ପ୍ରଥମ ପ୍ରେମ
ପଦ୍ମିନୀ କର୍କରା
ପ୍ରେମ ହିଁ ସତ୍ୟ, ପ୍ରେମ ହିଁ ନିତ୍ୟ
ପ୍ରେମ ହିଁ ଅଟେ ଭଗବାନ,
ଦୁନିଆ ଜାଣିଛି ପ୍ରେମ ବିହୁନେ
ବ୍ୟର୍ଥ ହୁଅଇ ଏ ଜୀବନ ।
ପ୍ରେମ ମାନେ ନୁହେଁ ମନ କି ମିଳନ
ନୁହେଁ ସେ ଧନୀ କି ଗରିବର,
ପ୍ରେମର ମାନେ ସବୁଠି ସମାନ
ପ୍ରେମ ସତ୍ୟ , ଶିବ, ସୁନ୍ଦର ।
ତାହାର ମାନେ ପରଖି କି ହେବ
ଯେଉଁ ଠାରେ ସେହି ପ୍ରକାର,
ପ୍ରଥମ ପ୍ରେମ ତା ସାଥେ ହେଲା
ଯିଏ ଜନମ ଦାତ୍ରୀ ମୋହର ।
ତା ପ୍ରଥମ ଛୁଆଁର ଉଷ୍ମ ସ୍ପର୍ଶରେ
ଖେଳି ଯାଇଥିଲା ଶିହରଣ,
ପରିଚୟ ପାଇ ପ୍ରତିଷ୍ଠିତ ହେଲି
ନିଜେ ମୁଁ ଆପଣା ପଣ ।
ଅନାବିଳ ପ୍ରେମର ବାରିଧାରା ସେ ତ
ନାହିଁ ତା ପ୍ରେମରେ ଛଳନା,
ପ୍ରଥମ ପ୍ରେମର ପ୍ରଥମ ତା ପରଶ
ଦିଏ ନାହିଁ କେବେ ପ୍ରତାରଣା ।
ଜୀବନ ଯୁଦ୍ଧ ରେ ସାରଥୀ ସାଜି
ନେଇଛି ସେ ବାଟ କଡେଇ,
ଆସିଛି ଯେତେ ଦୁଃଖ ବିପଦ
ରହିଅଛି ସଦା ସାଥି ହୋଇ ।
ପ୍ରେମର ବନ୍ଧନେ ବାନ୍ଧିଛି ମତେ
ରଖିଛି ମୁଁ ହୃଦୟରେ ସାଇତି,
ନୟନେ ସପନେ ସ୍ମୃତି ଜାଗରଣେ
ତା କଥା ଭାବଇ ମୁଁ ନିତି ।
ସଗରଠୁ ବଡ଼ ଭୂମିଠାରୁ ଭାରି
କେହି ହେବେ ନାହିଁ ତା ସରି,
ପଣତ ତାହାର ଲାଗେ ସ୍ବର୍ଗ ସମ
ବାଣୀ ତାର ଅମୃତ ପରି ।
ଦୁନିଆ ସାରାର ସବୁ କଷ୍ଟ ସହି
ଦେଇ ଅଛି ଯେବେ ଜନମ,
ତା ଛଡା ଆଉ କାହା ସାଥିରେ
କେବେ ହେବ କି ପ୍ରଥମ ପ୍ରେମ ?
ସେହି ଏକା ମୋର ଗତି , ମୁକତି
ସେହି ଅଟେ ପ୍ରଥମ ପ୍ରେମ,
ତା ଚରଣ ତଳେ ନଇଁ ଥାଉ ମଥା
ତା ପାଦେ ସଦା ନମଃ ନମଃ ।।
ଲକ୍ଷ୍ମୀପୁର, କୋରାପୁଟ