କର୍ତ୍ତବ୍ୟର ଅନ୍ୟନାମ “ବାପା”
କର୍ତ୍ତବ୍ୟର ପାହାଡ଼କୁ ମୁଣ୍ଡରେ ମୁଣ୍ଡେଇ
ଯିଏ ସାରା ଜୀବନ ଚାଲିପାରନ୍ତି
ସେ ହେଉଛନ୍ତି ବାପା ।
ଦୁଃଖର ସମୁଦ୍ରକୁ
ଯିଏ ଆଖି ତଳେ ଚାପି ରଖିପାରନ୍ତି
ସେ ହେଉଛନ୍ତି ବାପା ।
କଷ୍ଟର ପଥରକୁ
ଯିଏ ଛାତିରେ ଲଦି ସିଧାସଳଖ ଚାଲିପାରନ୍ତି
ସେ ହେଉଛନ୍ତି ବାପା ।
ଦୁନିଆର ସବୁ ସୁଖକୁ ସାଉଁଟି ଆଣି
ଯିଏ ସନ୍ତାନର ପାଦ ତଳେ ଥୋଇଦିଅନ୍ତି
ସେ ହେଉଛନ୍ତି ବାପା ।
ସେଥିପାଇଁ ମୋ କଲମରୁ କିଛି ତାଙ୍କ ପାଇଁ….
କିଏ କହେ ତାଙ୍କୁ ପଥର ପଥର,
କିଏ କହେ ତାଙ୍କୁ ମାଟି।
ହେଲେ ମୁଁ ଦିନେ ଦେଖିଛି,
ତାଙ୍କ ଆଖି ତଳେ ଅଶ୍ରୁର ଦୁଇ ଭୀତି।
ସବୁବେଳେ ସିଏ ତତ୍ପର ତତ୍ପର,
କାମରେ ନାହିଁ ତାଙ୍କ ଛୁଟି।
ଆଜି କଥା ସିଏ କାଲିରୁ ଭାବନ୍ତି,
ଆଗାମୀ କଥାକୁ ଭାବନ୍ତି ଆଜି।
ନିଜ କଥା ନିଜେ ଭୁଲି ସେ ଯାଆନ୍ତି,
ଘରକଥା ଆଗେ ଭାବନ୍ତି।
ନିଜ ପେଟ କଥା ବୁଝିବା ଛାଡି,
ଚାରି ପ୍ରାଣୀ କଥା ବୁଝନ୍ତି।
ଉନ୍ନତିର ଶିଖରରେ ଚଢ଼େଇବା ପାଇଁ,
ଆପ୍ରାଣ ଉଦ୍ୟମ କରନ୍ତି।
ଆମକୁ କଷ୍ଟ କେବେ ଜାଣିବାକୁ ନ ଦେଇ,
ନିଜ ଭାଗରେ କଷ୍ଟକୁ ରଖନ୍ତି।
କାନ୍ଧରେ ବସେଇ ମୁଣ୍ଡରେ ମୁଣ୍ଡେଇ,
ସାରା ଦୁନିଆକୁ ଦେଖାନ୍ତି।
ଆମ ସ୍ବପ୍ନକୁ ସାକାର କରିବାକୁ
ଆପ୍ରାଣ ଉଦ୍ୟମ କରନ୍ତି।
ସେହି ଜୀବିତ ଠାକୁରଙ୍କୁ ମୋର ଭୂମିଷ୍ଠ ପ୍ରଣାମ।
ସୁବ୍ରତ କୁମାର ବିଶ୍ୱାଳ
ଅନ୍ତରା,ଅଡ଼ା,ବାଲେଶ୍ଵର