*ପାନ୍ଥଶାଳାର ପଥିକ*
ଜନ୍ମଭୂମି ଆମ ପାନ୍ଥଶାଳାଟିଏ
ଆମେ ଜଣେ ଜଣେ ପଥିକ
ବାଟ ଚାଲୁଚାଲୁ ଝୁଣ୍ଟିବା ହିଁ ସାର
ଉଠାଣି ଗଡାଣି ଅନେକ।
ପାନ୍ଥଶାଳା ମଧ୍ୟେ ପଶାପାଲି କ୍ରୀଡା
ଜିତିବା ହାରିବା ସ୍ୱୀକୃତି
ଯେତେ ଯାହା ହେଲେ ନିରନ୍ତର ଏଠି
କରିଥାଏ ନିଶ୍ଚେ ପ୍ରଗତି।
ଆଶା ନିରାଶାର ମିଶାଣ ଫେଡାଣ
ଜୀବନ ଯାତ୍ରାର ଅଗଣା
ଜନ୍ମଭୂମି ବକ୍ଷେ ବାଛ କି ବିଚାର
କିବା କଳା-ଗୋରା ଧାରଣା?
ଜୀବନ ଜହ୍ନର ଜ୍ୟୋତ୍ସ୍ନା ଆଶାରେ
ଖୋଲା ଆକାଶର ଖୁସିରେ
ଜନମ ମୃତ୍ୟୁର ଲୀଳାଭୂମି ଏହି
ସୁଖ କମ୍ ଦୁଃଖ ବେଶିରେ।
ଜୀବନ ଜୀବିକା ବିବିଧ ଅଟଇ
ନାନା ମୁନି ନାନା ମତରେ
ଜନମ ଭୂଇଁରେ ହିନ୍ଦୁ,ଖ୍ରୀଷ୍ଟିଆନ,
ଜୈନ,ମୁସଲିମ୍ ସ୍ଥିତିରେ।
ପାନ୍ଥଶାଳା ପୃଷ୍ଠେ ପଥିକ ଯିଏରେ
ଏଇ ଅଛି ଏଇ ନାହିଁରେ
ଜନ୍ମଭୂମି ଆମ ପାନ୍ଥଶାଳାଟିଏ
ଆମେ ତ ପଥିକ ସବୁରେ।
ଅଳପ ଦିନର ଗଳପେ ଆମର
ପାନ୍ଥଶାଳା ମଧ୍ୟେ ଜୀବନ
ନିଜ ଦକ୍ଷତାରେ ନିଜ ପାଇଁ ଖୋଜ
ପଥିକ ହେ କର୍ମସଂସ୍ଥାନ !
*ନୀହାରିକା ପଣ୍ଡା*
ରାକମା ,ଭାପୁର ,ନୟାଗଡ଼