ମୋ ବାବୁ ମୋ ଧନ
!!!!!!!!!!!!!!!!!!!!!!!!
ମୋ ବାବୁରେ,ମୋଧନରେ
କଅଁଳ କଢ଼ି ତୁ ମୋର,
ଫୁଲ ହୋଇ ବାବୁ
ଫୁଟି ଉଠିବୁରେ
ବାସ ଛୁଟାଇବୁରେ ତୋର ।
ଜୀବନ ବିନ୍ଦୁକୁ ବାବୁ
କରିବୁରେ ସିନ୍ଧୁ
ବହିଯିବୁ ମରୁପଥେ,
ଦୁନିଆ ଦାଣ୍ଡର ଅସନା ଅର୍ଗଳ
ଧୋଇ ନେବୁ ତୋ ସ୍ରୋତେ ।
ଦୀପଟିଏ ହୋଇ ଜଳି ଉଠିବୁରେ
ସରଗର ତାରା ପରି,
କଳୁଷ କାଳିମା ଦୂର କରି ବାବୁ
ଆଲୋକ ଦେବୁ ବିଚ୍ଛୁରି ।
ବୀର ହୋଇ ବାବୁ
ଧରିବୁରେ ତୀର
ମାରିବୁ ଲକ୍ଷ ଭେଦି ,
ଆତତାୟୀ ପ୍ରାଣ ଶଙ୍କିତ କରି
ଉଡାଇବୁ ଶୀର ଛେଦି ।
ସନ୍ଧାନିଟିଏ ସାଜିବୁରେ ବାବୁ
ଖୋଜିବୁ ନୂଆ ତଥ୍ୟ,
ବିକାଶର ଶଙ୍ଖ ବଜାଇ ଦେବୁରେ
ଦେଖାଇବୁ ନୂଆ ସତ୍ଯ ।
ମଣିଷ ହୋଇ ବାବୁ
ମଣିଷ ହେବୁରେ
ରଖିବୁ ମଣିଷର ମାନ,
ପରହିତ ଲାଗି ଜୀବନ ବିଞ୍ଚିବୁ
ହସି ହସାଇବୁ ଦୁଃଖି ଜନ ।
ଜ୍ଯୋତ୍ସ୍ନାରାଣୀ ,ବାଲେଶ୍ବର