କର୍ମଫଳ
ମନେପଡେ ଆଜି ମାନବ ଜୀବନ
ଅଭୟ କାହାଣୀ ମନେ
ଉତ୍କଳର ମଣି ଅନୁଭବ ବାଣୀ
ବଞ୍ଚିବାର ଉପାଦାନେ।
ମାନବ ଜୀବନ ନୁହଁଇ କେବଳ
ବର୍ଷ ମାସ ଦିନ ଦଣ୍ଡ
କର୍ମେ ଜୀଏଁ ନର କର୍ମ ଏକା ତା’ର
ଜୀବନର ମାନଦଣ୍ଡ ।
ସତ୍କର୍ମ ସାଧନେ ଜୀବନ ସଫଳ
ସଦା ବିଜୟର ଟୀକା
କୁକର୍ମ ଟାଣେନା ଯଶକୀର୍ତ୍ତି ପାଇଁ
କେବେ ବି ସଫଳ ରେଖା।
ସେଥିପାଇଁ ପରା କବିଙ୍କ ଲେଖନୀ
ଅଲିଭା ଅକ୍ଷର ନେଇ
ଜଗତ ଜାଗୃତି ଜୀବନ ପୀରତି
ସନ୍ଦେଶ ସନ୍ଧାନୀ ହୋଇ ।
କର୍ମ ଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ
କେ କରି ପାରିବ ଆନ
ଶତ ପ୍ରତିଷେଧ ଲଙ୍ଘି ପଶିଥାଏ
କର୍ମଫଳ ବଳବାନ ।
ସତ୍କର୍ମ ସ୍ୱୀକୃତି ପୁଣ୍ୟ ପ୍ରାପ୍ତି ନୀତି
ଅଧର୍ମେ ଅନ୍ୟାୟ ରୀତି
କର୍ମ ଅନୁସାରେ ମନୁଷ୍ୟର ମାନ
ଛୋଟ କିମ୍ବା ବଡ ଗତି।
କର୍ମରେ ଇଜ୍ଜତ ମିଳିଥାଏ ନିଶ୍ଚେ
ଧର୍ମରେ ମିଳଇ ମୋକ୍ଷ
ନିଜସ୍ୱ କର୍ମର ବିଚାର ଶୈଳୀରେ
ଅନୁଭବ ସୁଖ- ଦୁଃଖ ।
କର୍ମଫଳେ କ୍ରାନ୍ତି କର୍ମଫଳେ କଷ୍ଟ
କର୍ମ କରାମତି ସବୁ
ଅସତ୍ କର୍ମକୁ ଅସ୍ୱୀକାର ଧରା
କରିଥାନ୍ତି ସ୍ୱୟଂ ବିଭୁ।
ରାକମା, ଭାପୁର, ନୟାଗଡ଼