ଲୁଚେଇ ରଖନା ସତ
ମହେନ୍ଦ୍ର ନନ୍ଦ
ମହୁଆ ଲାଗୁଛ ସକାଳୁ ସକାଳୁ
କୋହଲା ଶରତ ପରି,
ଲେଉଟୁନି ଆଖି କହୁଛି ରହିଥା
ଦେଖିନି ଭଲକି ସାରି ।।
ଆଜି କାହିଁ ତୁମେ ଅଲଗା ଦିଶୁଛ
କାଲି ମାନଙ୍କରୁ ନୂଆ,
ଚିହ୍ନା ଠୁଁ ଅଚିହ୍ନା କିମିତି ଗୋଟାଏ
ହଁ ନାଁ ରେ ରହି ଯାଆ ।।
ମିଶେଇବି ସବୁ ପୁରୁଣା ହିସାବ
ଫେଡି ମିଶା ଖାଦ ତକ,
ଖୋଜୁଛି ନିଜର ପ୍ରଶ୍ନର ଉତ୍ତର
କୋଉଟା ସଠିକ ହବ ।।
ପାଦକୁ ପାଉଁଜି ମାପରେ ଫାଙ୍କୁଛି
ଓଠ ହସେ ଭାଙ୍ଗ ନାହିଁ,
ମୁହଁ ଯାହା ମିଶୁଛି ଅବିକଳ ପୁରା
ତୁମେ ବୋଲି ଏକା ହୋଇ ।।
ଦ୍ଵନ୍ଦରେ ସମାସ ଭିଡ଼ କରୁଛନ୍ତି
ଦୃଢ଼ କରି ଅବରୋଧ,
ତୁମ ଆଡୁ ତୁମେ କୁହ ଶୁଣେଇକି
ଲୁଚେଇ ରଖନା ସତ ।।