ହେ ଗୁରୁ ଚିର ନମସ୍ୟ
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ଯିଏ ଦୁଇଆଖି ଖୋଲିଦେଲେ…
ଦୃଶ୍ୟମାନ ନିଶ୍ଚେ ଶିଶୁଙ୍କ ଜୀବନୀ
ଭୁଲ୍ ପରିବର୍ତ୍ତେ ଠିକ୍ ର ଭୂମିକା
ଇତି ପରିବର୍ତ୍ତେ ରଚନା ସ୍ୱର୍ଣ୍ଣିମ ଇତିହାସ ।
କଞ୍ଚାମାଟି ପିଣ୍ଡୁଳାର ସୁଦକ୍ଷ କୁମ୍ଭକାର
ଅବଚେତନରେ ଚିନ୍ମୟ ଚେତନା ଜନ୍ମାଇ
ଅଜ୍ଞାନରୂପୀ ଘନ ତମସା ହଟାଇ
ସୁନେଲି ସ୍ୱପ୍ନ ସମୂହକୁ ସାକାର କରିବାକୁ
ଯୋଗାଡିଆ ଜଣେ
ନିଜର ନିଃଶ୍ବାସ ପ୍ରଶ୍ୱାସରେ ସମତାର ଇନ୍ଧନ ଭରି;
ଶ୍ରେଣୀକକ୍ଷରେ ଝୁଲୁଥାନ୍ତି ବୋଲି ଆଗାମୀର ଭାଗ୍ୟ ଭବିଷ୍ୟତ ଭଳିଭଳି……
କଥାରେ ଯିଏ…..
କୁନିକୁନି ଆଖି କୁନିକୁନି ହାତ-
ଅନେକ କୁନିକୁନି ଅବୁଝା ଅଝଟ ମନର ବୁଝାମଣା କରିବାର ସମର୍ଥ
ପ୍ରତିଟି ପାଦ ଓ ପଦକ୍ଷେପର ଧାରା
ପ୍ରେରଣା , ପ୍ରୋତ୍ସାହନ ଓ ପ୍ରଜ୍ଞାର ପୂଜାର୍ଚ୍ଚନା ପରା
ଓଠନିଃସୃତ ପ୍ରତିଟିକଥା ଆଉପାଦେ ଆଗେଇବାର ମୂଳମନ୍ତ୍ର
ଯିଏ ହିଁ ଶିଖାନ୍ତି …..
ଗୋଲାପକୁ ତୋଳିବାକୁ ହେଲେ
ସହିବାକୁ କଣ୍ଟାର ଆଘାତ
ନିମଜ୍ଜିତ ଚେତାବନୀ-
ପୂର୍ଣ୍ଣତାର ପ୍ରତିଧ୍ବନି –
ମୂର୍ତ୍ତିପାଇଁ ମଗ୍ନଶିଳ୍ପୀ
ଆଗାମୀକୁ ସହିବାକୁ ଶିକ୍ଷାଦିଅ ସାଧନାରୂପୀ ହାତୁଡି ନିର୍ଘାତ ।
ମିଥ୍ୟାଠୁ ଦୂରେଇ ସତ୍ୟକୁ ଆପଣାଇ
ଆତ୍ମବିଶ୍ଵାସର ସହ ଯିବାକୁ ଆଗେଇ
ହେ ଶାମୁକାରୁ ମୋତି ସାଉଁଟିବାର ସଫଳ ସୂତ୍ରଧର !
ଜୀବନ ବାହିବାର ତରୀ
ସେଥିପାଇଁ ବୋଧହୁଏ ଆବ୍ରାହମ୍ ଲିଙ୍କନ୍ ଲେଖିଥିଲେ ଦିନେ ଶିକ୍ଷକଙ୍କୁ ଚିଠିଟିଏ ପୁଅର ଚରିତ୍ର ଗଠନ ପାଇଁ
ଅନେକ ଆଶା ଭରସା ଓ ବିଶ୍ବାସକୁ ପୁଞ୍ଜି କରି……
ଦ୍ରୋଣାଚାର୍ଯ୍ୟ ସେ ସୃଜିପାରନ୍ତି ଯୁଧିଷ୍ଠିର
କୌଟିଲ୍ୟ ସେ ସନ୍ଧାନ କରିପାରନ୍ତି ଚନ୍ଦ୍ରଗୁପ୍ତ ସୁବର୍ଣ୍ଣଯୁଗର।
କଅଁଳ ଡେଣାରେ ଭରନ୍ତି ଅଫୁରନ୍ତ ଶକ୍ତି
କଅଁଳ ଦେହର ସମ୍ଭାବନା ସ୍ୱୀକୃତି ସେବା- ସମୃଦ୍ଧି -ଶାନ୍ତି ।
ନାହିଁ ତ ପରଆପଣାର
ଆଖିରେ ଆଖିଏ ସ୍ୱପ୍ନ ଶିକ୍ଷାର୍ଥୀ ଜିତାପଟର।
ନୁହେଁ ତୁମେ ଉପେକ୍ଷିତ କି ଅବାଞ୍ଛିତ
ହେ ଗୁରୁଦେବ ତୁମେ ହିଁ ତ ମୋ ଭାବନାର
ସେହି ଭବ୍ୟ ଭାଗବତରେ ବର୍ଣ୍ଣିତ ଶ୍ରୁତିମଧୁର
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ଵର !
ଅଖଣ୍ଡମଣ୍ଡଳାକାର ଚରାଚର ବିଶ୍ବ ବିଶ୍ବସିତ ତୁମେ
ସଂଜୀବନୀ ସୁଧା ଦ୍ୱିତୀୟ ଜନନୀ ସ୍ୱୀକାରୋକ୍ତି ନମେ
ଭ୍ରମ ନୁହେଁ ଭଲର ଅଟଳ ବିଶ୍ବାସ
ଅନୁଭବରେ ଶାଶ୍ବତ ଜୀବନ ଜୀବିକାର ଚିରନ୍ତନ ରହସ୍ୟ
ତୁମେ ନିଶ୍ଚେ ଜୀବନ କଳାପଟାରେ
ସେହି ଶୁଭ୍ର ଚକ୍ ଖଡିଗାରର ସ୍ପଷ୍ଟ ଶବ୍ଦବିନ୍ୟାସ;
କଥା, କାମ, ଚିନ୍ମୟ ଚିନ୍ତନକୁ ସଜାଇଦେଲେ ଆପେଆପେ ସାଜେ ପ୍ରଗତିର ଉପନ୍ୟାସ ;
ହେ ଗୁରୁ ତୁମେ ଚିର ନମସ୍ୟ, ତୁମେ ଚିର ନମସ୍ୟ !!!
ରାକମା, ଭାପୁର, ନୟାଗଡ଼