ଗରିବ ଚାଷୀର ଦୁଃଖ
ଆସ ଆସ ହେ ଜଟିଆ ନଟିଆ
ଖଳାରେ ପିଟିବା ଧାନ ,
ଧାନ ପିଟିଦେଇ ମାଲିକ ପାଖରୁ
ଗୁଞ୍ଜିବା କିଛିଟା ଧନ |
ଟଙ୍କା କିଛି ହେଲେ ପାଖରେ ଆମର
କିଣିବା ଡ୍ରେଏସ ପ୍ୟାଣ୍ଟ ,
ଘୁଟୁ ଘୁଟୁ କରି ମେଳାକୁ ବି ଯିବା
ଦେଖେଇ ଟିକିଏ ଛାଣ୍ଟ |
ଚଷମା ବୁଉଟ ପିନ୍ଧିଦେଇ ସବୁ
ମାରିବା ଷ୍ଟାଇଲି ଟିକେ ,
ଆମରି ଗେଟପ ଆମରି ସେଟପ
ଦେଖିବେ ଅନେକ ଲୋକେ |
ରାଧୁଆ କଥାରେ ନଟିଆ ଜଟିଆ
ଗଲେ ଯେ ଖଳାକୁ ଧାଇଁ ,
ଶୀଘ୍ର ଶୀଘ୍ର ସବୁ ଧାନ ପିଟିଦେଇ
ଦେଲେବି ତାକୁ ଉଡେଇ |
କାମ ସରିଗଲା ପଇସା ମିଳିଲା
ଜଣକା ତିନିଶ ଲେଖାଁ ,
ଏକମୁହାଁ ହୋଇ ଘରକୁ ଧାଇଁଲେ
ଦୁଇଟା ବାଳୁଙ୍ଗା ଟୋକା |
ଧୁଆ ଧୋଇ ହୋଇ ଶୋରୁମ ଗଲେ
ଦେଖିଲେ ଚଷମା ଜୋତା ,
ବିଇଲି ଟପିଲା ହଜାରେ ଉପରେ
ପାଖରେ ତିନିଶ ଟଙ୍କା |
ମନ ଦୁଃଖ କରି ଫେରିଲେ ଦୁହିଁହେ
ଛାଆଣ୍ଟେ ଗଲା ଯେ ହଜି ,
କେତେ କଣ ଯାହା ଭାବିଥିଲେ ସବୁ
ପାଣିରେ ଗଲାଯେ ଭିଜି |
ଜାଣିଛି ଆପଣ ହସୁଥିବେ ପଢି
ଏହିହିଁ ବାସ୍ତବ ଦୁଃଖ ,
ଗରିବଟା ଖଟେ ପେଟ ପାଇଁ ଯାହା
ଭାଗ୍ୟରେ ନଥାଏ ସୁଖ |
ଅଙ୍କିତ କୁମାର ସ୍ୱାଇଁ
ଯାଜପୁର