ପ୍ରତୀକ୍ଷା
ହା ହା
କ’ଣ ଦେଖୁଛ ନଟବର ଝରକା ଫାଙ୍କରେ
ସେଇ ନଡ଼ିଆ ଗଛଟାକୁ…!
ହଁ ବୁଢ଼ା ନହେଲେ ବି ସେମିତି ଯୁଆନ ନାହିଁ ସେ
ଫଳଉଥିଲା ଶ୍ରୀଫଳ ଯାହାକୁ ଯେତେ
ଶୋଷି ନେଇ ତା ରସକୁ କେଇଟା ବର୍ଷରେ
ବୁଢ଼ା କରିଦେଲେ ଅସମୟରେ ତାକୁ
କେହି ରଖିଲେନି ହିସାବ ତା ବୟସ, ଆୟୁଷ ର
ଚମାର ଲଗେଇ ଚାଞ୍ଛି ପକେଇଲେ
ଏତେ ଚାଞ୍ଛିଲେ ଏତେ ଶୋଷିଲେ ଯେ
ଦଦରା ବାହୁଙ୍ଗା କୁ ମୁଠାଏ ଗୋଟମା ହିଁ
ଆଜି ତା’ ଶେଷ ସମ୍ବଳ
ଗୋଟମା ବି ଆତ୍ମହତ୍ୟା କରନ୍ତି
ଗୋଟି ଗୋଟି ହେଇ ତଳେ ପଡ଼ି
ଖାଲି ଯା’ ପ୍ରତୀକ୍ଷା ଟେ
କେବେ ହେବ ତା’ର ମୁକ୍ତି
ଏ ତ୍ୟାଗପୂତ ବୃକ୍ଷ ଜୀବନରୁ
ଜାଣେନି ସେ ସେଇଟା ହବ କି ସ୍ଵାଭାବିକ ଅବା
ଜୀବ ଥାଉଁ ଥାଉଁ କଟିବ ପୋର୍ଟିକ ଟେ ପାଇଁ…
ଉଠୁ ଆଉ ଭାବନା କିଛି ନଟବର
ନା କିଛି ଦବାକୁ ତୋ’ଠି ଅଛି କିଛି ବାକି
ନା ତୋଷି ପାରିବୁ ଆଉ କାହା ଶୋଷ
ବଞ୍ଚି କେତେ ନ ବଞ୍ଚି କେତେ ତୁ
ଦେଖୁନୁ ତୋ ସଚଳ ଅଙ୍ଗ ରୁ କିଛି
କ୍ରମେ ହେଇ ଚାଲିଛି ଅଚଳ
ଏବେ ତୁ ସେଇ ବୃକ୍ଷ
ହଁ ରେ ନଟବର
ତୁ ଏବେ ସେଇ ବୃକ୍ଷଟି ହେଇଯା ଆଉ
ପ୍ରତୀକ୍ଷା କର ଆୟୁଷର ଶେଷ ଗାର କୁ…
ଜୁମର ନାଥ ପାତ୍ର