ଲେଖୁଛି ଚିଟାଉ
ଜ୍ୟୋତ୍ସ୍ନା ରାଣୀ ଦେବୀ
ଜୋଛନା ହଜିଛି କାଦମ୍ଵିନୀ କୋଳେ ଝିପଝିପି ଏଇ ବରଷାରେ,
ମଲାଜହ୍ନ ଝୁରେ ଘନ ଅନ୍ଧକାରେ ଫିକାଫିକା ତା’ର ଅଭିସାରେ ।
ଅମାନିଆ ମନ ଆନମନା ଆଜି ପ୍ରିୟା କାହିଁ ତୁମେ କେତେଦୂରେ,
ସପନ ପିୟାସୀ ମନଟା ମୋହର ଝୁରିଝୁରି ଖାଲି ଦିନ ସାରେ ।
ଭିଜାଭିଜା ମନ ଭିଜାମାଟି ଗନ୍ଧେ ପ୍ରୀତିର ପିଆଲା ତୋଳି ଧରେ,
କେତେଦୂରେ ସାଥୀ ଏ ଜୀବନ ଆଜି ଏକା ଏକା ଭରା ଶୂନ୍ୟତାରେ ।
ମଧୁଛନ୍ଦା ଗୋ ମଧୁର ଲଗନେ ତୁମ ସ୍ମୃତି ମନ ବାତାୟନେ,
ଚୁପିଚୁପି ଆସେ ଗୋପନେ ପ୍ରକାଶେ ଖେଳିଯାଏ ଭରି ଶିହରଣେ ।
ନବ କିଶଳୟେ ପାଦପ ଜୁଡାରେ ଫୁଟନ୍ତା ଫୁଲର ଦରହାସ,
ତୁମରି ମଥାର ଢେଉ ଭାଙ୍ଗୁଅଛି ସରଜୁଛି ସତେ ମହାରାସ ।
କୃଷ୍ଣବେଣୀରେ ଦୋଳି ଖେଳୁଅଛି ରଜନୀଗନ୍ଧାର ସଜ କଢ଼ୀ,
ନାଲି ନାଲି ଓଠେ ମଲ୍ଲୀକଢ଼ ସମ ଦନ୍ତପଂକ୍ତି ସତେ ଅଛି ବେଢ଼ି ।
କହୁଛି ମୋ କାନେ ଚୁପିଚୁପି କିଛି ଭିଜିଭିଜି ଏଇ ବରଷାରେ,
ତନ୍ଦ୍ରାଭିଜା ଏ ନୟନରେ ସଖି ତୁମ ଛବି ଆସି ଥରେ ଥରେ ।
ଉଛୁଳୁଛି ନଈ ହସୁଅଛି କଇଁ ଦୋହଲି ଶୀତଳ ସମୀରଣେ,
ସ୍ମୃତିର ଦରଜା ଖୋଲି ଦେଇଅଛି ଆସୁଥାଅ ତୁମେ ସଂଗୋପନେ ।
ଲେଖୁଛି ଚିଟାଉ ନିଶିଦନ ବସି ମୋ ମନର ସାଦା କାଗଜରେ,
ତୁମରି ହୃଦୟ ଦରଜା କି ରୁଦ୍ଧ କରି ଦେଇଅଛ କୁହ ଥରେ ।
ମେଘର ଜଳରେ ମୋ ଆଖିର ଜଳ ମିଶି ବହିଯିବ ସାତ ସୁଏ
ପାଇଯିବ ସଖି ମୁକୁରକୁ ମାଜି ବେଦନାରୁ ମୋର ସୂତାଖିଏ ।
ବ୍ରହ୍ମପୁର, ଗଂଜାମ