ତୋ ନାମେ….
ପରମାନନ୍ଦ ଲଭିବି
ଝରଣା ପାଢୀ
ସେତ ମୋ ଜୀବନ କେହି ନାହିଁ ଅନ୍ୟ
‘କାହ୍ନା’ ପରା ମୋର ପ୍ରିୟ
କିଏ କେଉଁ ନାମେ ଡାକେ ମୋ ‘କାହ୍ନୁ’କୁ
ବର୍ଣ୍ଣନେ ଅବର୍ଣ୍ଣନୀୟ ।।
ମାଆ ବାନ୍ଧି ଥିଲା ଦାମ ଚିହ୍ନ ଯେବେ
ରହିଲା ଉଦରେ ତା’ର,
ସଭିଏଁ ଜାଣିଲେ ସେହିଦିନଠାରୁ
ନାମ ତା’ର ‘ଦାମୋଦର’ ।।
ଗୋ-ଗୋପ ରକ୍ଷକ ତେଣୁ ସେ ‘ଗୋବିନ୍ଦ’
ଗୋପାଳନେ ସେ ‘ଗୋପାଳ’,
ନୀଳରଙ୍ଗ ମଣି ପରି ଝଟକଇ
‘ନୀଳମଣି’ ପରା ମୋର ।।
ଆକୃଷ୍ଟ କରଇ ସର୍ବ ପ୍ରାଣ ବୋଲି
‘କୃଷ୍ଣ’ ନାମ ଅଛି ବହି,
ଗୋବର୍ଦ୍ଧନ ଗିରି ଥିଲା ଦିନେ ଟେକି
‘ଗିରିଧାରୀ’ପରା ସେହି ।।
‘ବଂଶୀଧର’ ମୋର ବଂଶୀ ମୂର୍ଚ୍ଛନା ରେ
ପ୍ରତି ମନ ମୋହିନିଏ,
ମୋହନେ ‘ମୋହନ’ ରାଧା ପ୍ରାଣଧନ
ଭାବେ ବନ୍ଧା ହୋଇଥାଏ ।।
ତ୍ରେତୟା ରେ ‘ରାମ’ ଦ୍ଵାପରେ ସେ ‘ଶ୍ୟାମ’
ସୁନ୍ଦର ଶ୍ୟାମଳ ରୂପ,
କଳିରେ କାଳିଆ ସେହି ଦାରୁବ୍ରହ୍ମ
ଜଗେ ଖ୍ୟାତ ‘ଜଗନ୍ନାଥ’ ।।
ଦରଶନେ ତା’ର ନିତ୍ୟ ତୃପ୍ତି ମିଳେ
ତେଣୁ ସିଏ ‘ନିତ୍ୟାନନ୍ଦ’,
ପରମ ଆନନ୍ଦ ମିଳେ ତା’ର ଭାବେ
ସେ ପରା ‘ପରମାନନ୍ଦ’ ।।
ଆହେ ଦୁଃଖହାରୀ ଦୁଃଖ ନେବୁ ହରି
‘ହରି ହରି’ ଭଜୁଥିବି,
ତୋ ଭଜନ ଲେଖି -ଗାଇ ନିତି ନିତି
ପରମାନନ୍ଦ ଲଭିବି ।।
କଳାହାଣ୍ଡି