନକ ଅନ୍ତରଙ୍ଗ ସଖୀଠାରୁ
ଚିଠିଟିଏ ମୁଁ ପାଇଲି,
ପାଉ ପାଉ ଆମୂଳଚୁଳ ପଢିବା
ଆରମ୍ଭ ମୁହିଁ କରିଲି ।
ପ୍ରିୟ ସହୀ ମୋର ସେନେହ ଘେନିବୁ
ପିଲାଙ୍କୁ ତୋହର ଦେବୁ,
ଗୁରୁଜନଙ୍କୁ ମୋ ଭୂମିଷ୍ଠ ପ୍ରଣାମ
ତୁହି ଆଗ ଜଣାଇବୁ ।
ମୋ ଛାତିର ବ୍ୟଥା ଏ ଚିଠି ମାଧ୍ୟମେ
ତତେ ମୁହିଁ ଜଣାଉଛି,
ଆଉ କାହା ଆଗେ ବଖାଣିବୁ ନାହିଁ
ମୋ ରାଣ ତତେ ଦେଉଛି ।
ଘରର ଗୁମର ଆଉ କାହା ଆଗେ
କହି ଯେଣୁ ପାରେ ନାହିଁ,
ଅନ୍ତରର ଭାବ ଜଣାଇଲି ତତେ
ଜାଣେ ଧୋକା ଦେବୁ ନାହିଁ ।
ତୁହି ମୋର ପିଲାଦିନ ସାଙ୍ଗ ଜାଣୁ
ଲେଖିବା ଅଟେ ମୋ ପ୍ରାଣ,
ସଂସାର ଜଞ୍ଜାଳେ ପଡି ଛଟପଟ
କାନ୍ଦି କାନ୍ଦି ଯାଏ ଦିନ ।
ଅଲିଅଳି ହୋଇ ବଢିଥିଲି ମୁହିଁ
ବାପାବୋଉ ଗଣ୍ଠିଧନ,
ଗାଳି ପଦେ କେବେ ଶୁଣି ମୁଁ ନଥିଲି
ବୋଉର ରଙ୍କରତନ ।
ଦିନ ରାତି କାମ କରି କରି ଥକେ
ବେଳ ଟିକେ ପାଏ ନାହିଁ,
ଗଳ୍ପ କବିତା ଲେଖିବା ନିଶା ମୋର
ଭୁଲିଗଲି ପରା ମୁହିଁ ।
ସ୍ବାମୀ ମୋ କହନ୍ତି ରୋଷେଇ କରୁଛୁ
କାଢୁଛୁ କିଆଁ ଫୁଟାଣି,
ସଉଦା କିଣି ମୁଁ ଯୋଗାଉଛି ତତେ
ଘରେ ବସୁ ସତେ ରାଣୀ ।
ରନ୍ଧନ ନୁହେଁ ବନ୍ଧନ ତାହା ବୋଲି
କହିଥିଲେ ଶାଶୁ ମୋର,
ରୋଷେଇ ସହିତ କେତେ କାମ ଛନ୍ଦା
ସ୍ବାମୀ ଜାଣନ୍ତିନି ମୋର ।
ବାନା ବାସ୍ତୁରା ପ୍ରାୟ ସିଏ ବୁଲନ୍ତି
ଘରକୁ ସମ୍ଭାଳେ ମୁହିଁ,
ପିଲାଙ୍କୁ ଯଦି ନିଜେ ପଢାଇ ନଥାନ୍ତି
ମୂର୍ଖ ହୋଇଥାନ୍ତେ ସେହି ।
ପିଲାଙ୍କ ମୁହଁକୁ ଚାହିଁ ପରା ମୁହିଁ
ଦୁଃଖ ସବୁ ସହିଗଲି,
ଟାଏଁ ଟାଏଁ କଥା ଫିଙ୍ଗା ଓ ଫୋପଡା
ଦେହକୁ କିଛି ନ ନେଲି ।
ବିନା ଦୋଷରେ ସେ ମୋ ବାପା ଭାଇଙ୍କୁ
ବାର କଥା ଗାଳିଦେବେ,
କାଲୁଣୀ ଭଳିଆ ଶୁଣେ ମୁହିଁ ସବୁ
ପାଟି ଖୋଲି ନାହିଁ ଲବେ ।
କେତେବେଳେ ଯଦି କଲମ ଧରିଲି
ନାନା କଥା ଧିକ୍କାରିବେ,
ଆହା ମୋ ଉପେନ୍ଦ୍ର ଭଞ୍ଜିଆଣୀ କିଲୋ
ଟାପରା କେତେ କରିବେ ।
ନିଜେ କିନ୍ତୁ କବି ସମ୍ମିଳନୀ ଯିବେ
ଘରେ ସଢୁଥିବି ମୁହିଁ,
ମୋ ପରି ଦୁଃଖିନୀ ଏହି ଜଗତରେ
ଆଉ କେହି ଜଣେ ନାହିଁ ।
ପଢ଼ା ଲେଖା ସବୁ ଚୁଲିକୁ ଗଲା ମୋ
ହାଣ୍ଡିଶାଳେ ଗଲା ବେଳ,
ଘରଝଡାରୁ ବାସନ ମଜାମଜି
ବହିଯାଉଥାଏ ଝାଳ ।
ହସିକରି ପଦେ କହୁଥାନ୍ତେ ଯଦି
ଦୁଃଖ ଯାଆନ୍ତି ମୁଁ ଭୁଲି,
ଫଟାରସିକ ସେ ପର ମାଇପଙ୍କୁ
ପକାନ୍ତି ସତେକି ଗିଳି ।
ତାଙ୍କ ଠାରୁ ପାଞ୍ଚ ବର୍ଷ ବଡ କାଳି
ଭାଉଜ ସହିତ ସେହି,
ଲଟରପଟର ହୁଅନ୍ତି କେତେ ଲୋ
ଲାଜ ଟିକେ ମାଡେ ନାହିଁ ।
କହିଲେ କୁହନ୍ତି କୃଷ୍ଣ ପରା ରାଧା
ମାଇଁକୁ ପ୍ରେମ କରିଲେ,
ଷୋହଳସହସ୍ର ଗୋପ ନାରୀ ସାଥେ
ଏକାକୀ ରାସ ରଚିଲେ ।
କୃଷ୍ଣ କଲେ ଲୀଳା ମୁଁ କରିଲେ କିଳା
ଶୁଣିବିନି କଥା ତୋର,
କୃଷ୍ଣ କଳା ଟିକେ ରହିଛି ମୋ ଠାରେ
କୁହନ୍ତି ସାଙ୍ଗ ମୋହର ।
କୃଷ୍ଣ ଟେକିଥିଲେ ଗୋବର୍ଦ୍ଧନ ଗିରି
ଏକଥା ଯାଆନ୍ତି ଭୁଲି,
ପରକୀୟା ପ୍ରେମ କରିଲା ବେଳକୁ
କୃଷ୍ଣ ମନପଡେ ଖାଲି ।
ସବୁ ପୁରୁଷ ଏପରି ଅଟନ୍ତି କି
ଏକା ଗେରସ୍ତ ମୋହର,
ଏପରି କଳାରେ ଭାରି ଧୂରନ୍ଧର
ପାଇନି ତା’ର ଉତ୍ତର ।
କେତେଟା ଦରମା ଟଙ୍କା ସେ ଦିଅନ୍ତି
ଘର ଚଳାଏ କଷ୍ଟରେ,
ନାଲିପାଣି ତାଙ୍କ ଲୋଡା ପଡିଥାଏ
ପିଅନ୍ତି ସାଙ୍ଗ ମେଳରେ ।
ପିଲା ବଡ ହେଲେ ବାପାଙ୍କ କଥାଟି
ସହଜେ ଜାଣିପାରିଲେ,
ମୋ ବିରୁଦ୍ଧରେ ପିଲାଙ୍କୁ ଶିଖାଉଛ
ଓଲଟା ମତେ ଶୋଧିଲେ ।
ତାଙ୍କ ଛଡା ଆନ କେଉଁ ପୁରୁଷକୁ
ସପନେ ମୁଁ ଭାବି ନାହିଁ,
ସିଏ କିନ୍ତୁ କିଆଁ ଏମିତି ହୁଅନ୍ତି
ଅବୁଝା ଗଣିତ ଏହି ।
ତାଙ୍କ ଇଚ୍ଛା ମୁହିଁ ସାଜସଜ୍ଜା ହୋଇ
ଜହ୍ନ ପରି ଦିଶୁଥାଏ,
ଘରକାମ କରି ପ୍ରାଣ ଯାଏ ମୋର
ସଜ ହେବା ଦୂରେ ଥାଏ ।
ଏମିତି ଜୀବନ ଲାଗେ ବିଚିକିଟା
ଭାବେ ମୁଁ ଦଉଡି ଦେବି,
ମଲେ ମୋ ମରଦ କି ହୀନସ୍ତା ହେବେ
ସେକଥା ପାରୁନି ଭାବି ।
କେବେ କେବେ ମୁହିଁ ଯଦି ବାପଘର
ଯାଏ କିଛି ପରବରେ,
ରୋଷେଇ ନକରି ଚୁଡ଼ା ମୁଢ଼ି ଖାଇ
ଥାଆନ୍ତି କେତେ କଷ୍ଟରେ ।
ହୋଟେଲ୍ ଖାଇବା ଦେହରେ ଯାଏନି
ପେଟ ଟି ଖରାପ ହୁଏ,
ଟଙ୍କା ଗଣିଦେଇ ରୋଗକୁ କିଣିବେ
ମୁଁ ବାପଘର ଭୁଲିଯାଏ ।
ବାପଘରୁ ମୁହିଁ ଫେରିଲାବେଳକୁ
ଘର ଦେଖେ ଭୂତଖାନା,
ଚାହା ସସ୍ ପେନ୍ ପୋଡିଯାଇଥାଏ
ଘର ସତେ ପାଇଖାନା ।
ସ୍ବାମୀ ନିନ୍ଦା ଯେତେ କରିଲିଣି ମୁହିଁ
ନର୍କଗାମୀ ନିଶ୍ଚେ ହେବି,
ବଳିପଡିଲାରୁ ମନର ବେଦନା
ଲେଖିଦେଲି କିଛି ଭାବି ।
ସର୍ବ ସୁଖ ତାଙ୍କ କାମନା କରୁଛି
ଲୁହ ପଛେ ଝରୁଥାଉ,
ଇହ ପରକାଳ ଦେବତା ସେହି ଲୋ
ନିନ୍ଦା ନଗାଇବି ଆଉ ।
ଚିଠି ପାଇ ନିଶ୍ଚେ ଚିଠିଟିଏ ଦେବୁ
ଭୁଲି ଜମା ଯିବୁ ନାହିଁ,
ଚାତକ ପରାଏ ଚାହିଁ ରହିଲି ଲୋ
ତୋ ହାତଲେଖାକୁ ମୁହିଁ ।
ଏତିକିରେ ଇତି କରୁଅଛି ଆଜି
ଅଭାଗିନୀ ସଖୀ ତୋର,
ଈଶ୍ବରଙ୍କ କୃପାରୁ ଥିବୁ କୁଶଳରେ
ମାଗୁଣି ବିଭୁ ପୟର ।
ମମତା ଶତପଥୀ
କେନ୍ଦ୍ରାପଡ଼ା