ଫିକା ରଙ୍ଗର ଆକାଶ
ମହେନ୍ଦ୍ର ନନ୍ଦ
ନୀରବତା ମାନେ ସୂଚେଇ ଦେଉଛି
ଦୂରେଇ ଯାଉଛ ବୋଲି,
ଲିଭିଲା ଲାଗୁଛି ପାଦ ଚିହ୍ନ ତକ
ଦିଶୁଥିଲା ଯିଏ କାଲି ।
ବଦଳା ବଦଳା ଲାଗୁଛି ଆକାଶ
ରଙ୍ଗକୁ କରି ତା ଫିକା,
ଶୋଇକି ସମୟ ଚିତେଇ ହେଇକି
ମାରୁଛି ମନର ଥକା ।
ବନ ହରିଣୀର ଶୋଷିଲା ଆଖିରେ
ଆକାଶୀ ମେଘର ଛାଇ,
ଓଠ ଉପକୂଳେ ଥମିଲା ଝଡର
ଛାପ ପଡେ ବାରି ହେଇ ।
ଅବୁଝା ଶବ୍ଦଙ୍କ ଶବ ଶୋଭାଯାତ୍ରା
ମୁହଁ ସାରା ଠାଏ ଠାଏ
ଖସା ଓଢ଼ଣୀର ସତ୍ୟପାଠ ମୁକ୍ତ
ନ୍ୟାୟିକ ତଦନ୍ତ ଚାହେଁ ।।
ଠାର ଅଭିନୟେ ବିଶ୍ଵାସକୁ ଜିତି
ଇସାରାରେ ବାଣ୍ଟି ଖୁସି,
ସମ୍ପର୍କ ଚିଠାର ସଂଶୋଧନ ପାଇଁ
ଧରାଉଛ ଚିଠା ଲେଖି ।