ଅଭିମାନିନୀ
– ଜାନକୀ ମହାନ୍ତ
****************************
ଅଭିମାନିନୀ ମୁଁ ଅମାନିଆ ଲୁହେ
ଦୁଇ ଆଖି ଧୋଇଯାଏ,
ହୃଦୟର କୋହ ଅନ୍ତଃ ଗହ୍ୱରରେ
ଭଗ୍ନବୀଣା ସ୍ୱରେ ଗାଏ ।।
ଆଶାର ଶ୍ରାବଣ ଝର ଝର ହୋଇ
ଅଦିନେ ବରଷି ଥାଏ,
ଆଞ୍ଜୁଳାଏ ସ୍ୱପ୍ନ ମୌସୁମୀ ବାୟୁରେ
ବିଚ୍ଛୁରିତ ହୋଇ ଯାଏ ।।
ଘନ ଘୋର ବର୍ଷା ପ୍ରକମ୍ପିତ ମେଘେ
କ୍ଷଣପ୍ରଭା ସ୍ୱର୍ଣ୍ଣକାନ୍ତି,
ଭିଜେ ତନୁ ସିନା ମନ ମୋ’ ଭିଜେନା
ଶୁଷ୍କ ଓଠେ ରହେ ସାଥୀ ।।
ଲେଖିବିନି ଗୀତ ଗାଇବିନି ମିତ
ତୁମେ ଜମା ନୁହଁ ପ୍ରୀତ,
ତୁମ ବର୍ଷାରାଣୀ ପ୍ରବାସୀ ନାୟିକା
ପାଳିଛି ମଉନ ବ୍ରତ ।।
ହୃଦ ସମ୍ରାଟକୁ ସ୍ଥିତପ୍ରଜ୍ଞ ରୂପେ
ହୃଦେ ସାଇତି ରଖିବି,
ଅହଲ୍ୟା ପାଷାଣୀ ପ୍ରାୟେ ପଡ଼ି ରହି
ଯୁଗେ ଯୁଗେ ଚାହିଁ ଥିବି ।।
ଜାନକୀ ମହାନ୍ତ