ମାଆର ପଣତ
ଜାନକୀ ମହାନ୍ତ
ପ୍ରସବ ଗୃହରେ ଗର୍ଭ ବେଦନାରେ
ହୁଏ ଛଟପଟ ଯେବେ,
ତେବେ ବୁଝିଗଲି ମାତୃତ୍ଵ କି ବୋଲି
ସମ୍ପୂର୍ଣ୍ଣତା’ ତ୍ୟାଗ ତେବେ।।
ମାଆର ପଣତ ତ୍ରିରଙ୍ଗାର ନେତ
ମାଆ କୋଳ ଚାରିଧାମ,
ପୀୟୂଷ ଠୁଁ ବଳି ପୀୟୂଷମୟୀ ସେ
ଆଉ କେ’ ନାହିଁ ତା’ ସମ।।
ପ୍ରାରବ୍ଧର ବଳେ ନର ଜନ୍ମ ମିଳେ
ସୌଭାଗ୍ୟକୁ ମାଆ କୋଳେ,
ସ୍ୱର୍ଗ ମର୍ତ୍ତ୍ୟ ଆଉ ପାତାଳ ପୁରର
ଚଳନ୍ତି ପ୍ରତିମା ମିଳେ ।।
ମାଆ ଆଦ୍ୟ ଗୁରୁ ପ୍ରଣବ ମୂଳରୁ
ସୁରକ୍ଷା କବଚ ସିଏ,
ସ୍ନେହ କରୁଣାର ଆଶିଷ ଭଣ୍ଡାର
ଦ୍ୱିତୀୟ ଆଉ କେ ନୁହେଁ।।
ମନତଳ କଥା ବୁକୁ ତଳ ବ୍ୟଥା
ପଢ଼ି ବୁଝି ପାରେ ଯିଏ,
ସେ ବେଦ ଓଁକାର ଦାନ ବିଭୁଙ୍କର
ଶ୍ରଦ୍ଧାରେ ସମ୍ପୂର୍ଣ୍ଣା ସିଏ ।।
ପ୍ରଭୁ ଠାରୁ ଆଗେ ତା’ର ନାମ ଜାଗେ
ମୋର ହୃଦୟ ପୁଲୀନ,
ସବୁଦିନ ଅଟେ ମାତୃତ୍ଵ ଦିବସ
ଦଶମାସ ଦଶଦିନ ।।
ମା’ ଅମୁଲ ମୁଲ ନାହିଁ ତା’ର ମୁଲ
ସେ’ ଯେ ଐଶ୍ୱରୀୟ ବ୍ରତ,
ବୃଦ୍ଧାଶ୍ରମେ ନୁହେଁ ତା’ ଜାଗା ହୃଦୟେ
ଦେଇ କର ମଥା ନତ ।।
ଭୂମି ଠାରୁ ଭୂମା ଯା’ଅନନ୍ତ ସୀମା
ନ ଦିଅ ମନେ ଆଘାତ,
ରକ୍ତ ମାଂସ ଦେଇ ଗଢ଼ି ଅଛି ସେହି
ସହି ଘାତ ପ୍ରତିଘାତ ।।
ମାଆ ପାଳିପାରେ କୋଟି କଳିକାରେ
ସ୍ନେହର ପରଶ ଦେଇ,
ବୃଦ୍ଧା କାଳେ ତା’ର ବୃଦ୍ଧାଶ୍ରମେ ଯା’ର
କପାଳେ ଲେଖିଛି ବିହି ।।
ମାଆର ବେଦନା କାହାକୁ କହେନା
ଲୁହ ପିଏ ତା’ର ଓଠ,
ଜାଗରେ ସନ୍ତାନ ହୁଅ ସଚେତନ
କର ନାହିଁ ଆଉ ମଠ ।।
ଶାଶୁମା’ ଅଟନ୍ତି ଯେ’ ମାଆ ଆମରି
ତ୍ୟାଗର ଅଳକାନନ୍ଦା,
ବୃଦ୍ଧାବସ୍ଥାରେ ଯେ ରଖିବା ପାଖରେ
ସେ’ ମହୀୟସୀ ମଧୁଛନ୍ଦା ।।
ମା’ ଆଉ ମାଟିମା’ ଦୁହିଁଙ୍କ ସୁରକ୍ଷା
ଲାଗି ନେବା ହେ ଶପଥ,
ମାଆ ମାନ ରକ୍ଷା ସୀମାର ସୁରକ୍ଷା
ହେଉ ଆମ ମନୋରଥ ।।
ଆଜିର ଦିନରେ ଘେନିବ ମାଆ ଗୋ’
ମୋ’ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି,
ପ୍ରତି ଜନ୍ମେ ମିଳୁ ମୋତେ ତୋ’ରି କୋଳ
ଆଶୀର୍ବାଦ ଦେବୁ ଢାଳି ।।
ବେଙ୍ଗାଲୁରୁ
ଘର :ଲହୁଣୀପଡ଼ା ସୁନ୍ଦରଗଡ଼