ବିଶ୍ୱାସ….
ମିନତି ଦାଶ
****************
ମେଳରେ ଥାଉ ତୁ ମେଳିଆ ଠାକୁର,
ଯୁଗେ ଯୁଗେ ଖୋଜୁ ମେଳ !
ତ୍ରେତାରେ ମର୍କଟ, ଦ୍ଵାପରରେ ଗୋପୀ
କଳିରେ ଭକତ ଭୋଳ.
ଅପାଙ୍କ୍ତେୟ ମୁହିଁ ବୁଝିବି କେସନ
ଲୀଳା ତୋର ହେ ଶ୍ରୀ ହରି !
ନାନା ରଙ୍ଗ କରି ସଙ୍ଗରୋଧ ବରି
ନନ୍ଦିଘୋଷେ ବୁଲୁ ପୁରୀ.
ଭ୍ରାତା ଭଗିନୀ ତୋ ସଙ୍ଗେ ଥିବେ ସିନା
ଭକତେ ନଥିବେ କେହି,
ଆନନ୍ଦମୟ ସେ ଭବ୍ୟ ସମାବେଶ
ଖାଁ ଖାଁ ହେବ ନାହିଁ?
ହରିବୋଲ ଧ୍ଵନି ନାମ ସଂକୀର୍ତ୍ତନେ
ହଜନ୍ତା ଘର୍ଘର ନାଦ,
ଟାଣିଥାନ୍ତେ ରଥ ଉଦାତ୍ତ ଆନନ୍ଦେ
ମନୁ ଫିଙ୍ଗି ଦେଇ ଖେଦ.
କିଏ ଜାଳୁଥାନ୍ତା ଅଶ୍ରୁର ଦୀପାଳି
କିଏ ଵାଢ଼ୁଥାନ୍ତା ଅର୍ଘ୍ୟ,
ପଡ଼ି ଉଠି କିଏ ଯାଉଥାନ୍ତା ଲୋଟି
ପ୍ରତିଟି କ୍ଷଣ ମହାର୍ଘ.
ଚକ୍ର କ୍ଷେତ୍ରେ ଲାଗେ ତୋ ଚକ୍ର ନିଷ୍ପ୍ରଭ
ବୁଲେ ସେ ନିଃଶ୍ଚୁପ ହୋଇ,
ଆଜ୍ଞା ମାତ୍ରେ ଯିଏ ହତ କରେ ପାପୀ
ଶରଣେ ଅଭୟ ଦାୟି.
କି ଅବା କପଟ ମନରେ ସାଇତି
ଭକ୍ତଙ୍କୁ କରିଛୁ ମନା?
ଭାବର ଠାକୁର– ବନ୍ଧନ ତୋହର
ଛଡେଇ ନେଲୁ ଅବନା??
ଖାଁ ଖାଁ ଲାଗେ ତୋର ବଡଦାଣ୍ଡ
ଭକ୍ତ ଲାଗେ ଅନାବନା,
ତଥାପି ଅଚଳ ଅଟଳ ବିଶ୍ୱାସ
ମନ ତଳେ ଉଭା ସିନା.
ରୋଗ ଦୁଃଖ ଶୋକ… ଯେତେକ ଆରତ
ସକଳ ସଁଅପି ଚରଣେ,
କରଇ କଟାଳ ଆହେ ନନ୍ଦ ବାଳ
ତ୍ରାସ ନାଶ ହେ ବହନେ 🙏🙏🙏🙏
ମିନତି ଦାଶ
ବାରିପଦା